jayashree

ଦଶହରାରେ ମା’ ସୁରେଶ୍ୱରୀ ଓ ମା’ ଭଗବତୀଙ୍କ ରାଜରାଜେଶ୍ୱରୀ ବେଶ ଅନୁଷ୍ଠିତ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ପବିତ୍ର ଦଶହରା ଅବସରରେ ଦେବଭୂମି ସୁବର୍ଣ୍ଣପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସୁରେଶ୍ୱରୀଙ୍କ ସମେତ ମା’ ଭଗବତୀ ରାଜରାଜେଶ୍ୱରୀ ବେଶରେ ସଜ୍ଜିତ ହୋଇ ଭକ୍ତମାନଙ୍କୁ ଦିବ୍ୟ ଦର୍ଶନ ଦେଇଛନ୍ତି । ବିଭିନ୍ନ ପ୍ରକାରର ସ୍ୱର୍ଣ୍ଣ ଅଳଙ୍କାରରେ ବିଭୂଷିତ ମା’ଙ୍କ ମନୋହର ରୂପ ଭକ୍ତମାନଙ୍କ ମନରେ ଅପୂର୍ବ ଭକ୍ତି, ଶ୍ରଦ୍ଧା ଓ ଆଧ୍ୟାତ୍ମିକ ଆନନ୍ଦ ଭରିଦେଇଛି । ବିଶେଷକରି ମା’ ସୁରେଶ୍ୱରୀଙ୍କ ସ୍ୱର୍ଣ୍ଣମୁଖ ଓ ସୁନା ମୁକୁଟ ଦେବୀଙ୍କ ଐଶ୍ୱର୍ଯ୍ୟମୟ ସ୍ୱରୂପକୁ ଅଧିକ ମନୋରମ କରିଛି । ମା’ଙ୍କ ଏହି ଅପୂର୍ବ ବେଶ ଦର୍ଶନ ପାଇଁ ମନ୍ଦିରରେ ଭକ୍ତମାନଙ୍କ ମଧ୍ୟରେ ବିଶେଷ ଉତ୍ସାହ ପ୍ରକାଶ ପାଇଛି । ଭକ୍ତମାନେ ଭାବବିହ୍ୱଳ ହୋଇ ମା’ଙ୍କ ଦର୍ଶନ କରିବା ସହ ତାଙ୍କର କୃପା ଓ ଆଶୀର୍ବାଦ କାମନା କରିଛନ୍ତି । ମା’ଙ୍କ ଏହି ସ୍ୱର୍ଣ୍ଣାଭୂଷିତ ଦିବ୍ୟ ବେଶ ବର୍ଷର ସବୁ ସମୟରେ ଦର୍ଶନ କରିବାର ସୁଯୋଗ ମିଳୁନଥିବାରୁ ଏହାର ବିଶେଷ ମହତ୍ତ୍ୱ ରହିଛି । ଏହି ଦୁର୍ଲଭ ଦର୍ଶନର ସୌଭାଗ୍ୟ ଲାଭ କରିବା ପାଇଁ ଦୂରଦୂରାନ୍ତରୁ ବହୁ ଭକ୍ତ ସୁବର୍ଣ୍ଣପୁରକୁ ଛୁଟି ଆସି ମା’ଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି । ମନ୍ଦିର କମିଟି ପକ୍ଷରୁ ମିଳିଥିବା ସୂଚନାନୁଯାୟୀ, ଚଳିତ ବର୍ଷ ମା’ଙ୍କ ପରମ ଭକ୍ତଙ୍କ ଉଦ୍ୟମ କ୍ରମେ ଆଜି ନୂତନ ସ୍ୱର୍ଣ୍ଣ ଅଳଙ୍କାରରେ ଝଲସୁଛନ୍ତି ମା’ । ମା’ ସୁରେଶ୍ୱରୀ ଆଜି ବିଳମ୍ବିତ ରାତି ପର୍ଯ୍ୟନ୍ତ ଏବଂ ଆସନ୍ତା ବୁଧବାର ମଧ୍ୟ ସୁନାବେଶରେ ଭକ୍ତମାନଙ୍କୁ ଦର୍ଶନ ଦେବେ । ଏହି ସୁଯୋଗରେ ଭକ୍ତମାନେ ମା’ଙ୍କ ଦିବ୍ୟ ସ୍ୱରୂପ ଦର୍ଶନ କରି ତାଙ୍କର କୃପାଶୀର୍ବାଦ ଲାଭ କରିପାରିବେ ।

Leave A Reply

Your email address will not be published.