
- ପ୍ରତିଭାର ପରିପ୍ରକାଶରେ ପ୍ରସ୍ଫୁଟିତ ହେଲା ଛାତ୍ରଛାତ୍ରୀଙ୍କ ସ୍ଵପ୍ନ
ସୁବର୍ଣ୍ଣପୁର, (କେପିଏନ୍ଏସ୍) : ଆଜିର ଶିଶୁ ହେଉଛନ୍ତି ଆସନ୍ତାକାଲିର ନାଗରିକ । ଛୋଟ ପିଲାଙ୍କ ଭିତରେ ଲୁଚି ରହିଥିବା ସୃଜନଶୀଳତା, କଳା ଓ ପ୍ରତିଭାକୁ ଲୋକଲୋଚନକୁ ଆଣିବା ସହ ସେମାନଙ୍କର ମନରେ ଆତ୍ମବିଶ୍ୱାସ ଓ ନୂତନ ସ୍ୱପ୍ନର ମଞ୍ଜି ବୁଣିବା ଲକ୍ଷ୍ୟରେ ସୋନପୁର ଜିଲ୍ଲାର ଡୁଙ୍ଗୁରିପାଲି ବ୍ଲକ୍ ଅନ୍ତର୍ଗତ ସାହାଜବାହାଲ ସରକାରୀ ଉ.ପ୍ରା. ବିଦ୍ୟାଳୟ ପରିସରରେ ମାୟାବାର୍ହା କ୍ଲଷ୍ଟର ସ୍ତରୀୟ ସୁରଭି – ୨୦୨୬ ଉତ୍ସାହ ଓ ଉଦ୍ଦୀପନାର ସହ ଗତ ତା.୧୪.୧୦.୨୦୨୬ (ବୁଧବାର) ଦିନ ଆୟୋଜିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସାନ୍ତନୁ କୁମାର ସାହୁଙ୍କ ସଭାପତିତ୍ୱରେ ଏବଂ ସହକାରୀ ଶିକ୍ଷକ ସରୋଜ କୁମାର ପଣ୍ଡାଙ୍କ ସଂଯୋଜନାରେ ଉତ୍ସବର ଶୁଭାରମ୍ଭ ହୋଇଥିଲା । କାର୍ଯ୍ୟକ୍ରମରେ ଡୁଙ୍ଗୁରିପାଲି ଗୋଷ୍ଠୀ ଶିକ୍ଷାଧିକାରୀ ଗଣେଶ କିଶାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଦୀପ ପ୍ରଜ୍ୱଳନ କରିଥିଲେ ଓ ଶିଶୁମାନଙ୍କ ପ୍ରତିଭାର ବିକାଶ ଉପରେ ନିଜସ୍ୱ ବକ୍ତବ୍ୟ ରଖିଥିଲେ । ଏହି କାର୍ଯ୍ୟକ୍ରମରେ ସହକାରୀ ଶିକ୍ଷୟିତ୍ରୀ ଶ୍ରୀମତୀ ରଶ୍ମିତା ପଧାନ ଅତିଥି ପରିଚୟ ପ୍ରଦାନ କରିଥିଲେ । ମୁଖ୍ୟବକ୍ତା ଭାବେ ଉଚ୍ଚ ବିଦ୍ୟାଳୟର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରମୋଦ କୁମାର ପ୍ରଧାନ ଯୋଗଦେଇଥିଲେ ଓ ତାଙ୍କର ମୂଲ୍ୟବାନ ବକ୍ତବ୍ୟ ରଖିଥିଲେ । ଏହାପରେ ବିଭିନ୍ନ ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା । ଏହି ସବୁ ପ୍ରତିଯୋଗିତାରେ ପ୍ରତିଯୋଗୀମାନେ ନିଜର ଅନ୍ତର୍ନିହିତ ପ୍ରତିଭାର ପରିଚୟ ଦେଇଥିଲେ । ବିଭିନ୍ନ ପ୍ରତିଯୋଗିତାକୁ ପରିଚାଳନା କରିଥିଲେ ଶିକ୍ଷୟିତ୍ରୀ ହେମାଙ୍ଗିନୀ ଭୋଇ, ଶିକ୍ଷକ ସରୋଜ କୁମାର ବାଗ ଓ ସୁବଲ କୁମାର ମାଝୀ, ତଥା ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନେ । ଦ୍ୱିତୀୟ ଅଧିବେଶନ ସିଆରସିସି ସୌରଭ ସାହୁଙ୍କ ସଭାପତିତ୍ୱରେ ଆରମ୍ଭ ହୋଇଥିଲା । ମୁଖ୍ୟଅତିଥି ଭାବେ ବ୍ଲକ ସହ ଶିକ୍ଷାଅଧିକାରୀ ଗଞ୍ଜଳୁ ମିର୍ଦ୍ଧା, ମୁଖ୍ୟବକ୍ତା ଭାବେ ବ୍ଲକ ସହ ଶିକ୍ଷା ଅଧିକାରୀ ଜଗତ ମଲ୍ଲିକ ଓ ସମ୍ମାନିତ ଅତିଥି ଭାବେ ବ୍ଲକ ସହ ଶିକ୍ଷା ଅଧିକାରୀ ବାସୁଦେବ ରାୟ ଯୋଗଦେଇଥିଲେ । ବକ୍ତାମାନେ ନିଜ ଅଭିଭାଷଣରେ କହିଥିଲେ ଯେ ପ୍ରତ୍ୟେକ ଶିଶୁଙ୍କ ମଧ୍ୟରେ କିଛି ନା କିଛି ସ୍ୱତନ୍ତ୍ର ପ୍ରତିଭା ଲୁଚି ରହିଛି, ଉପଯୁକ୍ତ ସୁଯୋଗ ଓ ମାର୍ଗଦର୍ଶନ ମିଳିଲେ ସେହି ପ୍ରତିଭା ଦିନେ ସଫଳତାର ଶିଖର ଛୁଇଁପାରିବ । ଏହା ପରେ ନୃତ୍ୟ ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା । ନୃତ୍ୟକୁ ପରିଚାଳନା କରିଥିଲେ ସହକାରୀ ଶିକ୍ଷୟିତ୍ରୀ ରଶ୍ମିତା ପ୍ରଧାନ ଓ ପ୍ରତିମା ପଣ୍ଡା । ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ପ୍ରତିଭାବାନ ଛାତ୍ରଛାତ୍ରୀମାନଙ୍କୁ ଅତିଥିମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା । ପରିଶେଷରେ ସହକାରୀ ଶିକ୍ଷକ ଦୀପକ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ଓ କାର୍ଯ୍ୟକ୍ରମର ପରିସମାପ୍ତି ଘୋଷଣା କରିଥିଲେ ।