jayashree

ସମ୍ଭାବ୍ୟ ବାତ୍ୟା ଆଶଙ୍କା ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତ ଘୁଞ୍ଚିଲା ଅକ୍ଟୋବର ୨୮-୨୯ ପରିବର୍ତ୍ତେ ନଭେମ୍ବର ୪- ୫ରେ ଆସିବେ ରାଷ୍ଟ୍ରପତି ମୁର୍ମୁ

ବାରିପଦା, (ଦେବସ୍ମିତ ଚୌଧୁରୀ) : ସମ୍ଭାବ୍ୟ ବାତ୍ୟା ଆଶଙ୍କା ପାଇଁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମ ସପ୍ତାହେ ଘୁଞ୍ଚିଛି । ଆସନ୍ତା ୨୮ ଓ ୨୯ ତାରିଖ ପରିବର୍ତ୍ତେ ନଭେମ୍ବର ୪ ଓ ୫ ତାରିଖରେ ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି ମୁର୍ମୁ । ରାଷ୍ଟ୍ରପତି ସଚିବାଳୟର ଟୁର୍ ସେକ୍ସନ ପକ୍ଷରୁ ଜାରି ଚିଠିରେ ଏହି ସୂଚନା ଦିଆଯାଇଛି । କାର୍ଯ୍ୟସୂଚୀ ଅନୁଯାୟୀ, ରାଷ୍ଟ୍ରପତି ପଶ୍ଚିମବଙ୍ଗର କଲାଇକୁଣ୍ଡା ଦେଇ ଓଡ଼ିଶାର ରାଇରଙ୍ଗପୁର ଗସ୍ତକୁ ନଭେମ୍ବର ୪ ଓ ୫ ତାରିଖକୁ ଘୁଞ୍ଚାଯାଇଛି । ଗସ୍ତର ସଂଶୋଧିତ କାର୍ଯ୍ୟସୂଚୀ ସମ୍ପର୍କରେ ସମ୍ପୃକ୍ତ ଅଧିକାରୀମାନଙ୍କୁ ଅବଗତ କରାଯାଇଛି । ଜାରି ହୋଇଥିବା ଚିଠିରେ ନଭେମ୍ବର ୪ ରୁ ୫ତାରିଖ ପର୍ଯ୍ୟନ୍ତ ରାଷ୍ଟ୍ରପତିଙ୍କ ଓଡ଼ିଶାର ରାଇରଙ୍ଗପୁର ଏବଂ ପଶ୍ଚିମବଙ୍ଗର କଲାଇକୁଣ୍ଡା ଗସ୍ତ ପରିପ୍ରେକ୍ଷୀରେ ରାସ୍ତା ଯାତ୍ରାର ସମୟ ନିର୍ଦ୍ଧାରଣ ଉପରେ ଗୁରୁତ୍ୱ ଦିଆଯାଇଛି । ନଭେମ୍ବର ୪ ତାରିଖରେ ଦାଣ୍ଡବୋଷ ବିମାନବନ୍ଦରରୁ ଯାତ୍ରା ଆରମ୍ଭ କରି ବହଳଦା ସ୍ଥିତ ମା’ କିଚକେଶ୍ୱରୀ ମନ୍ଦିର, ମାହୁଲଡିହାର ଲକ୍ଷ୍ମୀମଣ୍ଡପ ଏବଂ ରାଇରଙ୍ଗପୁର ସ୍ଥିତ ରାଷ୍ଟ୍ରପତିଙ୍କ ଗୃହକୁ ଯିବାର କାର୍ଯ୍ୟକ୍ରମ ରହିଛି । ଏହାପରେ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟ ଓ ରାଇରଙ୍ଗପୁର କଚେରି ପଡ଼ିଆ ଗସ୍ତ ସହ ହଲିଡେ ହୋମ୍‌କୁ ଯିବେ । ନଭେମ୍ବର ୫ ତାରିଖରେ ରାଇରଙ୍ଗପୁର ସ୍ପୋର୍ଟସ୍ କମ୍ପ୍ଲେକ୍ସ, ବିକାଶ ନଗର ଏବଂ ଗୋରୁମହିଷାଣୀ ଆଇରନ୍ କଲେଜ ସ୍ଥିତ ମଲ୍ଟି ସ୍କିଲ୍ ଡେଭଲପମେଣ୍ଟ ସେଣ୍ଟର ସମେତ ଟାଉନ୍ ହଲ୍ ଗସ୍ତର କାର୍ଯ୍ୟସୂଚୀ ରହିଛି ଏହାପରେ ରାଇରଙ୍ଗପୁର ସ୍ଥିତ ଦାଣ୍ଡବୋଷ ବିମାନ ବନ୍ଦର ଅଭିମୁଖେ ଫେରିବେ । ସେଠାରୁ ରାଷ୍ଟ୍ରପତି ଭବନ ଅଭିମୁଖେ ଯାତ୍ରା କରିବେ । ତେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ କାରକେଡର ସୁଗମ ଓ ସୁରକ୍ଷିତ ଯାତାୟାତ ପାଇଁ ପ୍ରତ୍ୟେକ ରାସ୍ତାର ଦୂରତା, ଯାତ୍ରାରେ ଲାଗିବାକୁ ଥିବା ସମୟ ଏବଂ ରାସ୍ତାର ବାସ୍ତବ ସ୍ଥିତି ଯାଞ୍ଚ ପାଇଁ ନିର୍ଦ୍ଦେଶ ରହିଛି ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ, ପୁଲିସ ଓ ସମ୍ପୃକ୍ତ ବିଭାଗ ଗୁଡ଼ିକ ପକ୍ଷରୁ ରାସ୍ତାଘାଟ, ଯାତାୟାତ ଓ ସୁରକ୍ଷା ବ୍ୟବସ୍ଥାର ସମନ୍ୱୟ ଉପରେ ଗୁରୁତ୍ୱ ଦିଆଯାଉଛି ।

Leave A Reply

Your email address will not be published.