
ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଅଞ୍ଚଳର ସମସ୍ତ ଧାର୍ମିକ ଅନୁଷ୍ଠାନରେ ଶ୍ରଦ୍ଧା, ପରମ୍ପରା ଓ ଭକ୍ତିର ସହ ପବିତ୍ର ଭାଗବତ ଜନ୍ମ ଉତ୍ସବ ପାଳିତ ହୋଇଯାଇଛି । ପବିତ୍ର ଭାଗବତ ଜନ୍ମ ଉତ୍ସବ କେବଳ ଏକ ଧାର୍ମିକ ଉତ୍ସବ ନୁହେଁ, ଓଡ଼ିଆ ଜନଜୀବନରେ ଭାଗବତ ଜନ୍ମ ଏକ ପୁରୁଣା ପରମ୍ପରା ଓ ଭକ୍ତିର ନିଆରା ପ୍ରତୀକ । ଏହି ପରମ୍ପରାକୁ ଆଜି ମଧ୍ୟ ଆଗେଇ ନେଇଛନ୍ତି ଗାଁଠୁ ସହର ପର୍ଯ୍ୟନ୍ତ ଲୋକେ । ପବିତ୍ର ଭାଗବତ ଜନ୍ମ ଅବସରରେ ମୁରିବାହାଲ ବ୍ଲକ ଅଞ୍ଚଳର ସମସ୍ତ ମନ୍ଦିର, ପ୍ରହରୀ ମଣ୍ଡପ, ନିଜ ଘର ଓ ଭାଗବତ ଟୁଙ୍ଗୀଗୁଡ଼ିକରେ ଭକ୍ତିମୟ ପରିବେଶ ସହ ‘ହରିବୋଲ’, ‘ହୁଳହୁଳି’ ଓ ନାମ ସଂକୀର୍ତ୍ତନରେ ସମଗ୍ର ପରିବେଶ ପ୍ରକମ୍ପିତ ହୋଇଥିଲା । ସକାଳୁ ସମସ୍ତ ଦେବାଳୟଗୁଡିକରେ ପୂଜାର୍ଚ୍ଚନା ଓ ଭାଗବତ ପାଠ ଆରମ୍ଭ ହୋଇଥିଲା । ସନ୍ଧ୍ୟାରେ ପୁଣି ଭାଗବତ ଟୁଙ୍ଗୀଗୁଡ଼ିକରେ ଭକ୍ତମାନଙ୍କ ସମାଗମ ସାଙ୍ଗକୁ ନାମ ସଂକୀର୍ତ୍ତନ ଓ ଭଜନରେ ପରିବେଶ ଆହୁରି ମୁଖରିତ ହୋଇଥିଲା । ଘରେ ଘରେ ମଧ୍ୟ ଶ୍ରଦ୍ଧାଳୁମାନେ ଭାଗବତ ପାଠ କରି ଏହି ପବିତ୍ର ଦିନକୁ ପାଳନ କରିଥିଲେ । ପିଢ଼ି ପରେ ପିଢ଼ି ଚାଲିଆସୁଥିବା ଭାଗବତ ପରମ୍ପରାକୁ ଜୀବନ୍ତ ରଖିବାରେ ଭାଗବତ ଟୁଙ୍ଗୀ ଗୁଡ଼ିକର ଭୂମିକା ଆଜି ମଧ୍ୟ ଅନନ୍ୟ ରହିଛି । ବ୍ଲକ ସଦର ମହକୁମା ସମେତ ଡୁମେରପଡ଼ା, ଯମୁନା ଭଳି ସମସ୍ତ ଗ୍ରାମରେ ଭାଗବତ ଜନ୍ମ ଉତ୍ସବ ପାଳିତ ହୋଇଯାଇଛି । ଡୁମେରପଡ଼ା ପ୍ରହରୀ ମଣ୍ଡପରେ ଅନୁଷ୍ଠିତ ଭାଗବତ ଜନ୍ମ ଉତ୍ସବରେ ଗ୍ରାମର ମହେନ୍ଦ୍ର ରଣା, ହର ହାତୀ, ଲମ୍ବୋଦର ହଂସଙ୍କ ସମେତ ବହୁ ଶ୍ରଦ୍ଧାଳୁ ମହିଳା ଉପସ୍ଥିତ ଥିଲେ । ଗୁରୁ ସୁରେନ୍ଦ୍ର ପଶାୟତ ସୁନ୍ଦର ଭଜନ ଓ ସଂକୀର୍ତ୍ତନ୍ୟ ପରିବେଷଣ କରିଥିଲେ । ସେହିପରି ଯମୁନା ଗ୍ରାମରେ ଅନୁଷ୍ଠିତ ଉତ୍ସବରେ ଦୁର୍ଯ୍ୟୋଧନ ପାଣିଗ୍ରାହୀ ପୂଜକ ନଟବର ମେର୍ଲି, ଦେବେନ୍ଦ୍ର ପଧାନ, ଜେହେରୁ ମହାକୁର, ବିଶ୍ୱାମିତ୍ର ଜାଲ, ଲୋକନାଥ ଥନାପତି, ଲଳିତ ସାହୁ, ମହେଶ୍ୱର ମହାକୁର, ବୁଡ଼ୁ ଡାଙ୍ଗ, ପରମାନନ୍ଦ ମହାକୁର ସପତ୍ନୀକ ଓ ବହୁ ଶ୍ରଦ୍ଧାଳୁ ମହିଳା ସାମିଲ ହୋଇଥିଲେ । ଗୁରୁ ଚୈତନ୍ୟ ଶିକା ହରିନାମ ଭଜନ ପରିବେଷଣ କରିଥିଲେ । ସେହିପରି ବ୍ଲକ ଅଞ୍ଚଳର ସମସ୍ତ ଦେବାଳୟଗୁଡିକରେ ପବିତ୍ର ଭାଗବତ ଜନ୍ମ ଉତ୍ସବ ଭକ୍ତି ଓ ଶ୍ରଦ୍ଧାର ସହ ପାଳିତ ହୋଇଯାଇଛି ।