jayashree

ଜିଲ୍ଲାସ୍ତରୀୟ ଯୁବ ମହୋତ୍ସବ : ନଭେମ୍ବର ୫ରୁ ଆରମ୍ଭ ହେବ ପ୍ରତିଯୋଗିତା

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୁବର୍ଣ୍ଣପୁର ଜିଲ୍ଲାରେ ଜିଲ୍ଲାସ୍ତରୀୟ ଯୁବ ମହୋତ୍ସବ ୨୦୨୭ (ବିକଶିତ ଭାରତ ୟଙ୍ଗ ଲିଡର୍ସ ଡାଏଲଗ୍) ଆୟୋଜନ ନିମନ୍ତେ ଆଜି ଅପରାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଜିଲ୍ଲାପାଳ ଦେବାଶିଷ ସିଂହ ମହୋତ୍ସବର ଆୟୋଜନ, ପ୍ରତିଯୋଗିତା ଓ ଅଂଶଗ୍ରହଣ ସମ୍ପର୍କରେ ଗଣମାଧ୍ୟମକୁ ବିସ୍ତୃତ ସୂଚନା ଦେଇଥିଲେ । ମହୋତ୍ସବର ଆୟୋଜନ ଦାୟିତ୍ୱରେ ଥିବା ଜିଲ୍ଲା କ୍ରୀଡ଼ା ଅଧିକାରୀ ଚିତ୍ରରଞ୍ଜନ ମିଶ୍ର ଏବଂ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ପ୍ରୀତି ସୁନା ଉପସ୍ଥିତ ଥିଲେ । ଏହି ମହୋତ୍ସବର ସମସ୍ତ ପ୍ରତିଯୋଗିତାର ବିଷୟବସ୍ତୁ ରହିଛି “ବିକଶିତ ଭାରତ ପାଇଁ ନିଶାମୁକ୍ତ ଯୁବ” (Nasha Mukt Yuva for Viksit Bharat) । ଏଥି ପାଇଁ ନୁକ୍କଡ ନାଟକ, ଚିତ୍ରାଙ୍କନ, କବିତା ଲିଖନ, ଲୋକନୃତ୍ୟ, ଲୋକଗୀତ, ରଚନା ପ୍ରତିଯୋଗିତା ଓ ପିପିଟି ଉପସ୍ଥାପନା ଯୋଗେ ରଚନା ଭଳି ସମସ୍ତ ପ୍ରତିଯୋଗିତା ଏହି ବିଷୟବସ୍ତୁକୁ ଆଧାର କରି ନଭେମ୍ବର ୫ ଓ ୬ ତାରିଖରେ ଅନୁଷ୍ଠିତ ହେବ । ନଭେମ୍ବର ୫ ତାରିଖରେ ସଂସ୍କୃତି ଭବନଠାରେ ୧୦ ମିନିଟ ନୁକ୍କଡ଼ ନାଟକ ପ୍ରତିଯୋଗିତା, ଜିଲ୍ଲା ପାଠାଗାରରେ ୬ ଘଣ୍ଟିଆ ଚିତ୍ରାଙ୍କନ ପ୍ରତିଯୋଗିତା ଏବଂ ସୋନପୁର ମହାବିଦ୍ୟାଳୟ ଠାରେ ଓଡ଼ିଆ, ଇଂରାଜୀ ଓ ହିନ୍ଦୀ ଭାଷାରେ କବିତା ଲିଖନ ପ୍ରତିଯୋଗିତା ହେବ । ସେହିପରି ନଭେମ୍ବର ୬ ତାରିଖରେ ସଂସ୍କୃତି ଭବନଠାରେ ୮ ମିନିଟ୍‌ ଲେଖାଏଁ ଲୋକନୃତ୍ୟ ଓ ଲୋକଗୀତ ପ୍ରତିଯୋଗିତା ଆୟୋଜିତ ହେବ । ଏହାବ୍ୟତୀତ ରଚନା ପ୍ରତିଯୋଗିତା ପିପିଟି ଉପସ୍ଥାପନା ଯୋଗେ ଏକ ଅତିରିକ୍ତ ଦିନ ରଖାଯାଇଛି । ସମ୍ଭାବ୍ୟ ଭାବେ ନଭେମ୍ବର ୧୩ ତାରିଖରେ ଏହା ଅନୁଷ୍ଠିତ ହେବ, ଯାହାର ଚୂଡ଼ାନ୍ତ ତାରିଖ ପରବର୍ତ୍ତୀ ସମୟରେ ଜଣାଇ ଦିଆଯିବ । ମୋ ଭାରତ (MY Bharat) ପୋର୍ଟାଲରେ ପଞ୍ଜୀକୃତ ୧୫ରୁ ୨୯ ବର୍ଷ ବୟସର ଯୁବକଯୁବତୀମାନେ ଏହି ପ୍ରତିଯୋଗିତାରେ ଭାଗ ନେଇପାରିବେ । ୧୭ ଅଗଷ୍ଟ ୨୦୨୬ ସୁଦ୍ଧା ପ୍ରତିଯୋଗୀଙ୍କ ବୟସ ନିର୍ଦ୍ଧାରିତ ସୀମା ମଧ୍ୟରେ ଥିବା ଆବଶ୍ୟକ । ପ୍ରତିଯୋଗୀ ସୁବର୍ଣ୍ଣପୁର ଜିଲ୍ଲାର ବାସିନ୍ଦା ହୋଇଥିବା ଆବଶ୍ୟକ । ତେବେ ଜିଲ୍ଲାରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀମାନେ ମଧ୍ୟ ଏଥିରେ ଭାଗ ନେଇପାରିବେ । ପ୍ରତିଯୋଗିତା ସମୟରେ ଆଧାର କାର୍ଡ ସାଙ୍ଗରେ ଆଣିବା ବାଧ୍ୟତାମୂଳକ । ଜଣେ ପ୍ରତିଯୋଗୀ କେବଳ ଗୋଟିଏ ପ୍ରତିଯୋଗିତାରେ ଭାଗ ନେଇପାରିବେ ତା ଠୁ ଅଧିକ ନୁହେଁ । ନୁକ୍କଡ଼ ନାଟକ, ଲୋକନୃତ୍ୟ ଓ ଲୋକଗୀତ ଭଳି ଦଳଗତ ପ୍ରତିଯୋଗିତାରେ ପ୍ରତ୍ୟେକ ଦଳରେ ସର୍ବାଧିକ ୭ ଜଣ କଳାକାର ଓ ୩ ଜଣ ସହାୟକ ସଦସ୍ୟଙ୍କୁ ମିଶାଇ ମୋଟ ୧୦ ଜଣ ରହିପାରିବେ । ସହାୟକ ସଦସ୍ୟଙ୍କ ବୟସ ୧୮ରୁ ୪୦ ବର୍ଷ ମଧ୍ୟରେ ହେବା ଆବଶ୍ୟକ । ପ୍ରତିଯୋଗିତା ଗୁଡ଼ିକରେ ଜିଲ୍ଲାସ୍ତରରେ ଆର୍ଥିକ ପୁରସ୍କାର ବ୍ୟବସ୍ଥା ରହିଛି । ନୁକ୍କଡ଼ ନାଟକ, ଲୋକନୃତ୍ୟ ଓ ଲୋକଗୀତ ଭଳି ଦଳଗତ ପ୍ରତିଯୋଗିତାରେ ପ୍ରଥମ ପୁରସ୍କାର ୧୦,୦୦୦ ଟଙ୍କା, ଦ୍ୱିତୀୟ ପୁରସ୍କାର ୭,୫୦୦ ଟଙ୍କା ଓ ତୃତୀୟ ପୁରସ୍କାର ୫,୦୦୦ ଟଙ୍କା ରହିଛି । ସେହିପରି ଚିତ୍ରାଙ୍କନ ଓ କବିତା ଲିଖନ ଭଳି ବ୍ୟକ୍ତିଗତ ପ୍ରତିଯୋଗିତାରେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ପୁରସ୍କାର ଯଥାକ୍ରମେ ୩,୦୦୦, ୨,୦୦୦ ଓ ୧,୦୦୦ ଟଙ୍କା ରହିଛି । ଲୋକନୃତ୍ୟ, ଲୋକଗୀତ, ଚିତ୍ରାଙ୍କନ ଓ କବିତା ଲିଖନ ପ୍ରତିଯୋଗିତାର ପ୍ରଥମ ଓ ଦ୍ୱିତୀୟ ପୁରସ୍କାର ବିଜେତା ରାଜ୍ୟସ୍ତରୀୟ ପ୍ରତିଯୋଗିତାକୁ ଉନ୍ନୀତ ହେବେ । ଅନ୍ୟପକ୍ଷରେ, ନୁକ୍କଡ଼ ନାଟକରେ କେବଳ ପ୍ରଥମ ସ୍ଥାନ ଅଧିକାର କରିଥିବା ଦଳ ରାଜ୍ୟସ୍ତରରେ ଭାଗ ନେବାର ସୁଯୋଗ ପାଇବେ । ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ, ବିଶେଷକରି ଦୁର୍ଗମ ଅଞ୍ଚଳରୁ ଅଧିକ ସଂଖ୍ୟକ ଯୁବକଯୁବତୀ ଯେପରି ଏହି ମହୋତ୍ସବରେ ଭାଗ ନେଇପାରିବେ, ସେଥିପାଇଁ ଜନସାଧାରଣଙ୍କୁ ସଚେତନ କରିବାକୁ ଜିଲ୍ଲାପାଳ ଅନୁରୋଧ କରିଛନ୍ତି । କେବଳ ଛାତ୍ରଛାତ୍ରୀ ନୁହେଁ, ପାଠପଢ଼ା ନକରୁଥିବା ଯୁବକଯୁବତୀମାନେ ମଧ୍ୟ ଯୋଗ୍ୟତା ଅନୁସାରେ ଏହି ପ୍ରତିଯୋଗିତାରେ ଭାଗ ନେଇପାରିବେ । ଏଥିପାଇଁ ଗାଁ ଗାଁରେ ଏହି ସୂଚନା ପହଞ୍ଚାଇବା ସହ ଯୁବପିଢ଼ିଙ୍କୁ ଉତ୍ସାହିତ କରିବାକୁ ସେ ଗୁରୁତ୍ୱ ଦେଇଛନ୍ତି । ଏଥିସହ ସମସ୍ତ ବିଡିଓ, କାର୍ଯ୍ୟନିର୍ବାହୀ ଅଧିକାରୀ, ବିଏସ୍‌ଏସ୍‌ଓ ଓ ବିକେଏସ୍‌ଏସ୍‌ ସୁବର୍ଣ୍ଣପୁରଙ୍କୁ ନିଜ ନିଜ ବ୍ଲକରୁ ଭାଗ ନେବାକୁ ଥିବା ପ୍ରତିଯୋଗୀଙ୍କ ସଂଖ୍ୟା ହ୍ୱାଟ୍ସଆପ୍ ଗ୍ରୁପରେ ପୋଷ୍ଟ କରିବା ସହ ଜିଲ୍ଲା କ୍ରୀଡ଼ା ଅଧିକାରୀଙ୍କୁ ଦୁଇ ଦିନ ଆଗରୁ ଜଣାଇବାକୁ କୁହାଯାଇଛି । ଏହାଦ୍ୱାରା ମହୋତ୍ସବର ସୁପରିଚାଳନା ପାଇଁ ଆବଶ୍ୟକ ପ୍ରସ୍ତୁତି ଓ ବ୍ୟବସ୍ଥା କରାଯାଇପାରିବ ।

Leave A Reply

Your email address will not be published.