
ବୀରମିତ୍ରପୁର : ମଦ୍ୟପାନ ପରେ ଘରୋଇ କଳହରୁ ଘଟିଲା ଭୟଙ୍କର ହତ୍ୟାକାଣ୍ଡ । କାକାଙ୍କ ଟାଙ୍ଗିଆ ଆକ୍ରମଣରେ ପୁତୁରାର ମୃତ୍ୟୁ ହୋଇଛି । ଏଭଳି ଏକ ଚାଞ୍ଚଲ୍ୟକର ଘଟଣା ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁର ଥାନା ଅନ୍ତର୍ଗତ ଜଲଙ୍ଗବିରା ପଞ୍ଚାୟତର ହାଡ୍ରାଟୋଲି ଗ୍ରାମରେ ଘଟିଛି । ମୃତକ ହେଲେ ୪୦ ବର୍ଷୀୟ ଏତୁଆ କୁଜୁର । ଏହି ଘଟଣାରେ ଅଭିଯୁକ୍ତ କାକା ସାନିଆ କୁଜୁରଙ୍କୁ ପୁଲିସ ଗିରଫ କରିଛି । ସୂଚନା ଅନୁଯାୟୀ, ୪୫ ବର୍ଷୀୟ ସାନିଆ କୁଜୁରଙ୍କ କୌଣସି ସନ୍ତାନ ନଥିବାରୁ ସେ ନିଜ ପୁତୁରା ଏତୁଆଙ୍କୁ ପୋଷ୍ୟପୁତ୍ର ଭାବେ ଘରେ ରଖିଥିଲେ । ତେବେ ଏତୁଆଙ୍କ ମଦ୍ୟପାନ ଅଭ୍ୟାସକୁ ନେଇ ଉଭୟଙ୍କ ମଧ୍ୟରେ ପ୍ରାୟତଃ ଝଗଡ଼ା ହେଉଥିଲା । ଗତକାଲି ରାତିରେ ଉଭୟ ମଦ୍ୟପାନ କରିଥିବା ବେଳେ ଦୁଇ ଜଣଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ଏଥିରେ ଉତ୍ତ୍ୟକ୍ତ ହୋଇ ସାନିଆ ଘରେ ଥିବା ଏକ ଟାଙ୍ଗିଆରେ ଏତୁଆଙ୍କ ମୁଣ୍ଡ ଓ ବେକକୁ ଆକ୍ରମଣ କରିଥିଲେ ଫଳରେ ଘଟଣାସ୍ଥଳରେ ହିଁ ଏତୁଆଙ୍କ ମୃତ୍ୟୁ ହୋଇଥିଲା । ଖବର ପାଇ ବୀରମିତ୍ରପୁର ପୁଲିସ ଉପଖଣ୍ଡ ଅଧିକାରୀ ପୁଷ୍ପେନ୍ଦୁ ସାଗର, ଥାନା ଅଧିକାରୀ ଦିନେଶ କୁମାର ପଟ୍ଟାଙ୍କ ସମେତ ପୁଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିଲେ। ପୁଲିସ ଅଭିଯୁକ୍ତ ସାନିଆ କୁଜୁରଙ୍କୁ ଗିରଫ କରିବା ସହ ଘଟଣାର ତଦନ୍ତ ପାଇଁ ସାଇଣ୍ଟିଫିକ୍ ଟିମ୍କୁ ଡକାଇଛି । ମଦ୍ୟପାନରୁ ଆରମ୍ଭ ହୋଇଥିବା ଏହି ଘରୋଇ କଳହ ଶେଷରେ ହତ୍ୟାକାଣ୍ଡର ରୂପ ନେଇଥିବାରୁ ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି।