
ବାଲିଗୁଡ଼ା, (ସଞ୍ଜୟ କୁମାର ପାଣିଗ୍ରାହୀ) : ବିଘ୍ନବିନାଶକ ପ୍ରଭୁ ଶ୍ରୀଗଣେଶଙ୍କ ପୂଜାକୁ ନେଇ ବାଲିଗୁଡ଼ା ତଥା ଏହାର ଆଖପାଖ ଅଞ୍ଚଳରେ ଦେଖାଦେଇଥିଲା ଭକ୍ତିମୟ ପରିବେଶ । ବିପୁଳ ଆନନ୍ଦ, ଉତ୍ସାହ ଓ ଉଲ୍ଲାସର ସହ ବିଭିନ୍ନ ପୂଜାମଣ୍ଡପରେ ପ୍ରଭୁ ଗଣେଶଙ୍କ ପୂଜାର୍ଚ୍ଚନା କରାଯାଇଥିଲା । ସକାଳୁ ଧୂପ, ଦୀପ ଓ ମନ୍ତ୍ରୋଚ୍ଚାରଣରେ ପୂଜା ମଣ୍ଡପ ଗୁଡ଼ିକ ମୁଖରିତ ହୋଇଥିବା ବେଳେ ସନ୍ଧ୍ୟାରେ ଆଲୋକମାଳାର ଝଲକରେ ସମଗ୍ର ପରିବେଶ ଉତ୍ସବମୁଖର ହୋଇଉଠିଥିଲା । ବାଲିଗୁଡ଼ା ଟାଉନର ବନବାସୀ ସେବା ସମିତି, ପାଟଖଣ୍ଡା ପବ୍ଲିକ ସ୍କୁଲ, ଆରଜେ ଟ୍ୟୁଟୋରିଆଲ୍ସ, ଫ୍ରେଣ୍ଡସ୍ ଗ୍ରୁପ୍ ସମେତ ସରକାରୀ ଆଶ୍ରମ ବିଦ୍ୟାଳୟ, ମାଦିନାଟ ଏବଂ ସରକାରୀ ଉଚ୍ଚ ବିଦ୍ୟାଳୟ, ସିନ୍ଦ୍ରିଗାଁ ପରିସରରେ ଗଣେଶ ପୂଜାକୁ ନେଇ ବିଶେଷ ଆୟୋଜନ କରାଯାଇଥିଲା । ବିଭିନ୍ନ ପୂଜାମଣ୍ଡପରେ ଆକର୍ଷଣୀୟ ମୂର୍ତ୍ତି ସାଙ୍ଗକୁ ଚିତ୍ତାକର୍ଷକ ସାଜସଜ୍ଜା, ସୁନ୍ଦର ତୋରଣ ଓ ରଙ୍ଗବେରଙ୍ଗ ଆଲୋକମାଳା ଶ୍ରଦ୍ଧାଳୁଙ୍କ ମନ ମୋହିଥିଲା । ସନ୍ଧ୍ୟା ସମୟରେ ପୂଜା ମଣ୍ଡପ ଗୁଡ଼ିକରେ ଭକ୍ତ ଓ ଦର୍ଶନାର୍ଥୀଙ୍କ ଭିଡ଼ ଜମିଥିଲା । ବିଶେଷକରି ଛାତ୍ରଛାତ୍ରୀ ଓ ଯୁବପିଢ଼ିଙ୍କ ମଧ୍ୟରେ ପୂଜାକୁ ନେଇ ବେଶ୍ ଉତ୍ସାହ ପରିଲକ୍ଷିତ ହୋଇଥିଲା । ପୂଜା ଅବସରରେ ବିଭିନ୍ନ ସ୍ଥାନରେ ସାଂସ୍କୃତିକ କାର୍ଯ୍ୟକ୍ରମ, ଭଜନ ଓ ଅନ୍ୟାନ୍ୟ ମନୋରଞ୍ଜନଧର୍ମୀ ଆୟୋଜନ କରାଯାଇଥିଲା । ଛାତ୍ରଛାତ୍ରୀଙ୍କ ପ୍ରତିଭା ପ୍ରଦର୍ଶନ ସହ ସାଂସ୍କୃତିକ କାର୍ଯ୍ୟକ୍ରମ ଉପସ୍ଥିତ ଦର୍ଶକଙ୍କୁ ବେଶ୍ ଆକର୍ଷିତ କରିଥିଲା । ପୂଜା ମଣ୍ଡପ ଗୁଡ଼ିକରେ ଭକ୍ତି ଓ ଉତ୍ସବର ମାହୋଲ ସୃଷ୍ଟି ହୋଇଥିବା ବେଳେ ସମଗ୍ର ବାଲିଗୁଡ଼ା ଗଣେଶମୟ ହୋଇପଡ଼ିଥିଲା । ବିଘ୍ନବିନାଶକ ପ୍ରଭୁ ଗଣେଶଙ୍କ ଆଶୀର୍ବାଦରେ ସମସ୍ତଙ୍କ ଜୀବନ ସୁଖ, ଶାନ୍ତି ଓ ସମୃଦ୍ଧିରେ ଭରିଯାଉ—ଏହି ପ୍ରାର୍ଥନା ସହ ଭକ୍ତିଭାବରେ ପାଳିତ ହୋଇଥିଲା ଗଣେଶ ପୂଜା ।

