
ରାଉରକେଲା : ଜମିଜମା ବିବାଦକୁ ନେଇ ରକ୍ତାକ୍ତ ସଂଘର୍ଷ । ଦାଦାର ତୀରମାଡ଼ରେ ଗୁରୁତର ହେଲେ ଝିଆରୀ । ତୀର ଆସି ସିଧା ପେଟରେ ବାଜିବାରୁ ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ସରକାରୀ ଡାକ୍ତରଖାନା ଓ ପରେ ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ଏଭଳି ଘଟଣା ରାଉରକେଲାର ବନ୍ଧମୁଣ୍ଡା ଥାନା ଅନ୍ତର୍ଗତ ଦଳପୋଷ ଗାଁରେ ଘଟିଛି । ଗୁରୁତର ମହିଳା ହେଉଛନ୍ତି ରଜନୀ ଟପ୍ପୋ । ସୂଚନା ଅନୁସାରେ, ରଜନୀ କିଛି ଦିନ ହେଲା ନିଜ ବାପଘର ଦଳପୋଷ ଗାଁକୁ ଆସିଥିଲେ । ଆଜି ଜମିଜମା ବିବାଦକୁ କେନ୍ଦ୍ର କରି ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଏହି ସମୟରେ ଉତ୍ତ୍ୟକ୍ତ ହୋଇ ତାଙ୍କ ଦାଦା ଲକ୍ଷ୍ମଣ ଓରାମ ତୀରମାଡ଼ କରିଥିବା ଅଭିଯୋଗ ହୋଇଛି । ତୀରଟି ରଜନୀଙ୍କ ପେଟରେ ବାଜିବାରୁ ସେ ଗୁରୁତର ହୋଇପଡ଼ିଥିଲେ । ପରିବାର ଲୋକେ ତୁରନ୍ତ ତାଙ୍କୁ ରାଉରକେଲା ସରକାରୀ ଡାକ୍ତରଖାନାକୁ ନେଇଥିଲେ । ପରେ ତାଙ୍କୁ ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ଅନ୍ୟପଟେ, ଅଭିଯୁକ୍ତ ଲକ୍ଷ୍ମଣ ଓରାମଙ୍କୁ ବନ୍ଧମୁଣ୍ଡା ପୋଲିସ ଅଟକ ରଖି ଘଟଣାର ତଦନ୍ତ ଚଳାଇଛି । ଜମିଜମା ବିବାଦରୁ ଘଟିଥିବା ଏହି ହିଂସାକାଣ୍ଡକୁ ନେଇ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି ।