
ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ସ୍ଥିତ ନେହେରୁ ଖେଳପଡ଼ିଆରେ ଦେଓଗାଁ କ୍ରିକେଟ ସଂଘ ପକ୍ଷରୁ ପ୍ରଥମ ସର୍ବଭାରତୀୟ କ୍ରିକେଟ ପ୍ରତିଯୋଗିତା ବୁଧବାର ଦିନ ଉଦ୍ଘାଟନ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ବଲାଙ୍ଗିର ବିଧାୟକ କଳିକେଶ ନାରାୟଣ ସିଂହଦେଓ, ଦେଓଗାଁ ବ୍ଲକ୍ ଅଧ୍ୟକ୍ଷ ଦୟାନିଧି ଖମାରୀ, ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ ଲକ୍ଷ୍ମଣ ମେହେର, ମୁକୁନ୍ଦପୁର ସମିତି ସଭ୍ୟ ଅଭିମନ୍ୟୁ ମାଝୀ, ବିଜେଡି ଯୁବନେତା ଶୈଳେନ୍ଦ୍ର ସାହୁ, ଯୁବ ନେତା ଅନ୍ତର୍ଯ୍ୟାମୀ ଭୋଇ, ଅତିବିକାଶ ବାରିକ, ହିତେଶ ଦଳାଇ ପ୍ରମୁଖ ଉପସ୍ଥିତ ରହି ଏହି ପ୍ରତିଯୋଗିତାକୁ ଉଦ୍ଘାଟନ କରିଥିଲେ । ସେହିପରି ଆଜିର କ୍ୱାର୍ଟର ଫାଇନାଲ ମ୍ୟାଚ ଅବସରରେ ବିଜେପି ନେତା ତଥା ପୂର୍ବତନ ବିଧାୟକ ପ୍ରାର୍ଥୀ ଅନନ୍ତ ଦାସ ଏବଂ ବିଦ୍ୟୁସ୍ମିତା ଦାସ ଯୋଗ ଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ । ଦେଓଗାଁ କ୍ରିକେଟ ସଂଘ ପକ୍ଷରୁ ଆୟୋଜିତ ଏହି କ୍ରିକେଟ ପ୍ରତିଯୋଗିତାରେ ରାଜ୍ୟ ତଥା ରାଜ୍ୟ ବାହାରର ୧୬ଟି ଦଳ ଅଂଶଗ୍ରହଣ କରିବେ । ବୁଧବାର ଦିନ ଉଦ୍ଘାଟନୀ ଦିବସର ପ୍ରଥମ ଲିଗ୍ ମ୍ୟାଚ ଏବି ବିହାର ଫ୍ୟାମିଲୀ ଏବଂ ବୁଲେଟ୍ ଏକାଦଶ ଜରାସିଂହା ମଧ୍ୟରେ ଅନୁଷ୍ଠିତ ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ଜରାସିଂହା ଦଳ ନିର୍ଦ୍ଧାରିତ ୮ଓଭରରେ ୫୯ ରନ୍ କରିଥିବା ବେଳେ ବିପକ୍ଷ ଦଳ ୫.୩ଓଭରରେ ଲକ୍ଷ୍ୟ ପୂରଣ କରି ବିଜୟୀ ହୋଇଥିଲା । ସେହିପରି ହ୍ୟାପି କ୍ଲବ୍ ବଲାଙ୍ଗିର ଏବଂ ଚୈତନ୍ ଏକାଦଶ ନୂଆପଡ଼ା ମଧ୍ୟରେ ହୋଇଥିବା ଆଜିର ଦ୍ୱିତୀୟ ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ବଲାଙ୍ଗିର ଦଳ ନିର୍ଦ୍ଧାରିତ ୮ ଓଭରରେ ୩ୱିକେଟ୍ ବିନିମୟରେ ୧୧୫ରନ୍ କରିଥିବା ବେଳେ ବିପକ୍ଷ ନୂଆପଡ଼ା ଦଳ ମାତ୍ର ୭୧ରନ୍ କରିବାକୁ ସକ୍ଷମ ହୋଇଥିବାରୁ ୪୪ ରନର ବଡ ବିଜୟ ପାଇଥିଲା ହ୍ୟାପି କ୍ଲବ୍ ବଲାଙ୍ଗିର । ଆଜିର ଉଭୟ ଲିଗ୍ ମ୍ୟାଚର ବିଜୟୀ ଦଳ ଏବି ବିହାର ଦଳ ଓ ହ୍ୟାପି କ୍ଲବ୍ ବଲାଙ୍ଗିର ମଧ୍ୟରେ ଅନୁଷ୍ଠିତ ପ୍ରଥମ କ୍ୱାର୍ଟର ଫାଇନାଲ ମ୍ୟାଚରେ ବଲାଙ୍ଗିର ଦଳ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୮ ଓଭରରେ ୬୬ରନ୍ କରିଥିବା ବେଳେ ୪.୪ ଓଭରରେ ଲକ୍ଷ୍ୟ ପୂରଣ କରି ବିଜୟୀ ହେବା ସହ ପ୍ରତିଯୋଗିତାର ପ୍ରଥମ ସେମିଫାଇନାଲରେ ପ୍ରବେଶ କରିଛି । ଆଜିର ଖେଳଗୁଡିକୁ ସପନ ଅଗ୍ରୱାଲ, ଅନନ୍ତ ମଲ୍ଲିକ ପରିଚାଳନା କରିଥିବା ବେଳେ ପରିଚାଳନା କମିଟିର ସଭ୍ୟମାନେ ପ୍ରମୁଖ ସହଯୋଗ କରିଥିଲେ ।