
ଅନୁଗୁଳ : ଅନୁଗୁଳ-ଛେଣ୍ଡିପଦା ୬୩ ନମ୍ବର ରାଜ୍ୟ ରାଜପଥର କଙ୍କରେଇ ନାଳ ନିକଟରେ ଦୁଇଟି ହାଇୱା ମଧ୍ୟରେ ମୁହାଁମୁହିଁ ଧକ୍କା। ଏହି ଦୁର୍ଘଟଣାରେ ଦୁଇଟି ଗାଡ଼ି ଭାଙ୍ଗିରୁଜି ଚୁରମାର ହୋଇଥିବା ବେଳେ ଉଭୟ ଚାଳକ ଗୁରୁତର ଆହତ ହୋଇଛନ୍ତି। ସୂଚନା ଅନୁଯାୟୀ, ବିଳମ୍ବିତ ରାତିରେ ଏକ କୋଇଲା ବୋଝେଇ ହାଇୱା ରାଇଝରଣ ଆଡ଼ୁ ଅନୁଗୁଳ ଅଭିମୁଖେ ଯାଉଥିଲା। ଏହି ସମୟରେ ବିପରୀତ ଦିଗରୁ ଆସୁଥିବା ଏକ ଖାଲି ହାଇୱା ସହ କଙ୍କରେଇ ନାଳ ନିକଟରେ ଏହାର ମୁହାଁମୁହିଁ ଧକ୍କା ହୋଇଥିଲା। ଧକ୍କା ଏତେ ଜୋରଦାର ଥିଲା ଯେ, କୋଇଲା ବୋଝେଇ ହାଇୱାଟି ଖାଲି ହାଇୱାକୁ ପ୍ରାୟ ୧୦୦ ମିଟର ଘୋଷାଡ଼ି ନେଇଥିଲା। ଏଥିରେ ଉଭୟ ଗାଡ଼ି କ୍ଷତିଗ୍ରସ୍ତ ହୋଇଥିଲା। ଦୁର୍ଘଟଣାରେ ଗୁରୁତର ଆହତ ଦୁଇ ଚାଳକଙ୍କୁ ଉଦ୍ଧାର କରାଯାଇ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଖବର ପାଇ ନିଶା ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦୁଇଟି ହାଇୱାକୁ ଜବତ କରିବା ସହ ତଦନ୍ତ ଚଲାଇଛି। ଅନ୍ୟପଟେ, ଏହି ରାସ୍ତାରେ ରାତି ୧୨ଟାରୁ ସକାଳ ୫ଟା ପର୍ଯ୍ୟନ୍ତ କୋଇଲା ଗାଡ଼ି ଚଳାଚଳ କରୁଥିବାରୁ ଦୁର୍ଘଟଣା ଆଶଙ୍କା ବଢ଼ୁଥିବା ଅଭିଯୋଗ ହେଉଛି। ଛେଣ୍ଡିପଦାରୁ ଅନୁଗୁଳ ଜାତୀୟ ରାଜପଥରେ ପହଞ୍ଚିବା ପାଇଁ ଚାଳକଙ୍କ ମଧ୍ୟରେ ଚାଲୁଥିବା ପ୍ରତିଦ୍ୱନ୍ଦ୍ୱିତା ମଧ୍ୟ ଦୁର୍ଘଟଣାର ଅନ୍ୟତମ କାରଣ ବୋଲି କୁହାଯାଉଛି। ସୂଚନା ଅନୁସାରେ, ଗତ ୪୦ ଦିନ ମଧ୍ୟରେ ଏହି ରାସ୍ତାରେ ୧୪ଟି କୋଇଲା ଟ୍ରକ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିସହ ୧୫ରୁ ଅଧିକ ଗାଈଗୋରୁଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଥିବା ଜଣାପଡ଼ିଛି। ଲଗାତାର ଦୁର୍ଘଟଣାକୁ ନେଇ ରାସ୍ତାରେ ସୁରକ୍ଷିତ ଯାତାୟାତ ଓ ନିୟନ୍ତ୍ରିତ ଗାଡ଼ି ଚଳାଚଳକୁ ନେଇ ଚିନ୍ତା ବଢ଼ିଛି।