pr

ଛୁରୀରେ ଆକ୍ରମଣ, ଜୀବନରେ ମାରିଦେବାକୁ ଧମକ : ୧୦ଟି ମାମଲାରେ ଜଡ଼ିତ ଅଭିଯୁକ୍ତ ଗିରଫ, କୋର୍ଟ ଚାଲାଣ

dr. purohit

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଥାନା ଅନ୍ତର୍ଗତ ତାମ୍ବିପଦର ଛକ ନିକଟରେ ଛୁରୀରେ ଆକ୍ରମଣ ଏବଂ ଜୀବନରେ ମାରିଦେବାକୁ ଧମକ ଦେବା ଅଭିଯୋଗରେ ଖପ୍ରାଖୋଲ ପୁଲିସ ଜଣେ ଅଭିଯୁକ୍ତଙ୍କୁ ହରିଶଙ୍କରରୁ ଗିରଫ କରି କୋର୍ଟ ଚାଲାଣ କରିଛି । ପୁଲିସ ସୂଚନା ଅନୁଯାୟୀ, ନାନ୍ଦୁପଲା ଗ୍ରାମର ମୁଖ୍ୟ ବେହେରା (୪୦) ଗତ ୧୭ ତାରିଖରେ ଖପ୍ରାଖୋଲ ଥାନାରେ ଏନେଇ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ଅନୁସାରେ, ୧୬ ତାରିଖ ସନ୍ଧ୍ୟା ପ୍ରାୟ ୫ଟା ୩୦ ସମୟରେ ତାମ୍ବିପଦର ଛକ ନିକଟରେ ତୁଳସୀରାମ ପ୍ରଧାନୀ ଓରଫ (ବିଶ୍ୱ) ତାଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ଲୁହା ରଡ୍‌ରେ ଆକ୍ରମଣ କରିବାକୁ ଉଦ୍ୟମ କରିଥିଲେ । ଅଭିଯୋଗକାରୀ ଲୁହା ରଡ୍‌ଟି ଧରି ନେବା ପରେ ଅଭିଯୁକ୍ତ ଏକ ଛୁରୀ ବାହାର କରି ତାଙ୍କୁ ଜୀବନରେ ମାରିଦେବାକୁ ଧମକ ଦେବା ସହ ଛୁରୀରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଏହି ଆକ୍ରମଣରେ ତାଙ୍କ ବାମ କହୁଣୀ ସମେତ ଶରୀରର ବିଭିନ୍ନ ସ୍ଥାନରେ ରକ୍ତାକ୍ତ ଆଘାତ ଲାଗିଥିବା ଅଭିଯୋଗରେ ଦର୍ଶାଯାଇଛି । ଏହି ଅଭିଯୋଗ ଆଧାରରେ ଖପ୍ରାଖୋଲ ଥାନାରେ କେସ୍ ନଂ. ୧୯୪/୨୦୨୬ ରେ ଭାରତୀୟ ନ୍ୟାୟ ସଂହିତା ର ଧାରା ୨୯୬/୩୫୧(୨)/୧୦୯(୧) ଅନୁଯାୟୀ ମାମଲା ରୁଜୁ ହୋଇଥିଲା । ମାମଲାର ତଦନ୍ତ କରି ଖପ୍ରାଖୋଲ ପୁଲିସ ହରିଶଙ୍କରରୁ ଅଭିଯୁକ୍ତ ବିଶ୍ୱକୁ ଗିରଫ କରି କୋର୍ଟ ଚାଲାଣ କରିଛି । ମାମଲାର ଅଧିକ ତଦନ୍ତ ଜାରି ରହିଥିବା ତଦନ୍ତକାରୀ ଅଧିକାରୀ ଲିଙ୍ଗରାଜ କିଷାନ ସୂଚନା ଦେଇଛନ୍ତି । ଜଣାପଡ଼ିଛି ଯେ, ଅଭିଯୁକ୍ତ ବିଶ୍ୱ ନାମରେ ପୂର୍ବରୁ ଖପ୍ରାଖୋଲ ଥାନାରେ ୧୦ଟି ମାମଲା ପଞ୍ଜିକୃତ ହୋଇ ମାମଲାଗୁଡ଼ିକର ଆଇନଗତ ପ୍ରକ୍ରିୟା ଚାଲିଛି । ପୂର୍ବରୁ ଏକାଧିକ ମାମଲା ରହିଥିବା ସତ୍ତ୍ୱେ ପୁଣି ଏପରି ଅପରାଧିକ ଘଟଣାରେ ଜଡ଼ିତ ହେବା ଘଟଣାକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇବା ସହ ଘଟଣାକୁ ଘୋର ନିନ୍ଦା କରାଯାଇଛି ।

nrusinghnath
Leave A Reply

Your email address will not be published.