jayashree

ସୁଧ ଟଙ୍କା ପାଇଁ ଘରେ ପଶି ମହିଳାଙ୍କୁ ମାଡ଼, ୨ ଝିଅଙ୍କୁ ଅପହରଣ ଧମକ

ଭୁବନେଶ୍ୱର : ସୁଧ ଟଙ୍କା ଆଦାୟ ପାଇଁ ଘରେ ପଶି ଆତଙ୍କରାଜ୍‌ । ୫ରୁ ୬ ଜଣ ଯୁବକଙ୍କୁ ସାଙ୍ଗରେ ନେଇ ତିନି ଜଣ ମହିଳାଙ୍କୁ ମାଡ଼ ମାରିବା ସହ ଦୁଇ ଝିଅଙ୍କୁ ଅପହରଣ କରିବାକୁ ଧମକ ଦେଇଥିବା ଜଣେ ମହିଳା ସୁଧ ବେପାରୀଙ୍କ ବିରୋଧରେ ଅଭିଯୋଗ ହୋଇଛି । ଏଭଳି ଘଟଣା ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା ଥାନା ଅନ୍ତର୍ଗତ ଯଶୁଆପୁର ଅଞ୍ଚଳରେ ଚର୍ଚ୍ଚା ସୃଷ୍ଟି କରିଛି । ପୁଲିସ କାର୍ଯ୍ୟାନୁଷ୍ଠାନ ନେଇ ନଥିବା ଅଭିଯୋଗ କରି ପୀଡ଼ିତ ପରିବାର ଭୁବନେଶ୍ୱର ଡିସିପିଙ୍କ ଦ୍ୱାରସ୍ଥ ହୋଇଛନ୍ତି । ସୂଚନା ଅନୁସାରେ, ରାଉରକେଲାର ପୂଜା ଜେନା ଯଶୁଆପୁରରେ ଭଡ଼ାଘରେ ପରିବାର ସହ ରହୁଛନ୍ତି । ସେ ଜଣେ ମହିଳାଙ୍କଠାରୁ ୧୦ ଲକ୍ଷ ଟଙ୍କା ଋଣ ନେଇଥିଲେ । ଋଣର ସୁଧ ଓ ମୂଳ ଟଙ୍କାର କିଛି ଅଂଶ ପରିଶୋଧ କରିଥିବା ବେଳେ ଆଉ କିଛି ଟଙ୍କା ବାକି ରହିଥିଲା। ଅଭିଯୋଗ ଅନୁଯାୟୀ, ଗତ ଦଶହରା ଦିନ ସନ୍ଧ୍ୟାରେ ମହିଳା ସୁଧ ବେପାରୀ ଜଣକ ୫ରୁ ୬ ଜଣ ଯୁବକଙ୍କୁ ଧରି ପୂଜାଙ୍କ ଭଡ଼ାଘରେ ପହଞ୍ଚିଥିଲେ। ଗେଟ୍‌ ଭାଙ୍ଗି ଘର ଭିତରକୁ ପଶିବା ସହ ପାଟିତୁଣ୍ଡ ଓ ଗାଳିଗୁଲଜ କରିଥିଲେ। ଏହାର ପ୍ରତିବାଦ କରିବାରୁ ପୂଜା, ତାଙ୍କ ଶାଶୂ ଓ ଯାଆଙ୍କୁ ମାଡ଼ ମାରିବା ସହ ଚୁଟି ଧରି ତଳେ ଘୋଷାଡ଼ିଥିବା ଅଭିଯୋଗ ହୋଇଛି । ଏଥିସହ ତୁରନ୍ତ ସମସ୍ତ ଟଙ୍କା ପରିଶୋଧ ନକଲେ ପରିବାରର ଦୁଇ ଝିଅଙ୍କୁ ଅପହରଣ କରିନେବାକୁ ଧମକ ଦେଇଥିବା ପୂଜା ଅଭିଯୋଗ କରିଛନ୍ତି। ଘଟଣାକୁ ନେଇ ପୂଜା ବାଲିଅନ୍ତା ଥାନାରେ ଲିଖିତ ଏତଲା ଦେଇଥିଲେ। ଏପରିକି ଘଟଣା ସମୟର ଭିଡିଓ କ୍ଲିପ୍‌ ମଧ୍ୟ ପୁଲିସକୁ ଦିଆଯାଇଥିବା ସେ କହିଛନ୍ତି। ତଥାପି ଅଭିଯୁକ୍ତଙ୍କ ବିରୋଧରେ କୌଣସି ଗିରଫଦାରୀ ହୋଇନଥିବା ଅଭିଯୋଗ କରି ପୂଜା ଆଜି ଭୁବନେଶ୍ୱର ଡିସିପି ଡକ୍ଟର ସର୍ବଣା ବିବେକ ଏମ୍‌ଙ୍କୁ ଭେଟି ନ୍ୟାୟ ଭିକ୍ଷା କରିଛନ୍ତି। ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିବା ସହ ଘଟଣାର ନିରପେକ୍ଷ ତଦନ୍ତ ଦାବି କରିଛି ପୀଡ଼ିତ ପରିବାର। ଏବେ ପୁଲିସର ପରବର୍ତ୍ତୀ ପଦକ୍ଷେପକୁ ଅପେକ୍ଷା।

Leave A Reply

Your email address will not be published.