jayashree

ରାଜଗାଙ୍ଗପୁରରେ ଲଜ୍ଜାଜନକ ଘଟଣା, ୧୩ ବର୍ଷୀୟା ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗରେ ବାପାଙ୍କ ବନ୍ଧୁ ଗିରଫ

ସୁନ୍ଦରଗଡ଼ : ବାପାଙ୍କ ବନ୍ଧୁଙ୍କ ଘରେ ଅସୁରକ୍ଷିତ ହୋଇପଡ଼ିଲା ୧୩ ବର୍ଷୀୟା ନାବାଳିକା। ବିଶ୍ୱାସରେ ବିଷ ଦେଇ ଦୁଇ ଦିନ ଧରି ନାବାଳିକାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ। ଏଭଳି ଏକ ଲଜ୍ଜାଜନକ ଘଟଣା ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ଥାନା ଅଞ୍ଚଳରେ ଘଟିଛି। ଅଭିଯୋଗ ପରେ ପୁଲିସ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସୂଚନା ଅନୁସାରେ, ସୁନ୍ଦରଗଡ଼ ସଦର ଥାନା ଅଞ୍ଚଳର ଜଣେ ନାବାଳିକା ନିଜ ବାପାମାଆଙ୍କ ସହ ରାଜଗାଙ୍ଗପୁରକୁ ଦଶହରା ଯାତ୍ରା ଦେଖିବାକୁ ଯାଇଥିଲେ। ସେଠାରେ ସେମାନେ ବାପାଙ୍କ ଜଣେ ବନ୍ଧୁଙ୍କ ଘରେ ରହିଥିଲେ। ପରେ ବାପାମାଆ ଘରକୁ ଫେରିବା ବେଳେ ସ୍କୁଲ ଛୁଟି ଥିବାରୁ ନାବାଳିକା ଜଣକ ଆଉ ଦୁଇ ଦିନ ସେଠାରେ ରହିବାକୁ ରାଜି ହୋଇଥିଲେ। ଅଭିଯୋଗ ଅନୁଯାୟୀ, ଏହି ସମୟରେ ଅଭିଯୁକ୍ତ ନାବାଳିକାଙ୍କୁ ଦୁଇ ରାତି ଧରି ଦୁଷ୍କର୍ମ କରିଥିଲେ। ଭୟ ଓ ଲଜ୍ଜା ଯୋଗୁଁ ପ୍ରଥମେ ନାବାଳିକା ଜଣକ କାହାକୁ କିଛି କହିପାରି ନଥିଲେ। ପରେ ଯନ୍ତ୍ରଣା ଅସହ୍ୟ ହେବାରୁ ସେ ବାପାମାଆଙ୍କୁ ସମସ୍ତ ଘଟଣା ଜଣାଇଥିଲେ। ଏହାପରେ ନାବାଳିକାଙ୍କ ବାପାମାଆ ରାଜଗାଙ୍ଗପୁର ଥାନାରେ ଏତଲା ଦେଇଥିଲେ। ଅଭିଯୋଗ ଆଧାରରେ ପୁଲିସ ତତ୍ପରତା ପ୍ରକାଶ କରି ଅଭିଯୁକ୍ତଙ୍କୁ ଗିରଫ କରିଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ତୀବ୍ର ଆଲୋଡ଼ନ ସୃଷ୍ଟି କରିଛି।

Leave A Reply

Your email address will not be published.