
ଭୁବନେଶ୍ୱର, (କେପିଏନ୍ଏସ୍) : ଆଜି ପୂର୍ବାହ୍ନରେ ରାଜ୍ୟ ପୋଲିସ ମୁଖ୍ୟାଳୟ ପରିସରରେ ୬୭ତମ ପୋଲିସ ଶହୀଦ ସ୍ମୃତି ଦିବସ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଆୟୋଜିତ ଏକ ସ୍ଵତନ୍ତ୍ର ଉତ୍ସବରେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ବିନୟତୋଷ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଦେଶ ତଥା ମାତୃଭୂମିର ସୁରକ୍ଷା ଓ ସମ୍ମାନ ପାଇଁ କର୍ମକ୍ଷେତ୍ରରେ ଶହୀଦ ହୋଇଥିବା ବୀର ମାନଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଏହାସହ ବୀର ଶହୀଦଙ୍କ ପରିବାରବର୍ଗ ପ୍ରତି ମଧ୍ୟ ସମବେଦନା ଜ୍ଞାପନ କରିଛନ୍ତି । ଏହି ପରିପ୍ରେକ୍ଷୀରେ ରାଜ୍ୟ ଆରକ୍ଷୀ ବାହିନୀ ତରଫରୁ ବୀର ଶହୀଦମାନଙ୍କ ପ୍ରତି ଆନୁଷ୍ଠାନିକ ଶୋକଶସ୍ତ୍ର ପ୍ରଦର୍ଶନ କରିବା ସହ ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରାଯିବା ସହ ସମ୍ମାନ ପ୍ରଦର୍ଶନ କରାଯାଇଥିଲା । ଏହି ଅବସରରେ ଡିଜିପି ଶ୍ରୀ ମିଶ୍ର କହିଥିଲେ ଯେ, ୧୯୫୯ ମସିହା ଅକ୍ଟୋବର ୨୧ ତାରିଖରେ ଲଦାଖ ଅଞ୍ଚଳରେ ଚୀନ ସୈନ୍ୟଙ୍କ ସହ ଲଢ଼େଇ କରି ୧୦ ଜଣ ସିଆରପିଏଫ୍ ଯବାନ ଶହୀଦ ହୋଇଥିଲେ । ସେହି ବୀର ଯବାନଙ୍କ ଅଦମ୍ୟ ସାହସ ଓ ସର୍ବୋଚ୍ଚ ବଳିଦାନର ସ୍ମୃତିରେ ପ୍ରତିବର୍ଷ ଅକ୍ଟୋବର ୨୧ ତାରିଖରେ ସମଗ୍ର ଦେଶରେ ପୋଲିସ ଶହୀଦ ସ୍ମୃତି ଦିବସ ପାଳନ କରାଯାଉଛି । ଚଳିତ ବର୍ଷ ଦେଶର ବିଭିନ୍ନ ରାଜ୍ୟ ପୋଲିସ ଓ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବଳର ୧୫୪ ଜଣ ଯବାନ କର୍ତ୍ତବ୍ୟ ସମ୍ପାଦନ ସମୟରେ ପ୍ରାଣବଳି ଦେଇଛନ୍ତି। ଡିଜିପି ଅମର ଶହୀଦଙ୍କ ଅତୁଳନୀୟ ତ୍ୟାଗ ଓ କର୍ତ୍ତବ୍ୟନିଷ୍ଠାକୁ ସ୍ମରଣ କରିବା ସହ ସେମାନଙ୍କ ବଳିଦାନ ସମଗ୍ର ପୋଲିସ ବାହିନୀ ପାଇଁ ଚିରକାଳ ପ୍ରେରଣାର ଉତ୍ସ ହୋଇ ରହିବ ବୋଲି ମତବ୍ୟକ୍ତ କରିଥିଲେ । ଓଡ଼ିଶାରେ ମାଓବାଦୀ ବିରୋଧୀ ଅଭିଯାନ ସମୟରେ ଶହୀଦ ହୋଇଥିବା ଓଡ଼ିଶା ପୋଲିସ ଏବଂ ଅର୍ଦ୍ଧସାମରିକ ବାହିନୀର ବୀର ଯବାନମାନଙ୍କ ବଳିଦାନକୁ ସ୍ମରଣ କରି ଡିଜିପି ସେମାନଙ୍କ ପ୍ରତି ଗଭୀର ସମ୍ମାନ ଜଣାଇଥିଲେ । ସେମାନଙ୍କ ସାହସ, ତ୍ୟାଗ ଓ ନିରନ୍ତର ପ୍ରୟାସ ଯୋଗୁଁ ରାଜ୍ୟରେ ମାଓବାଦୀ ହିଂସାର ମୁକାବିଲା କରି ଶାନ୍ତି ପ୍ରତିଷ୍ଠା ସମ୍ଭବ ହୋଇଛି । ଏହି ବୀର ଯବାନଙ୍କ ପରିବାରବର୍ଗଙ୍କ ତ୍ୟାଗ ଓ ଧୈର୍ଯ୍ୟକୁ ସେ ସମ୍ମାନ ଜଣାଇଥିଲେ । ଡିଜିପି କହିଥିଲେ ଯେ, ବର୍ତ୍ତମାନ ପୋଲିସର ଦାୟିତ୍ୱ କେବଳ ଅପରାଧ ନିୟନ୍ତ୍ରଣରେ ସୀମିତ ନୁହେଁ । ଆତଙ୍କବାଦ, ମାଓବାଦ, ସଂଗଠିତ ଅପରାଧ, ସାଇବର ଅପରାଧ ଓ ନିଶାଦ୍ରବ୍ୟ ଚୋରାଚାଲାଣର ମୁକାବିଲା ସହ ମହିଳା ଓ ଶିଶୁଙ୍କ ସୁରକ୍ଷା, ଟ୍ରାଫିକ୍ ନିୟନ୍ତ୍ରଣ ଏବଂ ଆଇନଶୃଙ୍ଖଳା ରକ୍ଷା ଭଳି ଅନେକ ଆହ୍ୱାନର ସାମ୍ନା କରିବାକୁ ପଡ଼ୁଛି । ଏସବୁ କ୍ଷେତ୍ରରେ ସଫଳତା ପାଇଁ ପୋଲିସ କର୍ମଚାରୀଙ୍କ ଦକ୍ଷତା ବୃଦ୍ଧି, ଆଧୁନିକ ଜ୍ଞାନକୌଶଳର ଉପଯୋଗ ଓ ନିରନ୍ତର ପ୍ରଶିକ୍ଷଣ ଉପରେ ଗୁରୁତ୍ୱ ଦିଆଯାଉଛି ବୋଲି ମତବ୍ୟକ୍ତ କରିଥିଲେ । ଏକ ସୁରକ୍ଷିତ, ଶାନ୍ତିପୂର୍ଣ୍ଣ ଓ ଅପରାଧମୁକ୍ତ ଓଡ଼ିଶା ଗଠନ ପାଇଁ ସମସ୍ତ ପୋଲିସ ଅଧିକାରୀ ଓ କର୍ମଚାରୀ ସଚ୍ଚୋଟତା, ସାହସ ଓ ନିଷ୍ଠାର ସହ କାର୍ଯ୍ୟ କରିବା ସହ ଜନସାଧାରଣଙ୍କ ଆସ୍ଥା ଓ ବିଶ୍ୱାସ ଅର୍ଜନ କରିବାକୁ ସେ ଆହ୍ୱାନ ଜଣାଇଥିଲେ । ଉଲ୍ଲେଖଯୋଗ୍ୟ ଯେ, ଚଳିତ ବର୍ଷ ଆନ୍ଧ୍ରପ୍ରଦେଶର ୧, ଅରୁଣାଚଳ ପ୍ରଦେଶର ୧, ଆସାମର ୬, ବିହାରର ୧୨, ଛତିଶଗଡର ୬, ଗୁଜୁରାଟର ୨, ହରିୟାନାର ୪, ଝାଡ଼ଖଣ୍ଡର ୩, କର୍ଣ୍ଣାଟକର ୫, କେରଳମ୍ର ୧, ମଧ୍ୟପ୍ରଦେଶର ୯, ମହାରାଷ୍ଟ୍ରର ୨, ମଣିପୁରର ୧, ପଞ୍ଜାବର ୨, ରାଜସ୍ଥାନର ୫, ତାମିଲନାଡୁର ୬, ତେଲେଙ୍ଗାନାର ୪, ଉତ୍ତରପ୍ରଦେଶର ୬, ଉତ୍ତରାଖଣ୍ଡର ୧, ପଶ୍ଚିମବଙ୍ଗର ୫, ଦିଲ୍ଲୀର ୩, ଜାମ୍ମୁ ଓ କାଶ୍ମୀରର ୯, ଆସାମ ରାଇଫଲର ୬, ବିଏସ୍ଏଫ୍ର ୨୫, ସିଆଇଏସ୍ଏଫ୍ର ୪, ସିଆରପିଏଫ୍ର ୨, ଆଇଟିବିପିର ୯, ଏସ୍ଏସ୍ବିର ୫, ଅଗ୍ନିଶମ ସେବା, ସିଭିଲ୍ ଡିଫେନ୍ସ ଓ ହୋମ୍ଗାର୍ଡର ୧ ଏବଂ ଆରପିଏଫ୍ର ୮ ଜଣ ଶହୀଦ ହୋଇଛନ୍ତି । ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ମୁଖ୍ୟାଳୟ) ପ୍ରତୀକ ମହାନ୍ତିଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ପୋଲିସ ଶହୀଦ ସ୍ମୃତି ଦିବସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ନିର୍ଦ୍ଦେଶକ (ଗୁଇନ୍ଦା) ଆର. ପି. କୋଚେ, ନିର୍ଦ୍ଦେଶକ (ଭିଜିଲାନ୍ସ) ୟଶବନ୍ତ କୁମାର ଜେଠୱା, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ଆଧୁନୀକିକରଣ) ଏସ. କେ. ପ୍ରିୟଦର୍ଶୀ, ନିର୍ଦ୍ଦେଶକ (ଏସ୍ଏଫ୍ଏସ୍ଏଲ୍) ଡ. ସନ୍ତୋଷ ବାଲା, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ରେଳବାଇ ଏବଂ ଉପକୂଳ ସୁରକ୍ଷା) ଅରୁଣ ବୋଥ୍ରା, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ଭିଜିଲାନ୍ସ) ଅସୀତ କୁମାର ପାଣିଗ୍ରାହୀ, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ(ଆଇନ ଓ ଶୃଙ୍ଖଳା) ସଞ୍ଜୟ କୁମାର, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ଏସଏପି) ରାଜେଶ କୁମାର, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ଏଚ୍ଆର୍ପିସି) ୟତୀନ୍ଦ୍ର କୋୟଲଙ୍କ ସମେତ ପୋଲିସ ବିଭାଗର ବହୁ ବରିଷ୍ଠ ପୋଲିସ ଅଧିକାରୀ ଉପସ୍ଥିତ ରହି ଶହୀଦ ବୀର ଯବାନ ମାନଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।