jayashree

ସୁଦାମ ଚରଣ ମହାବିଦ୍ୟାଳୟ ଗ୍ରନ୍ଥାଗାର ପରିଦର୍ଶନ କଲେ ସରସ୍ୱତୀ ଶିଶୁମନ୍ଦିର ସ୍କାଉଟସ୍ ଏଣ୍ଡ ଗାଇଡ୍ସର ଛାତ୍ରଛାତ୍ରୀ

ଚନ୍ଦନଭାଟି, (କେପିଏନ୍‌ଏସ୍‌) : ଆଜି ସ୍ଥାନୀୟ ସୁଦାମ ଚରଣ ଡିଗ୍ରୀ ମହାବିଦ୍ୟାଳୟ, ଚନ୍ଦନଭାଟି ଗ୍ରନ୍ଥାଗାରକୁ ସରସ୍ୱତୀ ଶିଶୁମନ୍ଦିର, କଦମପଡ଼ା, ବଲାଙ୍ଗିରର ସ୍କାଉଟସ୍ ଏଣ୍ଡ ଗାଇଡ୍ସର ଛାତ୍ରଛାତ୍ରୀମାନେ ଶିକ୍ଷକ ଓ ଶିକ୍ଷୟିତ୍ରୀମାନଙ୍କ ସହିତ ଶୈକ୍ଷିକ ପରିଦର୍ଶନରେ ଆସିଥିଲେ । ଏହି ଅବସରରେ ମହାବିଦ୍ୟାଳୟର ଗ୍ରନ୍ଥାଧ୍ୟକ୍ଷ ପ୍ରୀତମ କୁମାର ପଣ୍ଡା ଛାତ୍ରଛାତ୍ରୀମାନଙ୍କୁ ଗ୍ରନ୍ଥାଗାରର ବିଭିନ୍ନ ବିଭାଗ ବୁଲାଇ ଦେଖାଇବା ସହିତ ପାଠ୍ୟ ପୁସ୍ତକ ବ୍ୟତୀତ ଗଳ୍ପ, ଏକାଙ୍କିକା, ମହାପୁରୁଷଙ୍କ ଜୀବନୀ ଓ ସାଧାରଣ ଜ୍ଞାନ ସମ୍ବନ୍ଧିତ ପୁସ୍ତକ ପଠନର ଆବଶ୍ୟକତା ବିଷୟରେ ସୂଚନା ପ୍ରଦାନ କରିଥିଲେ । ସେ କହିଥିଲେ ଯେ, “ବହି ହେଉଛି ଏକ ନୀରବ ଗୁରୁ, ଯିଏ ବିନା ଶବ୍ଦରେ ଆମକୁ ଜ୍ଞାନ ଦିଏ । ବହି ଆମର ଚିନ୍ତାଧାରାକୁ ବିସ୍ତାର କରିବା ସହିତ ଆମ ଜୀବନକୁ ସଂସ୍କାରିତ କରେ ଏବଂ ସଂସ୍କାର ଶିଖାଏ” । ସେ ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କୁ ଦୈନନ୍ଦିନ ଅତି କମରେ ଅଧ ଘଣ୍ଟା ସମୟ ବହି ପଢିବା ପାଇଁ ବାହାର କରିବାକୁ ଏବଂ ମୋବାଇଲ୍ ଗେମ୍, ରିଲ୍ସ ଓ ସୋସିଆଲ୍ ମିଡିଆରୁ ଦୂରେଇ ବହି ସହିତ ବନ୍ଧୁତା କରିବାକୁ ପରାମର୍ଶ ଦେଇଥିଲେ । ଗ୍ରନ୍ଥାଗାର କାନ୍ଥରେ ଲେଖାଥିବା “READING WILL TAKE YOU EVERYWHERE!” ଅର୍ଥାତ୍ “ପଢିବା ତୁମକୁ ସବୁଆଡେ ନେଇଯାଏ”ର ତାତ୍ପର୍ୟ୍ୟ ବୁଝାଇ ସେ କହିଥିଲେ ଯେ, ବହି ବିନା ଟିକେଟ୍ ଓ ବିନା ପାସପୋର୍ଟରେ ସାରା ଦୁନିଆ ବୁଲାଇ ଦେବା ସହ ବିଶ୍ୱର ସର୍ବୋଚ୍ଚ ସ୍ଥାନରେ ପହଞ୍ଚାଇ ଦେବାର କ୍ଷମତା ରଖେ, ଛାତ୍ରଛାତ୍ରୀମାନଙ୍କ ମୁହଁରେ ଥିବା ହସ ଓ ନୂଆ ଜାଣିବାର ଆଗ୍ରହ କାର୍ଯ୍ୟକ୍ରମକୁ ସାର୍ଥକ କରିଥିଲା ।

Leave A Reply

Your email address will not be published.