
ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କ ପାଇଁ ବ୍ଲକସ୍ତରୀୟ ଚିକିତ୍ସା ମୂଲ୍ୟାୟନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଭିନ୍ନ ପ୍ରକାର ଦିବ୍ୟାଙ୍ଗତା ଥିବା ୮୦ ଜଣ ଛାତ୍ରଛାତ୍ରୀ ଯୋଗଦେଇଥିବା ବେଳେ ଆଲିମ୍କୋର ଦୁଇଜଣ ବୈଷୟିକ ବିଶେଷଜ୍ଞ ସେମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ ଆବଶ୍ୟକ ସହାୟକ ଉପକରଣ ପାଇଁ ମୂଲ୍ୟାୟନ କରିଥିଲେ । ଶିବିରରେ ଚିହ୍ନଟ ହୋଇଥିବା ଛାତ୍ରଛାତ୍ରୀଙ୍କୁ ଆବଶ୍ୟକତା ଅନୁଯାୟୀ ସହାୟକ ଉପକରଣ ଓ ଅନ୍ୟାନ୍ୟ ସାମଗ୍ରୀ ଯୋଗାଇ ଦିଆଯିବ । ଏହାଦ୍ୱାରା ସେମାନଙ୍କ ଦୈନନ୍ଦିନ ଜୀବନ ସହଜ ହେବା ସହ ବିଦ୍ୟାଳୟକୁ ନିୟମିତ ଆସିବା, ପାଠପଢ଼ାରେ ଅଂଶଗ୍ରହଣ କରିବା ଏବଂ ଅନ୍ୟାନ୍ୟ ବିଦ୍ୟାଳୟ ସ୍ତରୀୟ କାର୍ଯ୍ୟକଳାପରେ ସକ୍ରିୟ ଭାବେ ସାମିଲ ହେବାରେ ସହାୟତା ମିଳିବ । ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କୁ ଆବଶ୍ୟକ ସହାୟତା ଯୋଗାଇ ସେମାନଙ୍କୁ ଶିକ୍ଷାର ମୁଖ୍ୟସ୍ରୋତରେ ସାମିଲ କରିବା ଏବଂ ଶିକ୍ଷାଗ୍ରହଣ ପ୍ରକ୍ରିୟାକୁ ଅଧିକ ସୁଗମ ଓ ସମାବେଶୀ କରିବା ଏହି ଶିବିରର ମୁଖ୍ୟ ଉଦ୍ଦେଶ୍ୟ ଥିଲା । ଶିବିରରେ ପାଇକମାଲ ବିଡିଓ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ବ୍ଲକ ଶିକ୍ଷା ଅଧିକାରୀ ଶୁଭମ କୁମାର ପତି ସଭାପତିତ୍ୱ କରିଥିଲେ । ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ବିଶିକେଶନ ଶତପଥୀ ଅତିଥି ଭାବେ ଉପସ୍ଥିତ ଥିଲେ। ବିଆର୍ଟି ରୀତା ମେହେର ଓ ବୀରେନ୍ଦ୍ର କୁମାର ସାହୁ ଶିବିରର ସଂଯୋଜନା କରିଥିଲେ ।