jayashree

ଝାଡ଼ଖଣ୍ଡର ସମସ୍ତ ବିଶ୍ୱବିଦ୍ୟାଳୟରେ ଉଦ୍ୟମିତା ପ୍ରେରଣା କାର୍ଯ୍ୟକ୍ରମ ପାଇଁ ରାଜ୍ୟପାଳଙ୍କୁ ଭେଟିଲେ ସୁବୀର ପଲ୍

ରାଉରକେଲା, (ସସ୍ମିତା ପ୍ରଧାନ) : ଇଣ୍ଡିଆନ ଚାମ୍ବର୍ସ ଅଫ କମର୍ସ ଫର୍‌ ଏସ୍‌ସି, ଏସ୍‌ଟି ଏଣ୍ଡ ୱିମେନ ଏଣ୍ଟରପ୍ରେନ୍ୟୋର୍ସ, ନୂଆଦିଲ୍ଲୀର ଜାତୀୟ ଅଧ୍ୟକ୍ଷ ସୁବୀର ପଲ୍ ଗୁରୁବାର ଝାଡ଼ଖଣ୍ଡର ରାଜ୍ୟପାଳ ସନ୍ତୋଷ କୁମାର ଗଙ୍ଗୱାରଙ୍କୁ ରାଜଭବନଠାରେ ସୌଜନ୍ୟମୂଳକ ଭେଟ କରିଛନ୍ତି । ଏହି ଭେଟ ଅବସରରେ ରାଜ୍ୟର ଯୁବଶକ୍ତି, ବିଶେଷ କରି ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି ଏବଂ ମହିଳା ବର୍ଗଙ୍କ ମଧ୍ୟରେ ଉଦ୍ୟମିତାର ବିକାଶ ନେଇ ବିସ୍ତୃତ ଆଲୋଚନା ହୋଇଛି । ବୈଠକରେ ‘ବିକଶିତ ଭାରତ ଅ୨୦୪୭’ର ଲକ୍ଷ୍ୟକୁ ସାକାର କରିବା ଦିଗରେ ଝାଡ଼ଖଣ୍ଡର ସମସ୍ତ ବିଶ୍ୱବିଦ୍ୟାଳୟ ଏବଂ ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକରେ ଏଣ୍ଟରପ୍ରେନ୍ୟୋରସିପ ମୋଟିଭେସନ ପ୍ରୋଗ୍ରାମ ବା ଉଦ୍ୟମିତା ପ୍ରେରଣା କାର୍ଯ୍ୟକ୍ରମ ଆୟୋଜନ କରିବା ପ୍ରସ୍ତାବ ଉପରେ ବିଶେଷ ଭାବେ ଆଲୋଚନା ହୋଇଥିଲା । ରାଜ୍ୟପାଳଙ୍କ ସମ୍ମୁଖରେ ଶ୍ରୀ ପଲ୍ ଏହି କାର୍ଯ୍ୟକ୍ରମର ରୂପରେଖ ଉପସ୍ଥାପନ କରିଥିଲେ । ଶ୍ରୀ ପଲ୍ କହିଛନ୍ତି, ବର୍ତ୍ତମାନ ସମୟରେ ବିଶ୍ୱବିଦ୍ୟାଳୟ ସ୍ତରରୁ ହିଁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉଦ୍ୟମିତା ମାନସିକତା ସୃଷ୍ଟି କରିବା ଅତ୍ୟନ୍ତ ଜରୁରୀ । କେବଳ ପାଠ୍ୟକ୍ରମ ମଧ୍ୟରେ ସୀମିତ ନ ରହି ଛାତ୍ରଛାତ୍ରୀଙ୍କୁ ଷ୍ଟାର୍ଟଅପ, ସ୍ୱରୋଜଗାର, ନବାଚାର, ଡିଜିଟାଲ ବ୍ୟବସାୟ, ଆର୍ଥିକ ପରିଚାଳନା ତଥା କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା, ସବସିଡି, ଋଣ ସୁବିଧା ସମ୍ପର୍କରେ ବ୍ୟାପକ ସୂଚନା ଦେବା ଆବଶ୍ୟକ । ଏହାଦ୍ୱାରା ଯୁବକମାନେ କେବଳ ଚାକିରି ଅନ୍ୱେଷଣକାରୀ ନ ହୋଇ ନିଯୁକ୍ତି ସୃଷ୍ଟିକାରୀ ଭାବେ ଆଗକୁ ଆସିପାରିବେ । ସେ ଆହୁରି କହିଛନ୍ତି ଯେ, ଇଣ୍ଡିଆନ ଚାମ୍ବର୍ସ ଅଫ କମର୍ସ ପକ୍ଷରୁ ବିଶ୍ୱବିଦ୍ୟାଳୟଗୁଡ଼ିକ ସହ ମିଳିତ ଭାବେ ଉଦ୍ୟମିତା ସଚେତନତା ଶିବିର, ଦକ୍ଷତା ବିକାଶ ପ୍ରଶିକ୍ଷଣ, ମେଣ୍ଟରସିପ କାର୍ଯ୍ୟକ୍ରମ, ସଫଳ ଉଦ୍ୟୋଗୀଙ୍କ ସହ ଆଲୋଚନା, ଶିଳ୍ପ ପରିଦର୍ଶନ ଏବଂ ସରକାରୀ ଯୋଜନା ସମ୍ପର୍କିତ ମାର୍ଗଦର୍ଶନ ପ୍ରଦାନ କରାଯିବ । ଏହା ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆତ୍ମବିଶ୍ୱାସ ବଢ଼ାଇବା ସହ ସେମାନଙ୍କୁ ଭବିଷ୍ୟତର ଉଦ୍ୟୋଗୀ ଭାବେ ପ୍ରସ୍ତୁତ କରିବ । ରାଜ୍ୟପାଳ ଶ୍ରୀ ଗଙ୍ଗୱାରଙ୍କ ସହ ଆଲୋଚନା ବେଳେ ଝାଡ଼ଖଣ୍ଡର ବିଶ୍ୱବିଦ୍ୟାଳୟଗୁଡ଼ିକୁ ଉଦ୍ୟମିତା ଓ ନବାଚାରର କେନ୍ଦ୍ର ଭାବେ ଗଢ଼ି ତୋଳିବା, ବିଶ୍ୱବିଦ୍ୟାଳୟ-ଶିଳ୍ପ-ସରକାରଙ୍କ ମଧ୍ୟରେ ସମନ୍ୱୟ ବୃଦ୍ଧି ଏବଂ ଗ୍ରାମାଞ୍ଚଳ ଓ ଆଦିବାସୀ ଅଞ୍ଚଳର ଛାତ୍ରଛାତ୍ରୀଙ୍କୁ ବିଶେଷ ପ୍ରୋତ୍ସାହନ ଦେବା ଉପରେ ମଧ୍ୟ ମତ ବିନିମୟ ହୋଇଥିଲା । ଶ୍ରୀ ପଲ୍ କହିଛନ୍ତି, ବିକଶିତ ଭାରତ ଅ୨୦୪୭ ଲକ୍ଷ୍ୟ ହାସଲରେ ଯୁବଶକ୍ତିର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଝାଡ଼ଖଣ୍ଡ ଭଳି ସମ୍ଭାବନାମୟ ରାଜ୍ୟରେ ଯୁବକମାନଙ୍କୁ ସଠିକ ମାର୍ଗଦର୍ଶନ ମିଳିଲେ ସେମାନେ ରାଜ୍ୟ ତଥା ଦେଶର ଅର୍ଥନୀତିକୁ ଆଗକୁ ନେବାରେ ବଡ଼ ଯୋଗଦାନ ଦେଇପାରିବେ ।

Leave A Reply

Your email address will not be published.