
ରେଢ଼ାଖୋଲ : ଗାଁ ନିକଟ ରାସ୍ତାରେ ବୁଲୁଛି ବିରାଟକାୟ କୁମ୍ଭୀର। ଏଭଳି ଦୃଶ୍ୟ ଦେଖି ଭୟଭୀତ ହୋଇପଡ଼ିଛନ୍ତି ଗ୍ରାମବାସୀ। ଏଭଳି ଘଟଣା ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବ୍ଲକ ଲୁହାପଙ୍କ ପଞ୍ଚାୟତର ପଟାଖମଣ ଗାଁ ନିକଟରେ ଦେଖିବାକୁ ମିଳିଛି। ରାସ୍ତା ଉପରେ ଏକ ବଡ଼ କୁମ୍ଭୀର ବୁଲୁଥିବା ଦେଖି ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି। ଖବର ପାଇ ବନ ବିଭାଗର କର୍ମଚାରୀମାନେ ପହଞ୍ଚି କୁମ୍ଭୀରଟିକୁ ଉଦ୍ଧାର କରିବା ପାଇଁ ଉଦ୍ୟମ ଚଲାଇଛନ୍ତି। ତେବେ କେଉଁଠାରୁ ଏବଂ କିପରି କୁମ୍ଭୀରଟି ଗାଁ ନିକଟକୁ ଚାଲି ଆସିଲା, ତାହା ସ୍ପଷ୍ଟ ହୋଇନାହିଁ। ଅନ୍ୟପଟେ, କୁମ୍ଭୀରଟି ଉଦ୍ଧାର ହେବା ପର୍ଯ୍ୟନ୍ତ ସତର୍କ ରହିବାକୁ ଗ୍ରାମବାସୀଙ୍କୁ ପରାମର୍ଶ ଦିଆଯାଇଛି। ରାସ୍ତା ନିକଟକୁ ନଯିବା ସହ କୁମ୍ଭୀରକୁ ଘେରିବା କିମ୍ବା ଧରିବାକୁ ଚେଷ୍ଟା ନକରିବାକୁ ସଚେତନ କରାଯାଇଛି। ବିଶେଷକରି ଶିଶୁ ଓ ବୃଦ୍ଧମାନଙ୍କୁ ଏହି ଅଞ୍ଚଳଠାରୁ ଦୂରେଇ ରଖିବାକୁ କୁହାଯାଇଛି। ଏବେ ସମସ୍ତଙ୍କ ନଜର ବନ ବିଭାଗର ଉଦ୍ଧାର କାର୍ଯ୍ୟ ଉପରେ ରହିଛି।