jayashree

ବଲାଙ୍ଗିର ଜିଲ୍ଲାସ୍ତରୀୟ ବିଦ୍ୟାଳୟ ସମୂହ ଖୋଖୋ ପ୍ରତିଯୋଗିତା ଉଦଯାପିତ

  • ବାଳିକାରେ ଲୋଇସିଂହା ଓ ବାଳକରେ ବଲାଙ୍ଗିର ବ୍ଲକ ଚମ୍ପିୟାନ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ସଦର ମହକୁମା ପଞ୍ଚାୟତି ଉଚ୍ଚ ବିଦ୍ୟାଳୟ ଖେଳପଡିଆରେ ଗୁରୁବାରଠାରୁ ଆରମ୍ଭ ହୋଇଥିବା ବଲାଙ୍ଗିର ଜିଲ୍ଲାସ୍ତରୀୟ ୧୪ବର୍ଷ ଓ ୧୭ବର୍ଷରୁ କମ୍ ବିଦ୍ୟାଳୟ ସମୂହ ଖୋଖୋ ପ୍ରତିଯୋଗିତା-୨୬-୨୭ ଶନିବାର ଉଦଯାପିତ ହୋଇଯାଇଛି । ଏହି ଖୋଖୋ ପ୍ରତିଯୋଗିତାର ୧୪ବର୍ଷରୁ କମ୍ ବାଳିକା ବିଭାଗରେ ଟିଟିଲାଗଡ ବ୍ଲକ ଚମ୍ପିୟାନ, ଖପ୍ରାଖୋଲ ବ୍ଲକ ରନର୍ସଅପ୍ ଓ ବାଳକ ବିଭାଗରେ ବଲାଙ୍ଗିର ବ୍ଲକ ଚମ୍ପିୟାନ ଓ ବଙ୍ଗୋମୁଣ୍ଡା ବ୍ଲକ ରନର୍ସଅପ୍ ଆଖ୍ୟା ଅର୍ଜନ କରିଛି । ସେହିପରି ୧୭ବର୍ଷରୁ କମ୍ ବାଳିକା ବିଭାଗରେ ଲୋଇସିଂହା ବ୍ଲକ ଚମ୍ପିୟାନ ଓ ମୁରିବାହାଲ ବ୍ଲକ ରନର୍ସଅପ୍ ହୋଇଥିବା ବେଳେ ବାଳକ ବିଭାଗରେ ବଲାଙ୍ଗିର ବ୍ଲକ ଚମ୍ପିୟାନ ଓ ପୁଇଁତଲା ବ୍ଲକ ରନର୍ସଅପ୍ ଆଖ୍ୟା ଅର୍ଜନ କରିଛନ୍ତି । ସମସ୍ତ ଚମ୍ପିୟାନ ଓ ରନର୍ସଅପ୍ ଦଳକୁ ସ୍ଵତନ୍ତ୍ର ଟ୍ରଫି ସହ ଅତିଥିଙ୍କ ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଥିଲା । ବିଦ୍ୟାଳୟସ୍ତରରେ କ୍ରୀଡ଼ାର ବିକାଶ, ଛାତ୍ରଛାତ୍ରୀଙ୍କ ମଧ୍ୟରେ ଶୃଙ୍ଖଳା ଓ କ୍ରୀଡ଼ା ମନୋଭାବ ବୃଦ୍ଧି କରିବାରେ ଏଭଳି ପ୍ରତିଯୋଗିତାର ଅଧିକ ଗୁରୁତ୍ୱ ରହିଛି ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ । ମୁରିବାହାଲ ବିଇଓ ଶାନ୍ତନୁ କୁମାର ପଢିହାରୀଙ୍କ ସଭାପତିତ୍ୱରେ ତଥା କୁର୍ଲୁବାହାଲ ହାଇସ୍କୁଲର ବରିଷ୍ଠ କ୍ରୀଡ଼ା ଶିକ୍ଷକ ବିନୋଦ କୁମାର ମହାପାତ୍ରଙ୍କ ସଭା ସଂଯୋଜନାରେ ଅନୁଷ୍ଠିତ ଉଦଯାପନୀ ଉତ୍ସବରେ ସମାଜସେବୀ ଶିବାଜୀ ମହାନ୍ତି ମୁଖ୍ୟ ଅତିଥି, ବିଡ଼ିଓ ବାସନ୍ତୀ ସେଠୀ, ବଙ୍ଗୋମୁଣ୍ଡା ବ୍ଲକ ବିଇଓ କାହ୍ନୁଚରଣ ନାୟକ, ଖେଳ ପର୍ଯ୍ୟବେକ୍ଷକ ପଦ୍ମଚରଣ ଦାସ, ଥାନା ଏସଆଇ ପଙ୍କଜିନୀ ବାଗ, ବ୍ଲକ ବିଦ୍ୟାଳୟ କ୍ରୀଡ଼ା ସଂଗଠନ ସମ୍ପାଦକ କୁବେରଲାଲ ବେହେରା, ବିଧାୟକ ପ୍ରତିନିଧି ଗଙ୍ଗାଧର ହେର୍ଣ୍ଣା ଓ ଓଷ୍ଟା ଜିଲ୍ଲା ସଭାପତି ପ୍ରଦୀପ କୁମାର ପୁଟେଲ ସମ୍ମାନିତ ଅତିଥି ରୂପେ ଯୋଗଦେଇଥିଲେ । ଏହି ପ୍ରତିଯୋଗିତାରେ ଜିଲ୍ଲାର ସମସ୍ତ ୧୪ଟି ବ୍ଲକରୁ ୧୪ ବର୍ଷ ଓ ୧୭ ବର୍ଷରୁ କମ ୨୮୮ଜଣ ଛାତ୍ରୀ ଓ ୩୦୦ଜଣ ଛାତ୍ରଙ୍କ ସହ ମୋଟ ୫୮୮ ଜଣ ପ୍ରତିଯୋଗୀ, ୫୨ ଜଣ କୋଚ୍ ଓ ମ୍ୟାନେଜର ତଥା ୫୬ ମ୍ୟାଚ୍ ଅଫିସିଆଲଙ୍କ ସହ ସର୍ବମୋଟ ୬୯୬ ଜଣ ଅଂଶଗ୍ରହଣ କରୁଥିଲେ । ଜିଲ୍ଲା ଶାରୀରିକ ଶିକ୍ଷା ନିରୀକ୍ଷକ ପ୍ରଦୀପ କୁମାର ପାତ୍ର ବାର୍ଷିକ ବିବରଣୀ ପଠନ ଓ ବ୍ଲକ ଏବିଇଓ କୋଦଣ୍ଡଧର ଭୋଇ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ । ଜିଲ୍ଲା ବିଦ୍ୟାଳୟ ସମୂହ କ୍ରୀଡ଼ା ସଂଗଠନ ଓ ବ୍ଲକ ବିଦ୍ୟାଳୟ ସମୂହ କ୍ରୀଡ଼ା ସଂଗଠନ ପକ୍ଷରୁ ଅନୁଷ୍ଠିତ ହେଉଥିବା ଏହି ପ୍ରତିଯୋଗିତା ଗତ ତିନିଦିନ ଧରି ଅନୁଷ୍ଠିତ ହୋଇଥିଲା । ଜିଲ୍ଲା ଚମ୍ପିୟାନ ୧୪ବର୍ଷରୁ କମ୍ ଉଭୟ ବାଳକ ଓ ବାଳିକାଙ୍କ ଦଳ ବାଲେଶ୍ୱରରେ ଅନୁଷ୍ଠିତ ହେଉଥିବା ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ । ସେହିପରି ୧୭ବର୍ଷରୁ କମ୍ ଚମ୍ପିଆନ୍ ବାଳକବାଳିକା ଦଳ ସୁନ୍ଦରଗଡ ଜିଲ୍ଲା କୁତ୍ରାଠାରେ ଅନୁଷ୍ଠିତ ହେବାକୁ ଥିବା ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ । ଏହି କାର୍ଯ୍ୟକ୍ରମ ଆୟୋଜନରେ ବ୍ଲକର ସମସ୍ତ ପ୍ରଧାନଶିକ୍ଷକ, ସହକାରୀ ଶିକ୍ଷକ ଶିକ୍ଷୟିତ୍ରୀ, ସିଆର୍‌ସିସି, ଖେଳଶିକ୍ଷକ, ହାଇସ୍କୁଲ କର୍ମଚାରୀ, ସ୍ୱେଚ୍ଛାସେବୀ ଛାତ୍ରଛାତ୍ରୀ ଓ ଓଏଭିର ଶିକ୍ଷକ ଓ କର୍ମଚାରୀ ସହଯୋଗ କରିଥିଲେ । ମୁରିବାହାଲ ହାଇସ୍କୁଲ ପ୍ରଧାନଶିକ୍ଷକ ସୁଶାନ୍ତ କୁମାର କୁଅଁର ଧନ୍ୟବାଦ ଦେଇଥିଲେ ।

Leave A Reply

Your email address will not be published.