
ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ଥାନା ଅନ୍ତର୍ଗତ କେନାବୁଦା ଗ୍ରାମରେ ଚାଷ ଜମିରୁ ତମ୍ବା ତାର ଚୋରି ଅଭିଯୋଗରେ ପୁଲିସ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଏନେଇ ପାଇକମାଲ ଥାନାରେ କେସ୍ ନଂ ୨୪୪/୨୦୨୬ରେ ବିଏନ୍ଏସ୍ର ଧାରା ୩୦୩(୨)/୧୧୨(୨)/୩(୫) ଅନୁଯାୟୀ ମାମଲା ରୁଜୁ ହୋଇଛି । ପୁଲିସ ସୂଚନା ଅନୁସାରେ, କେନାବୁଦା ଗ୍ରାମର ଇନ୍ଦ୍ରଜିତ ସାହୁ (୧୮) ଗତ ୧୭ ତାରିଖ ସନ୍ଧ୍ୟା ପ୍ରାୟ ୫ଟା ୧୦ ମିନିଟ୍ରେ ପାଇକମାଲ ଥାନାରେ ଅଭିଯୋଗ କରିଥିଲେ ଯେ, ଦୁଇଜଣ ବ୍ୟକ୍ତି ତାଙ୍କ ଚାଷ ଜମିରୁ ତମ୍ବା ତାର ଚୋରି କରିଛନ୍ତି । ଘଟଣାର ତଦନ୍ତ ବେଳେ ପାଇକମାଲ ପୁଲିସ ଅଭିଯୁକ୍ତ ପ୍ରମୋଦ ସାହୁ ଓ ବିବେକ ରାଣାଙ୍କ ନିକଟରୁ ଚୋରି ହୋଇଥିବା ତମ୍ବା ତାର, ଗୋଟିଏ ପ୍ଲାସ୍ ଏବଂ ଏହି ଘଟଣାରେ ବ୍ୟବହୃତ ଓଡି-୧୭-ଜେ-୯୦୪୬ ନମ୍ବର ବିଶିଷ୍ଟ ଏକ ମୋଟର ସାଇକେଲ ଜବତ କରିଥିଲା । ଅଧିକ ପଚରାଉଚରା ସମୟରେ ପୁଲିସ ଏହି ମାମଲାରେ ଚୋରି ତମ୍ବା ତାର ଗ୍ରହଣ କରିଥିବା ଅଭିଯୋଗରେ ରଞ୍ଜନ କୁମାର ଗୁପ୍ତାଙ୍କ ନିକଟରୁ ପୋଡ଼ା ତମ୍ବା ତାର ମଧ୍ୟ ଜବତ କରିଥିଲା । ଗିରଫ ଅଭିଯୁକ୍ତମାନେ ହେଲେ କୋକନରା ଗ୍ରାମର ରାମ ରାଣାଙ୍କ ପୁଅ ବିବେକ ରାଣା (୩୦), କର୍ଲାମାଲ ଗ୍ରାମର ରୋହିତରାମ ସାହୁଙ୍କ ପୁଅ ପ୍ରମୋଦ ସାହୁ (୨୪) ଏବଂ ବିହାର ବୈଶାଳୀ ଜିଲ୍ଲା ହାଜିପୁର ଥାନା ଅଞ୍ଚଳର ସ୍ୱର୍ଗତ ଅନିରୁଦ୍ଧ ଗୁପ୍ତାଙ୍କ ପୁଅ ରଞ୍ଜନ କୁମାର ଗୁପ୍ତା (୩୪), ଯିଏ ବର୍ତ୍ତମାନ ପାଇକମାଲ ଥାନା ଅନ୍ତର୍ଗତ କଲୋନୀ ପଡ଼ାରେ ରହୁଥିବା ଜଣାପଡିଛି । ପାଇକମାଲ ପୁଲିସ ସମସ୍ତ ୩ ଅଭିଯୁକ୍ତଙ୍କୁ ଗିରଫ କରି ଅଦାଲତକୁ ପଠାଇଛି ବୋଲି ଥାନାଧିକାରୀ କୈଳାସ ଚନ୍ଦ୍ର ପ୍ରଧାନ କହିଛନ୍ତି ।

