
କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ) : ଆଗାମୀ ବାତ୍ୟାର ସମ୍ଭାବ୍ୟ ପ୍ରଭାବକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ପ୍ରଶାସନିକ ସ୍ତରରେ ତତ୍ପରତା ବଢ଼ାଇଛନ୍ତି । ବାତ୍ୟାଜନିତ ଯେକୌଣସି ଜରୁରୀ ପରିସ୍ଥିତିର ସଫଳ ମୁକାବିଲା ଏବଂ ପ୍ରଶାସନିକ ପ୍ରସ୍ତୁତି ସୁନିଶ୍ଚିତ କରିବା ଲାଗି କନ୍ଧମାଳ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ୍ଙ୍କ ସମେତ ତାଙ୍କ ଅଧିନରେ ଥିବା ସମସ୍ତ କର୍ମଚାରୀଙ୍କ ଛୁଟି ବାତିଲ କରିବା ସହ ତୁରନ୍ତ ନିଜ ନିଜ ମୁଖ୍ୟାଳୟକୁ ଫେରିବାକୁ ଚିଠିରେ ଉଲ୍ଲେଖ ରହିଛି । ଓଡ଼ିଶା ସରକାରଙ୍କ ସାଧାରଣ ପ୍ରଶାସନ ଓ ପେନ୍ସନ୍ ଅଭିଯୋଗ (ପି.ଜି.) ବିଭାଗ ପକ୍ଷରୁ ଏନେଇ କନ୍ଧମାଳ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ୍ଙ୍କୁ ଚିଠି ଜାରି କରାଯାଇଥିବା ସୂଚନା ମିଳିଛି । ସରକାରଙ୍କ ସ୍ୱତନ୍ତ୍ର ସଚିବ ଘାସିରାମ ମୁର୍ମୁଙ୍କ ପକ୍ଷରୁ ଜାରି ଏହି ଚିଠି ନଂ. ୩୩୬୧୫/ ୨୪.୧୦.୨୬ ପ୍ରକାରେ ଆଗାମୀ ବାତ୍ୟାକୁ ଗୁରୁତ୍ୱର ସହ ନେଇ ପ୍ରଶାସନିକ ପ୍ରସ୍ତୁତିକୁ ସୁଦୃଢ଼ କରିବାକୁ ଉଲ୍ଲେଖ ରହିଛି । ବାତ୍ୟା ସମୟରେ ଜନସାଧାରଣଙ୍କ ସୁରକ୍ଷା, ଜରୁରୀ ସେବାର ପରିଚାଳନା ଏବଂ ସମ୍ଭାବ୍ୟ ବିପର୍ଯ୍ୟୟର ମୁକାବିଲା ଲାଗି ପ୍ରଶାସନକୁ ସଜାଗ ରହିବା ଆବଶ୍ୟକ । ଏଥିପାଇଁ ଛୁଟିରେ ଥିବା ସମ୍ପୃକ୍ତ ଅଧିକାରୀମାନେ ଯଥାଶୀଘ୍ର ମୁଖ୍ୟାଳୟକୁ ଫେରି ଦାୟିତ୍ୱ ଗ୍ରହଣ କରିବା ସହ ଯେ କୌଣସି ଜରୁରୀ ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ରହିବେ ବୋଲି ଚିଠିରେ ନିର୍ଦ୍ଦେଶ ଦିଆଯାଇଛି । ସରକାରଙ୍କ ଏହି ପଦକ୍ଷେପକୁ ଆଗାମୀ ବାତ୍ୟା ମୁକାବିଲା ପାଇଁ ପ୍ରଶାସନିକ ପ୍ରସ୍ତୁତିର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ଭାବେ କାର୍ଯ୍ୟ କରିବ ବୋଲି କୁହାଯାଇଛି ।