jayashree

ଯୁବଶକ୍ତି ଜାଗ୍ରତ ହେଲେ, ଏଡ୍‌ସ ମୁକ୍ତ ସମାଜ ଗଢ଼ି ହେବ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସରକାରୀ ମହାବିଦ୍ୟାଳୟ, ବଲାଙ୍ଗିରଠାରେ ଆଜି ଏଡ୍‌ସ ସଚେତନତା ଓ ସମ୍ବେଦନଶୀଳତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ଏଚ୍‌ଆଇଭି/ଏଡ୍‌ସ ବିଭାଗର ବରିଷ୍ଠ ଅଧିକାରୀ ହେମନ୍ତ କୁମାର ଦାସ ଯୋଗ ଦେଇ ଏଡ୍‌ସ ସଂକ୍ରମଣର କାରଣ, ଲକ୍ଷଣ, ପ୍ରତିରୋଧ ଉପାୟ ଏବଂ ସମାଜରେ ରହିଥିବା ଭ୍ରାନ୍ତ ଧାରଣା ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ । ଏହି କାର୍ଯ୍ୟକ୍ରମରେ ସଭାପତିତ୍ୱ କରିଥିଲେ ମହାବିଦ୍ୟାଳୟର ଅଧ୍ୟକ୍ଷ ସହକାରୀ ପ୍ରଫେସର ଡ. କୌତୁକ ପନ୍ଦର । ଏହି ଅବସରରେ ଅର୍ଥନୀତି ବିଭାଗମୁଖ୍ୟ ସହକାରୀ ପ୍ରଫେସର ଲେଫ୍ଟନାଣ୍ଟ କୁଶ କହଁର, ଇତିହାସ ବିଭାଗମୁଖ୍ୟ ଡ. ରମଣୀ ନାଏକ ଏବଂ ଶିକ୍ଷା ବିଭାଗମୁଖ୍ୟ ମଧୁସ୍ମିତା ମିଶ୍ର ଉପସ୍ଥିତ ରହି ନିଜ ନିଜ ବାର୍ତ୍ତା ପ୍ରଦାନ କରିଥିଲେ । ଏଡ୍‌ସ ସଚେତନତାକୁ ନେଇ ମହାବିଦ୍ୟାଳୟ ପକ୍ଷରୁ ପ୍ରବନ୍ଧ, ଚିତ୍ରାଙ୍କନ ଓ କୁଇଜ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ବିଜୟୀ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ପ୍ରବନ୍ଧ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଥିଲେ ଓଡ଼ିଆ ବିଭାଗର ସ୍ନାତକ ପ୍ରଥମବର୍ଷର ଛାତ୍ର ରଶ୍ମି ରଞ୍ଜନ ଛତ୍ରିଆ, ଦ୍ୱିତୀୟ ସ୍ଥାନରେ ଶିକ୍ଷାବିଭାଗର ରଞ୍ଜିତ ନାଏକ ଏବଂ ତୃତୀୟ ସ୍ଥାନରେ ବନ୍ଦନା ଦୀପ । କୁଇଜ୍ ପ୍ରତିଯୋଗିତାରେ ଓଡ଼ିଆ ବିଭାଗର ସ୍ନାତକ ପ୍ରଥମ ବର୍ଷର ଛାତ୍ରୀ ବଲ୍ଲଭୀ ବନଛୋର, ଅର୍ଥନୀତି ବିଭାଗର ସୁଶୀଲ ଚୌହାନ ଏବଂ ଇଂରାଜୀ ବିଭାଗର ସୁଶାନ୍ତ କୁମାର ସାହୁ ବିଜୟୀ ହୋଇଥିଲେ । ଚିତ୍ରାଙ୍କନ ପ୍ରତିଯୋଗିତାରେ ଗ୍ରନ୍ଥାଗାର ଓ ସୂଚନା ବିଜ୍ଞାନ ବିଭାଗର ଛାତ୍ର ସାଗର ନାଏକ, ଯୁକ୍ତଦୁଇ କଳାର ଛାତ୍ରୀ ଲିପି ପଟେଲ ଏବଂ ଇଂରାଜୀ ବିଭାଗର ଅମିତ କୁମାର ରଣା ପୁରସ୍କୃତ ହୋଇଥିଲେ । ସଭା ସଞ୍ଚାଳନା କରିଥିଲେ ଅଧ୍ୟାପିକା ସଙ୍ଗୀତା ସାହୁ ଏବଂ ଶେଷରେ ସହକାରୀ ପ୍ରଫେସର ଡ. ଶ୍ରୀକାନ୍ତ କୁମାର ବାରିକ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.