
ସୁନ୍ଦରଗଡ, (ସସ୍ମିତା ପ୍ରଧାନ) : ଆସନ୍ତା ସେପ୍ଟେମ୍ବର ୨୫ରୁ ୨୭ ତାମିଲନାଡୁର ଈରୋଡେରେ ତୃତୀୟ ଫେଡେରେସନ କପ୍ ସିଟିଙ୍ଗ ଭଲିବଲ ଚମ୍ପିୟାନସିପ୍ ଅନୁଷ୍ଠିତ ହେବାକୁ ଯାଉଛି । ଏନେଇ ପାରା ସ୍ପୋର୍ଟସ ଆସୋସିଏସନ୍ ଅଫ୍ ଓଡ଼ିଶା ପକ୍ଷରୁ ଏହି ଚମ୍ପିୟାନସିପ୍ରେ ଭାଗ ନେବା ପାଇଁ ଓଡ଼ିଶାର ୧୮ ଜଣିଆ ଟିମ୍ ଘୋଷଣା କରାଯାଇଛି । ଏହି ଟିମ୍ରେ ସୁନ୍ଦରଗଡ ଜିଲ୍ଲାର ୪ ଜଣ ଖେଳାଳି ଚୟନ ହୋଇଛନ୍ତି । ଯାହା ଆମ ସୁନ୍ଦରଗଡ ଜିଲ୍ଲା ପାଇଁ ଏକ ଖୁସି ଖବର । ଏହି ଚୟନ ପକ୍ରିୟା ସଦ୍ୟ ସେପ୍ଟେମ୍ବର ୪ରୁ ୬ ତାରିଖ ସମାପ୍ତ ହୋଇଥିବା ଓଡ଼ିଶା ରାଜ୍ୟ ପାରା ଭଲିବଲ୍ ଚମ୍ପିୟାନସିପ୍ର ଖେଳ ଉପରେ ଆଧାରିତ ଥିଲା । ସୁନ୍ଦରଗଡ ଜିଲ୍ଲାର ରୁଦ୍ର ନାରାୟଣ ସାହୁ, ନିହାର ରଞ୍ଜନ ନାୟକ, ପରେଶ କୁମାର ମହନ୍ତ ଓ ଭେଷଜ ନାୟକ ଟିମ୍ ଓଡିଶାରେ ସ୍ଥାନ ପାଇଛନ୍ତି । ଏହି ୧୮ ଜଣିଆ ଟିମ୍ର ଖେଳାଳୀଙ୍କୁ ନେଇ ୧୫ ଦିବସୀୟ ଏକ ଅଭ୍ୟାସ ତଥା ଟ୍ରେନିଂ କ୍ୟାମ୍ପ ଭୁବନେଶ୍ୱର ନୟାପଲ୍ଲୀ ସ୍ଥିତ ଇଣ୍ଡୋର ଷ୍ଟାଡିୟମରେ ଏବେ ଚାଲୁ ରହିଛି । ଖେଳାଳୀଙ୍କ ବୈଷୟିକ ଦକ୍ଷତା, ଫିଟନେସ୍ ଓ ସଂଯମତ୍ତାକୁ ଦୃଷ୍ଟିରେ ରଖି ୧୪ ଜଣିଆ ଟିମ୍ ଶେଷ ପର୍ଯ୍ୟାୟକୁ ଚୟନ କରାଯିବ । ଏହି କ୍ୟାମ୍ପରେ ସୁବ୍ୟବସ୍ଥିତ ପ୍ରଶିକ୍ଷଣ, ଟିମ୍ ମଧ୍ୟରେ ସଠିକ୍ ସଂଯୋଜନା ସହ ସୁସ୍ଥ ଶରୀର ଓ ଚମ୍ପିୟାନସିପ୍ ଜିତିବା ନେଇ ସମସ୍ତ ପକ୍ରିୟାକୁ ତ୍ୱରାନ୍ୱିତ କରାଯିବ । ସୁନ୍ଦରଗଡର ଚାରିଜଣ ଦଳରେ ସ୍ଥାନ ପାଇଥିବା ଖବର ମିଳିବା ପରେ ଚନ୍ଦ୍ରଶେଖର କ୍ରୀଡା ସଂଗଠନର ଅଧ୍ୟକ୍ଷ ତଥା ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ ସମସ୍ତ ଖେଳାଳିଙ୍କୁ ଶୁଭେଚ୍ଛା ଦେବା ସହ ଆଗାମୀ ଫେଡେରେସନ କପ୍ରେ ଭଲ ପ୍ରଦର୍ଶନ ନେଇ ଆଶାବାଦୀ ଅଛନ୍ତି । ରୁଦ୍ରନାରାୟଣ ସାହୁ ଚନ୍ଦ୍ରଶେଖର କ୍ରୀଡା ସଂଗଠନର କାର୍ଯ୍ୟକାରୀ ସଦସ୍ୟ ଥିବା ବେଳେ ତାଙ୍କର ଚୟନ ସଂଗଠନର ଖୁସିକୁ ଦ୍ଵିଗୁଣିତ କରିଛି । ତୃତୀୟ ଫେଡେରେସନ କପ୍ରେ ସୁନ୍ଦରଗଡ଼ ଖେଳାଳି ଭଲ ଖେଳ ପ୍ରଦର୍ଶନ ସହ ଚମ୍ପିୟାନ ହେଉ ବୋଲି ଚନ୍ଦ୍ରଶେଖର କ୍ରୀଡା ସଂଗଠନର ସଭାପତି ସଞ୍ଜୀବ କୁମାର ନାୟକ ଓ ସାଧାରଣ ସମ୍ପାଦକ ଦେବଦତ୍ତ ଜେନାଙ୍କ ସମେତ ସମସ୍ତ ସୁନ୍ଦରଗଡବାସୀ ଉତ୍ସୁକତାର ସହ ଅନେଇ ବସିଛନ୍ତି ।