jayashree

ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ବଲାଙ୍ଗିର ପ୍ରଶାସନର ଆଗୁଆ ପ୍ରସ୍ତୁତି, ୨୪ ଘଣ୍ଟିଆ କଣ୍ଟ୍ରୋଲ୍ ରୁମ୍ ସକ୍ରିୟ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସମ୍ଭାବ୍ୟ ବାତ୍ୟାର ମୁକାବିଲା ଓ ଧନଜୀବନର ସୁରକ୍ଷା ସହ ସମ୍ଭାବ୍ୟ କ୍ଷୟକ୍ଷତିକୁ ରୋକିବା ପାଇଁ
ବଲାଙ୍ଗିର ଜିଲ୍ଲା ପ୍ରଶାସନ ପକ୍ଷରୁ ଆଗୁଆ ପ୍ରସ୍ତୁତି ଆରମ୍ଭ ହୋଇଛି । ଏନେଇ ଅତିରିକ୍ତ ଜିଲ୍ଲାପାଳ ପବିତ୍ର ବେହେରାଙ୍କ ଅଧ୍ୟକ୍ଷତାରେ ଆଜି ଭର୍ଚ୍ଚୁଆଲ୍ ମାଧ୍ୟମରେ ଏକ ପ୍ରସ୍ତୁତି ଓ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ସମ୍ଭାବ୍ୟ ବାତ୍ୟାର ତୀବ୍ରତା ଏବଂ ଏହାର ପ୍ରଭାବକୁ ଦୃଷ୍ଟିରେ ରଖି ସମସ୍ତ ବିଭାଗକୁ ସଜାଗ ରହିବା ସହ ଆବଶ୍ୟକ ପଦକ୍ଷେପ ତୁରନ୍ତ ଗ୍ରହଣ କରିବାକୁ ଅତିରିକ୍ତ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ବୈଠକରେ, ପାଣିପାଗର ପରିବର୍ତ୍ତନ ଉପରେ ନିରନ୍ତର ନଜର ରଖିବାକୁ କୁହାଯାଇଛି । ଏଥିସହ ସତର୍କ ସୂଚନା ଓ ଆବଶ୍ୟକ ତଥ୍ୟ ତୁରନ୍ତ ଜନସାଧାରଣଙ୍କ ନିକଟରେ ପହଞ୍ଚାଇବା ଉପରେ ଗୁରୁତ୍ୱ ଦିଆଯାଇଛି । ଜିଲ୍ଲାର ସମସ୍ତ ବ୍ଲକ୍‌ରେ କଣ୍ଟ୍ରୋଲ୍ ରୁମ୍ ସ୍ଥାପନ କରି ଜରୁରୀ ପରିସ୍ଥିତିର ତ୍ୱରିତ ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ରହିଛି । ଏଥିସହ ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି । ପୂର୍ବରୁ ଚିହ୍ନଟ ହୋଇଥିବା ସମ୍ବେଦନଶୀଳ ଗ୍ରାମଗୁଡ଼ିକ ଉପରେ ସ୍ୱତନ୍ତ୍ର ନଜର ରଖିବା ସହ ପାଣିପାଗ ବିଭାଗର ସତର୍କ ସୂଚନା ଓ ପରିସ୍ଥିତିର ଗମ୍ଭୀରତାକୁ ଦେଖି ଆବଶ୍ୟକ ପଡ଼ିଲେ ବିଦ୍ୟାଳୟ ଓ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକୁ ଆଶ୍ରୟସ୍ଥଳୀ ଭାବେ ବ୍ୟବହାର ପାଇଁ ପଦକ୍ଷେପ ନିଆଯିବ ବୋଲି ନିଷ୍ପତି ହୋଇଛି । ବିପଦସଙ୍କୁଳ ଅଞ୍ଚଳରେ ରହୁଥିବା ଲୋକଙ୍କୁ ଚିହ୍ନଟ କରି ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବା ନିମନ୍ତେ ଆବଶ୍ୟକ ବ୍ୟବସ୍ଥା କରିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଜରୁରୀକାଳୀନ ସ୍ଥିତିରେ ତୁରନ୍ତ ଉଦ୍ଧାର ଓ ରିଲିଫ୍ କାର୍ଯ୍ୟ ପରିଚାଳନା ପାଇଁ ଜିଲ୍ଲା ଜରୁରୀକାଳୀନ ପରିଚାଳନା କେନ୍ଦ୍ରକୁ ୨୪ ଘଣ୍ଟିଆ ସକ୍ରିୟ ରଖାଯାଇଛି । ବାତ୍ୟା ସମ୍ପର୍କିତ ଯେକୌଣସି ଜରୁରୀ ସୂଚନା ଓ ସହାୟତା ପାଇଁ ଜନସାଧାରଣ, ଦୂରଭାଷା ସଂଖ୍ୟା :୯୪୩୮୭୭୬୩୯୪ କୁ ଯୋଗାଯୋଗ କରିପାରିବେ । ଆବଶ୍ୟକତା ଅନୁଯାୟୀ ଓଡ୍ରାଫ୍, ଅଗ୍ନିଶମ ବିଭାଗ ଟିମ୍‌କୁ ବିପଦ ପ୍ରବଣ ଅଞ୍ଚଳରେ ମୁତୟନ କରି ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି । ସ୍ୱାସ୍ଥ୍ୟସେବାକୁ ସ୍ୱାଭାବିକ ରଖିବା ପାଇଁ ମଧ୍ୟ ସ୍ୱତନ୍ତ୍ର ପ୍ରସ୍ତୁତି ହୋଇଛି । ଜରୁରୀକାଳୀନ ଔଷଧ ଓ ସାପ କାମୁଡ଼ାର ଚିକିତ୍ସା ପାଇଁ ଆଣ୍ଟିଭେନମ୍ ଔଷଧ ପର୍ଯ୍ୟାପ୍ତ ପରିମାଣରେ ମହଜୁଦ ରଖିବା ସହ ହସ୍ପିଟାଲ ଗୁଡ଼ିକରେ କଣ୍ଟ୍ରୋଲ୍ ରୁମ୍ ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ରହିଛି । ବାତ୍ୟା ମୁକାବିଲାରେ ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ, ତ୍ୱରିତ ନିଷ୍ପତ୍ତି ଓ ଠିକ୍ ସମୟରେ ସୂଚନା ପ୍ରସାରଣ ଉପରେ ଅତିରିକ୍ତ ଜିଲ୍ଲାପାଳ ଗୁରୁତ୍ୱାରୋପ କରିଛନ୍ତି । ଜିଲ୍ଲାବାସୀଙ୍କୁ ଆତଙ୍କିତ ନହୋଇ ଧୈର୍ଯ୍ୟ ଓ ସତର୍କତାର ସହ ପରିସ୍ଥିତିର ସାମ୍ନା କରିବାକୁ ସେ ଅନୁରୋଧ କରିଛନ୍ତି । ସମ୍ଭାବ୍ୟ ବାତ୍ୟାର ମୁକାବିଲା ଓ ଜନସାଧାରଣଙ୍କ ସୁରକ୍ଷା ପାଇଁ ଜିଲ୍ଲା ପ୍ରଶାସନ ସମସ୍ତ ପ୍ରକାର ଆଗୁଆ ପ୍ରସ୍ତୁତି କରୁଥିବା ସେ କହିଛନ୍ତି । ଏଥିସହ ସରକାରୀ ସତର୍କ ସୂଚନା ଓ ନିର୍ଦ୍ଦେଶାବଳୀ ପାଳନ କରିବା ସହ ଆବଶ୍ୟକ ସମୟରେ ପ୍ରଶାସନକୁ ସହଯୋଗ କରିବାକୁ ଜିଲ୍ଲାବାସୀଙ୍କୁ ନିବେଦନ କରିଛନ୍ତି ।

Leave A Reply

Your email address will not be published.