jayashree

ମା’ ଦୁର୍ଗାଙ୍କ ବିସର୍ଜନ ଶୋଭାଯାତ୍ରାରେ ଅଘଟଣ : ବିଦ୍ୟୁତ୍ ଆଘାତରେ ୩ ମୃତ, ୧୦ରୁ ଅଧିକ ଆହତ

ଉତ୍ତରପ୍ରଦେଶ : ମା’ ଦୁର୍ଗାଙ୍କୁ ମେଲାଣି ଦେବାକୁ ଚାଲିଥିଲା ବିରାଟ ଶୋଭାଯାତ୍ରା । ଭକ୍ତିମୟ ପରିବେଶରେ ମା’ଙ୍କ ପ୍ରତିମାକୁ ଟ୍ରାକ୍ଟର-ଟ୍ରଲିରେ ନିଆଯାଉଥିବା ବେଳେ ଘଟିଲା ଭୟଙ୍କର ଅଘଟଣ । ଟ୍ରଲିରେ ଲାଗିଥିବା ଲୁହା ରଡ୍‌ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସିବାରୁ ଚାଲିଗଲା ୩ ଜଣଙ୍କ ଜୀବନ । ଏହି ଦୁର୍ଘଟଣାରେ ୧୦ରୁ ଅଧିକ ଲୋକ ଆହତ ହୋଇଥିବା ଖବର ମିଳିଛି । ଏଭଳି ଦୁଃଖଦ ଘଟଣା ଉତ୍ତରପ୍ରଦେଶର ଗୋରଖପୁର ଜିଲ୍ଲା ଅନ୍ତର୍ଗତ ଗୁଲରିହା ଥାନା ଅଞ୍ଚଳର ଜଙ୍ଗଲ ଅଯୋଧ୍ୟା ପ୍ରସାଦରେ ଘଟିଛି । ସୂଚନା ଅନୁଯାୟୀ, ଦୁର୍ଗାପୂଜା ଶେଷ ହେବା ପରେ ମା’ଙ୍କ ପ୍ରତିମା ବିସର୍ଜନ ପାଇଁ ଏକ ବିରାଟ ଶୋଭାଯାତ୍ରା ବାହାରିଥିଲା । ମା’ଙ୍କ ପ୍ରତିମାକୁ ଏକ ଟ୍ରାକ୍ଟର-ଟ୍ରଲିରେ ନିଆଯାଉଥିଲା । ତେବେ ଟ୍ରଲିରେ ଲାଗିଥିବା ଲମ୍ବା ଲୁହା ରଡ୍‌ଟି ରାସ୍ତାରେ ଯିବା ସମୟରେ ଉପରେ ଥିବା ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସିଯାଇଥିଲା । ଫଳରେ ହଠାତ୍ ବିଦ୍ୟୁତ୍ ଆଘାତ ଲାଗି ଶୋଭାଯାତ୍ରାରେ ଉପସ୍ଥିତ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା । ଏହି ଅଘଟଣରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୦ରୁ ଅଧିକ ଆହତଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଛି । ଘଟଣା ସମ୍ପର୍କରେ ଖବର ପାଇ ପୋଲିସ ଓ ପ୍ରଶାସନିକ ଅଧିକାରୀମାନେ ତୁରନ୍ତ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଥିଲେ । ମା’ଙ୍କ ବିସର୍ଜନ ଶୋଭାଯାତ୍ରା ସମୟରେ ଏଭଳି ଅଘଟଣ କିପରି ଘଟିଲା ଏବଂ ଏଥିପାଇଁ କେଉଁ ପରିସ୍ଥିତି ଦାୟୀ, ସେନେଇ ପୋଲିସ ତଦନ୍ତ ଜାରି ରଖିଛି । ମା’ଙ୍କୁ ଭକ୍ତିଭାବରେ ବିଦାୟ ଦେବାର ଉତ୍ସବ ମୁହୂର୍ତ୍ତ ଅଚାନକ ଶୋକରେ ପରିଣତ ହୋଇଯିବା ଘଟଣା ସମଗ୍ର ଅଞ୍ଚଳରେ ଦୁଃଖର ପରିବେଶ ସୃଷ୍ଟି କରିଛି ।

Leave A Reply

Your email address will not be published.