
ରାଉରକେଲା, (ସସ୍ମିତା ପ୍ରଧାନ) : ସଦ୍ୟ ସମାପ୍ତ ହୋଇଥିବା ଛାତ୍ର ସଂସଦ ନିର୍ବାଚନରେ ବ୍ୟାପକ ଅନିୟମିତତା ଏବଂ ଷଡଯନ୍ତ୍ର ବଳରେ ରାଉରକେଲା ବିଧାୟକ ଏବଂ ରଘୁନାଥପାଲି ବିଧାୟକ ଛାତ୍ର ରାଜନୀତିକୁ ପ୍ରଭାବିତ କରିବା ସହିତ ନିର୍ବାଚନରେ ରାଉରକେଲା ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜୁ ଛାତ୍ର ଜନତା ଦଳ(ବିସିଜେଡି) ଏବଂ ରଘୁନାଥପାଲି ବିଧାନସଭା ନିର୍ବାଚନମଣ୍ଡଳୀରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି) ବିଜୟୀ ହେବା ସହିତ ଦେଓଗାଁ ଠାରେ ଥିବା ଗାନ୍ଧୀ ମହାବିଦ୍ୟାଳୟ ଓ ବେଦବ୍ୟାସ ମହାବିଦ୍ୟାଳୟରେ ଦୁଇ ଦଳର ଛାତ୍ରଛାତ୍ରୀ ନଥିବାରୁ, ସେଠାରେ ଛାତ୍ର ସଂସଦ ନିର୍ବାଚନକୁ ସ୍ଥଗିତ ରଖାଯାଇଥିଲା, ଏ ବିଷୟରେ ଆଜି ରାଉରକେଲା ହୋଟେଲ୍ ରାଧିକା ରିଜେନ୍ସିରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି କଂଗ୍ରେସର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ରାଉରକେଲା ଜିଲ୍ଲା କଂଗ୍ରେସର ପୂର୍ବତନ ସଭାପତି ଜ୍ଞାନେନ୍ଦ୍ର କୁମାର ଦାସ । ଶ୍ରୀ ଦାସ ଏହି ସମ୍ମିଳନୀରେ ପ୍ରକାଶ କରିଥିଲେ ଯେ, ଛାତ୍ର କଂଗ୍ରେସ ସଂଗଠନ ତରଫରୁ ସଦ୍ୟ ସମାପ୍ତ ହୋଇଥିବା ଛାତ୍ର ସଂସଦ ନିର୍ବାଚନରେ ବ୍ୟାପକ ଅନିୟମିତତା ଏବଂ ଷଡ଼ଯନ୍ତ୍ର ହୋଇଛି ବୋଲି ଆରୋପ କରିଥିଲେ । ଜ୍ଞାନେନ୍ଦ୍ର କୁମାର ଦାସ ଏହି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ କହିଥିଲେ ଯେ, ୨୦୧୭ରୁ ଓଡିଶାରେ ୮ ବର୍ଷ ଧରି ଛାତ୍ର ସଂସଦ ନିର୍ବାଚନ ବନ୍ଦ ରହିଥିବା ବେଳେ, ରାଜ୍ୟରେ ବିଜେପି ସରକାର କ୍ଷମତାକୁ ଆସିବାର ଅଢେଇ ବର୍ଷ ପରେ ତରବରିଆ ଭାବେ ଛାତ୍ର ସଂସଦ ନିର୍ବାଚନ କରାଇବାକୁ ଘୋଷଣା କରିଥିଲେ । ଛାତ୍ର ସଂସଦ ନିର୍ବାଚନ ପାଇଁ ପିଲାମାନଙ୍କୁ ସମୟ ଦିଆଯାଇନଥିଲା । ମହାବିଦ୍ୟାଳୟ ପକ୍ଷରୁ ଯେଉଁ ଛାତ୍ରଛାତ୍ରୀମାନଙ୍କର ଉପସ୍ଥାନ କମ୍ ଥିବ ଏବଂ ବେକ୍ ପେପର ଲାଗିଥିବ, ସେମାନେ ନିର୍ବାଚନରେ ଲଢ଼ି ପାରିବେ ନାହିଁ । ଅନ୍ୟପକ୍ଷରେ ସୁଶିଳାବତୀ ମହିଳା ମହାବିଦ୍ୟାଳୟରେ ଏବିଭିପିର କାର୍ଯ୍ୟକ୍ରମ ଚାଲିଥିଲା ବେଳେ ମହାବିଦ୍ୟାଳୟର ଜଣେ ଅଧ୍ୟାପିକା ଛାତ୍ରୀମାନଙ୍କୁ ଏବିଭିପିକୁ ଦେବାକୁ ପ୍ରବର୍ତ୍ତାଇଥିଲେ । ଏହା ଏକ ଇଲେକ୍ସନ ନଥିଲା, ସିଲେକ୍ସନ ଥିଲା ବୋଲି ଆରୋପ ଲଗାଇଛନ୍ତି କଂଗ୍ରେସର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜ୍ଞାନେନ୍ଦ୍ର କୁମାର ଦାସ । ରାଉରକେଲା ଏବଂ ରଘୁନାଥପାଲ୍ଲୀର ବିଧାୟକ ଛାତ୍ର ରାଜନୀତିକୁ ପ୍ରଭାବିତ କରିବା ସହିତ ବ୍ୟାପକ ଅନିୟମିତତା ବଳରେ ଛାତ୍ର ସଂସଦ ନିର୍ବାଚନ ଜିତିଛନ୍ତି । ଏନ୍ଏସ୍ଆଇୟୁ ପକ୍ଷରୁ ଆବଶ୍ୟକ ହେଲେ କୋର୍ଟର ଆଶ୍ରୟ ନିଆଯିବ ବୋଲି ସୂଚନା ଦିଆଯାଇଛି । ଏନ୍ଏସ୍ଆଇୟୁ ପକ୍ଷରୁ ଅନୁଷ୍ଠିତ ଏହି ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜ୍ଞାନେନ୍ଦ୍ର କୁମାର ଦାସ, ଜିଲ୍ଲା ଛାତ୍ର କଂଗ୍ରେସ ସଂଯୋଜକ ସୁନୀଲ ନାଏକ, ରାଉରକେଲା (ଇଭିନିଂ) କଲେଜ ଛାତ୍ର ସଂସଦ ସଭାପତି ପ୍ରାର୍ଥୀ ହୋଇଥିବା ସୁନୀଲ ପଣ୍ଡାଙ୍କ ସମେତ ଏନ୍ଏସ୍ଆଇୟୁର ବହୁ ଛାତ୍ରଛାତ୍ରୀ ଏବଂ ଜିଲ୍ଲା କଂଗ୍ରେସର ନେତୃବୃନ୍ଦ ଉପସ୍ଥିତ ଥିଲେ ।