
ରାଉରକେଲା, (ସସ୍ମିତା ପ୍ରଧାନ) : ନିକଟରେ ଅନୁଷ୍ଠିତ ୬୯ତମ ଜାତୀୟ ବିଦ୍ୟାଳୟ କ୍ରୀଡ଼ା ପ୍ରତିଯୋଗିତାର ହକି ଖେଳ ବର୍ଗରେ ଓଡ଼ିଶା ଦଳ ଉପବିଜେତା ହୋଇଥିଲା । ଏହି ଅବସରରେ ଓଡ଼ିଶା ହକି ଦଳର ୧୮ଜଣ ଖେଳାଳି ଓ ଜଣେ ପରିଚାଳକ ତଥା ଶିକ୍ଷକଙ୍କୁ ଆର୍ଥିକ ପୁରସ୍କାର ପ୍ରଦାନ ସହିତ ରାଜ୍ୟ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି । ଏହି ଦଳରେ ମୁଖ୍ୟତଃ ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଖେଳାଳୀ ସାମିଲ ଥିଲେ । ସେମାନଙ୍କ ମଧ୍ୟରୁ ରାଉରକେଲା ସହରର ପାନପୋଷ ସ୍ଥିତ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଯୁକ୍ତ ଦୁଇ ଦ୍ୱିତୀୟ ବର୍ଷର ଛାତ୍ର ବିଶାଳ ବିବେକ ବାର୍ଲାଙ୍କୁ ବିଦ୍ୟାଳୟ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇ ଉତ୍ସାହିତ କରାଯାଇଛି । ରାଉରକେଲା ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟର ନବନିଯୁକ୍ତ ଅଧ୍ୟକ୍ଷ ତଥା ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ପ୍ରଶାନ୍ତ କୁମାର ସେଠୀ ଶ୍ରୀ ବାର୍ଲାଙ୍କୁ ସମ୍ବର୍ଦ୍ଧିତ କରିବା ସହ ତାଙ୍କର ଉତ୍ତରୋତ୍ତର ଉନ୍ନତି କାମନା କରିଛନ୍ତି । ଏହି ଅବସରରେ ମହାବିଦ୍ୟାଳୟର କ୍ରୀଡ଼ା ଶିକ୍ଷୟିତ୍ରୀ ତଥା ଏନ୍ସିସି ଅଧିକାରୀ କ୍ୟାପ୍ଟେନ୍ ମୀନା ଦାସ ଅଧ୍ୟାପକ ମୋହନ ମୁରାରୀ ବାରିକଙ୍କ ସମେତ ଅନ୍ୟ ଅଧ୍ୟାପକ ଓ ଅଧ୍ୟାପିକାମାନେ ଉପସ୍ଥିତ ଥିଲେ ।