
ଭୁବନେଶ୍ୱର : ଦେଶର ସୁରକ୍ଷା ଓ ଜନସାଧାରଣଙ୍କ ସେବା ପାଇଁ ପ୍ରାଣବଳି ଦେଇଥିବା ବୀର ପୁଲିସ ଯବାନଙ୍କୁ ମନେ ପକାଇଛି ଓଡ଼ିଶା ପୁଲିସ। ଏହି ଅବସରରେ ଭୁବନେଶ୍ୱରସ୍ଥିତ ରାଜ୍ୟ ପୁଲିସ ମୁଖ୍ୟାଳୟରେ ୬୭ତମ ପୁଲିସ ଶହୀଦ ସ୍ମୃତି ଦିବସ ପାଳିତ ହୋଇଛି। କାର୍ଯ୍ୟକ୍ରମରେ ପୁଲିସ ମହାନିର୍ଦ୍ଦେଶକ ବିନୟତୋଷ ମିଶ୍ର ଯୋଗଦେଇ ଅମର ଶହୀଦଙ୍କ ସ୍ମୃତିଚାରଣ କରିବା ସହ ସେମାନଙ୍କ ବଳିଦାନକୁ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । କାର୍ଯ୍ୟକ୍ରମରେ ଶହୀଦ ଯବାନଙ୍କ ସମ୍ମାନାର୍ଥେ ଆନୁଷ୍ଠାନିକ ଶୋକଶସ୍ତ୍ର ପ୍ରଦର୍ଶନ କରାଯିବା ସହ ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା । ଶହୀଦଙ୍କ ପରିବାର ବର୍ଗଙ୍କ ତ୍ୟାଗ, ଧୈର୍ଯ୍ୟ ଓ ସହନଶୀଳତାକୁ ମଧ୍ୟ ଡିଜିପି ସମ୍ମାନ ଜଣାଇଥିଲେ । ୧୯୫୯ ମସିହା ଅକ୍ଟୋବର ୨୧ରେ ଲଦାଖରେ ଚୀନ ସୈନ୍ୟଙ୍କ ସହ ସଂଘର୍ଷରେ ୧୦ ଜଣ ସିଆରପିଏଫ୍ ଯବାନ ଶହୀଦ ହୋଇଥିଲେ । ସେହି ବୀର ଯବାନଙ୍କ ସାହସ ଓ ସର୍ବୋଚ୍ଚ ବଳିଦାନକୁ ସ୍ମରଣ କରି ପ୍ରତିବର୍ଷ ଅକ୍ଟୋବର ୨୧ରେ ସାରା ଦେଶରେ ପୁଲିସ ଶହୀଦ ସ୍ମୃତି ଦିବସ ପାଳନ କରାଯାଉଛି । ଚଳିତ ବର୍ଷ ଦେଶର ବିଭିନ୍ନ ରାଜ୍ୟ ପୁଲିସ ଓ କେନ୍ଦ୍ରୀୟ ସଶସ୍ତ୍ର ପୁଲିସ ବଳର ମୋଟ ୧୫୪ ଜଣ ଯବାନ କର୍ତ୍ତବ୍ୟ ସମ୍ପାଦନ ସମୟରେ ଶହୀଦ ହୋଇଛନ୍ତି। ସେମାନଙ୍କ ନିଷ୍ଠା, ସାହସ ଓ ଆତ୍ମବଳିଦାନ ସମଗ୍ର ପୁଲିସ ବାହିନୀ ପାଇଁ ସବୁଦିନ ପ୍ରେରଣା ହୋଇ ରହିବ ବୋଲି ଡିଜିପି କହିଥିଲେ । ଓଡ଼ିଶାରେ ମାଓବାଦୀ ବିରୋଧୀ ଅଭିଯାନ ସମୟରେ ପ୍ରାଣ ହରାଇଥିବା ପୁଲିସ ଓ ଅର୍ଦ୍ଧସାମରିକ ବାହିନୀର ଯବାନଙ୍କୁ ମଧ୍ୟ ଶ୍ରଦ୍ଧାର ସହ ସ୍ମରଣ କରାଯାଇଥିଲା । ସେମାନଙ୍କ ସାହସ ଓ ତ୍ୟାଗ ଯୋଗୁଁ ରାଜ୍ୟରେ ମାଓବାଦୀ ହିଂସାର ମୁକାବିଲା ଏବଂ ଶାନ୍ତି ପ୍ରତିଷ୍ଠା ଦିଗରେ ଗୁରୁତ୍ୱପୂର୍ଣ୍ଣ ସଫଳତା ମିଳିଛି ବୋଲି ଡିଜିପି ମତ ପ୍ରକାଶ କରିଥିଲେ । ଏଥିସହ ବର୍ତ୍ତମାନର ପୁଲିସ ବ୍ୟବସ୍ଥା ସମ୍ମୁଖରେ ଥିବା ଆହ୍ୱାନଗୁଡ଼ିକ ଉପରେ ଆଲୋକପାତ କରିଥିଲେ ଡିଜିପି । ଆତଙ୍କବାଦ, ମାଓବାଦ, ସଂଗଠିତ ଅପରାଧ, ସାଇବର ଅପରାଧ, ନିଶାଦ୍ରବ୍ୟ ଚୋରାଚାଲାଣ ଓ ମହିଳା ଏବଂ ଶିଶୁଙ୍କ ସୁରକ୍ଷା ଭଳି କ୍ଷେତ୍ରରେ ପୁଲିସକୁ ଅଧିକ ସତର୍କ ଓ ଦକ୍ଷ ହେବାକୁ ପଡ଼ିବ। ଏଥିପାଇଁ ଆଧୁନିକ ଜ୍ଞାନକୌଶଳର ବ୍ୟବହାର, ନିୟମିତ ପ୍ରଶିକ୍ଷଣ ଓ କର୍ମଚାରୀଙ୍କ ଦକ୍ଷତା ବୃଦ୍ଧି ଉପରେ ଗୁରୁତ୍ୱ ଦିଆଯାଉଛି । ଏକ ସୁରକ୍ଷିତ, ଶାନ୍ତିପୂର୍ଣ୍ଣ ଓ ଅପରାଧ ମୁକ୍ତ ଓଡ଼ିଶା ଗଠନ ପାଇଁ ସମସ୍ତ ପୁଲିସ ଅଧିକାରୀ ଓ କର୍ମଚାରୀ ସଚ୍ଚୋଟତା, ସାହସ ଓ ନିଷ୍ଠାର ସହ କାର୍ଯ୍ୟ କରିବା ସହ ଜନସାଧାରଣଙ୍କ ଆସ୍ଥା ଜିତିବାକୁ ଡିଜିପି ଆହ୍ୱାନ ଦେଇଥିଲେ । ଅତିରିକ୍ତ ଡିଜିପି ପ୍ରତୀକ ମହାନ୍ତିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଏହି ସ୍ମୃତି ସମାରୋହରେ ପୁଲିସ ବିଭାଗର ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ରହି ଶହୀଦ ଯବାନଙ୍କ ପ୍ରତି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ ।