jayashree

ବିଜେପି ରାଜ୍ୟ ସଭାପତିଙ୍କ ଛତ୍ରପୁର ଓ ଗଞ୍ଜାମ ବ୍ଲକର ପ୍ରମୁଖ ବନ୍ୟାଂଚଳ ପରିଦର୍ଶନ

ଛତ୍ରପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଭାରତୀୟ ଜନତା ପାର୍ଟି ଓଡ଼ିଶା ରାଜ୍ୟ ସଭାପତି ମନମୋହନ ସାମଲ ଆଜି ଗଞ୍ଜାମ ଜିଲ୍ଲାର ଛତ୍ରପୁର ଓ ଗଞ୍ଜାମ ବ୍ଲକ ଅନ୍ତର୍ଗତ ବିଭିନ୍ନ ବନ୍ୟା ପ୍ରପୀଡିତ ଅଂଚଳ ପରିଦର୍ଶନ କରିଛନ୍ତି । ତାଙ୍କରି ଗସ୍ତ କରିବା ସାଂଗକୁ ଗଞ୍ଜାମ ଜିଲ୍ଲା ମହକୁମା ଛତ୍ରପୁରସ୍ଥ ସର୍କିଟ ହାଉସ ଠାରେ ଏକ ସମୀକ୍ଷା ବୈଠକ କରିଛନ୍ତି । ବାତ୍ୟା ପରବର୍ତ୍ତୀ ଅବିଶ୍ରାନ୍ତ ବର୍ଷା ଯୋଗୁଁ ଗଞ୍ଜାମ ଜିଲ୍ଲାର ବିଭିନ୍ନ ଅଂଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହେବା ସହ ଅନେକ ସ୍ଥାନରେ ଘାଇ ସୃଷ୍ଟି ହୋଇଛି । ଫଳରେ ବହୁ ଅଂଚଳ ଜଳମଗ୍ନ ହେବା ସହ ବ୍ୟାପକ ଫସଲ କ୍ଷୟକ୍ଷତି ହୋଇଛି । ଏହି ପରିପ୍ରେକ୍ଷୀରେ ଶ୍ରୀ ସାମଲ ବରପଲ୍ଲୀ, ଭୁଆଁଭୂଇଁ, ପୋଟଲାମପୁର, ଗଙ୍ଗାପୁର ସମେତ ବିଭିନ୍ନ ଗ୍ରାମ ପରିଦର୍ଶନ କରି ସ୍ଥାନୀୟ ଚାଷୀ ଓ ଜନସାଧାରଣଙ୍କ ସହ ଆଲୋଚନା କରିଥିଲେ । ବନ୍ୟା ପ୍ରଭାବିତ ଲୋକଙ୍କ ନିକଟରେ ରିଲିଫ୍‌ ସାମଗ୍ରୀ ପହଂଚିଛି କି ନାହିଁ, ରନ୍ଧା ଖାଦ୍ୟ ବଂଟନର ବ୍ୟବସ୍ଥା କିପରି ଚାଲିଛି ଏବଂ ସରକାରଙ୍କ ପକ୍ଷରୁ ମିଳୁଥିବା ସହାୟତା ଲୋକଙ୍କ ନିକଟରେ ଠିକ୍‌ ଭାବେ ପହଂଚୁଛି କି ନାହିଁ, ସେ ସମ୍ପର୍କରେ ସେ ପଚାରି ବୁଝିଥିଲେ । ଏହା ସହିତ ଚାଷୀମାନଙ୍କ ଫସଲ କ୍ଷୟକ୍ଷତି, କୃଷି ଋଣ ଛାଡ଼, ଘାଇ ମରାମତି, ଜଳନିଷ୍କାସନ ବ୍ୟବସ୍ଥା ଓ ଅନ୍ୟାନ୍ୟ ମୌଳିକ ସମସ୍ୟା ସମ୍ପର୍କରେ ମଧ୍ୟ ଆଲୋଚନା କରିଥିଲେ । ଆଗାମୀ ଦିନରେ ଏଭଳି ପରିସ୍ଥିତିର ପୁନରାବୃତ୍ତି ରୋକିବା ସହ ଲୋକଙ୍କ ଜୀବନଯାପନକୁ ସ୍ୱାଭାବିକ କରିବା ଉପରେ ସେ ଗୁରୁତ୍ୱ ଦେଇଥିଲେ । ଏଥିସହ ବନ୍ୟା ପରିସ୍ଥିତି ପରେ ପୁନର୍ବା ଥଇଥାନ ଓ ଲୋକଙ୍କ ବିଭିନ୍ନ ସମସ୍ୟାର ସମାଧାନ କିଭଳି ସର୍ବବ୍ୟାପୀ ସର୍ବସ୍ପର୍ଶୀ ହୋଇପାରିବ ଏଥି ନିମନ୍ତେ ସ୍ଥାନୀୟ ବିଡିଓ, ସ୍ଥାନୀୟ ସରପଞ୍ଚ, ଜିଲ୍ଲା ପରିଷଦ ସଦସ୍ୟ ଓ ସମିତି ସଭ୍ୟମାନେ ମଧ୍ୟ ଉପସ୍ଥିତ ଥିଲେ । ବନ୍ୟା ପ୍ରଭାବିତ ଅଂଚଳରେ ଲଗାତାର ରିଲିଫ୍‌ ସାମଗ୍ରୀ ଓ ରନ୍ଧା ଖାଦ୍ୟ ବଂଟନ ଜାରି ରଖିବା ସହ ପ୍ରଭାବିତ ପରିବାରଗୁଡ଼ିକୁ ଆବଶ୍ୟକୀୟ ସରକାରୀ ସହାୟତା ଯୋଗାଇଦେବା ଉପରେ ଶ୍ରୀ ସାମଲ ଗୁରୁତ୍ୱାରୋପ କରିଥିଲେ । ଜନସାଧାରଣଙ୍କ ସମସ୍ୟାର ସମାଧାନ ଓ ବନ୍ୟା ପ୍ରଭାବିତ ଅଂଚଳରେ ସ୍ୱାଭାବିକ ଜୀବନଯାପନ ଫେରାଇ ଆଣିବା ପାଇଁ ସମସ୍ତ ପ୍ରକାର ଆବଶ୍ୟକୀୟ ପଦକ୍ଷେପ ନେବା ଉପରେ ଏହି ଗସ୍ତରେ ଆଲୋକପାତ କରାଯାଇଥିଲା । ଏହି ଗସ୍ତ ସମୟରେ ରାଜ୍ୟ ସାଧାରଣ ସମ୍ପାଦକ ଶାରଦା ଶତପଥୀ, ରାଜ୍ୟ ସମ୍ପାଦକ ସରୋଜ କର, ଗଞ୍ଜାମ ଜିଲ୍ଲା ସଭାପତି ସରୋଜ ସାବତ, ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ, ପୂର୍ବତନ ଉପବାଚସ୍ପତି ତଥା ଛାତ୍ରପୁରର ପୂର୍ବତନ ବିଧାୟକ ରାମ ପଣ୍ଡା, ଗଞ୍ଜାମ ଜିଲ୍ଲା ସାଧାରଣ ସମ୍ପାଦକ ପଦ୍ମଚରଣ ସାହୁଙ୍କ ସମେତ ଜିଲ୍ଲା ସମ୍ପାଦକ ଶ୍ରୀ ଦୁର୍ଯ୍ୟୋଧନ ରେଡ୍ଡୀ, ବ୍ଲକ୍‌ ଅଧ୍ୟକ୍ଷ ସାଡି ଶାରଦା ରେଡ୍ଡୀ, କିଶୋର ବେହେରା, କିଶୋର ରେଡ୍ଡୀ, ଶମ୍ଭୁନାଥ ସ୍ୱାଇଁଙ୍କ ସମେତ ବହୁ ପଞ୍ଚାୟତ ପ୍ରତିନିଧି ଉପସ୍ଥିତ ଥିଲେ ।

Leave A Reply

Your email address will not be published.