jayashree

ଟିଟିଲାଗଡ଼ରେ ବିଶାଳ ଆଦିବାସୀ ମେଳି

  • କେନ୍ଦ୍ର ସରକାରର ଆଦିବାସୀ ବିରୋଧୀ ଏମ୍‌ଏମ୍‌ଡିଆର୍‌ ଆଇନ ପ୍ରତ୍ୟାହାର ପାଇଁ ରାଷ୍ଟ୍ରପତିଙ୍କୁ ସ୍ମାରକପତ୍ର

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : କେନ୍ଦ୍ର ସରକାରର ଖଣିଜ ସମ୍ପଦ ବିକାଶ ନିୟନ୍ତ୍ରଣ ଆଇନ ୨୦୨୬ (ଏମ୍‌ଏମ୍‌ଡିଆର୍‌) ପ୍ରତ୍ୟାହାର ଦାବୀରେ ଟିଟିଲାଗଡ଼ରେ ବିଶାଳ ଆଦିବାସୀ ମେଳି ଅନୁଷ୍ଠିତ ହୋଇଯାଇଛି । ଏହି ଆଇନ ଦ୍ୱାରା ଆଦିବାସୀ ମାନଙ୍କ ଜମି, ଜଙ୍ଗଲ, ଖଣି, ପାଣି, ପାହାଡ଼, ପର୍ବତ, ଡଙ୍ଗର, ନଦୀ, ଝରଣା ସବୁ କେନ୍ଦ୍ର ସରକାର ନେଇଯିବ । ଆଦିବାସୀ ସର୍ବହରା ହୋଇଯିବେ । ପୂର୍ବତନ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶିଙ୍କ ନେତୃତ୍ୱରେ ସଂଘର କର୍ମକର୍ତ୍ତା ଓ ଆଦିବାସୀ ପ୍ରତିନିଧିମାନେ ଟିଟିଲାଗଡ଼ ଉପଜିଲ୍ଲାପାଳଙ୍କ ଜରିଆରେ ଏହି ଦାବିପତ୍ର ପ୍ରଦାନ କରିଛନ୍ତି । ସ୍ମାରକପତ୍ରରେ ଭାରତୀୟ ସମ୍ବିଧାନର ଅନୁଚ୍ଛେଦ ୧୫(୪), ୧୬(୪), ୨୧କ, ୩୮, ୩୯, ୪୬ ଓ ୨୪୪, ପଞ୍ଚମ ଅନୁସୂଚୀ, ପେସା ଆଇନ, ୧୯୯୬, ଜଙ୍ଗଲ ଅଧିକାର ଆଇନ, ୨୦୦୬ ଏବଂ ଏସ୍‌ସି/ଏସ୍‌ଟି ଅତ୍ୟାଚାର ନିବାରଣ ଆଇନ, ୧୯୮୯ର ଉଲ୍ଲେଖ କରାଯାଇଛି । ଆଦିବାସୀଙ୍କ ଶିକ୍ଷାଗତ, ଆର୍ଥିକ, ସାମାଜିକ ଓ ସାଂସ୍କୃତିକ ସ୍ୱାର୍ଥର ସୁରକ୍ଷା କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସାମ୍ବିଧାନିକ ଦାୟିତ୍ୱ ବୋଲି ସଂଘ ଦର୍ଶାଇଛି । ଏମ୍‌ଏମ୍‌ଡିଆର୍‌ ଆଇନର ୨୦୨୬ ସଂଶୋଧନକୁ ଆଦିବାସୀ ଓ ରାଜ୍ୟ ସ୍ୱାର୍ଥ ବିରୋଧୀ ବୋଲି ଅଭିହିତ କରି ସଂଘ ଏହାର ପ୍ରତ୍ୟାହାର ଓ ପୁନର୍ବିଚାର ଦାବି କରିଛି । ଖଣିଜ ସମ୍ପଦ ଥିବା ଅଞ୍ଚଳରେ ଆଦିବାସୀଙ୍କ ଜମି, ଜଙ୍ଗଲ, ପାହାଡ଼, ଡଙ୍ଗର, ଝରଣା ଓ ପାରମ୍ପରିକ ଜୀବିକା ରହିଥିବାରୁ ଖଣି ଲିଜ୍‌ ଓ ଖଣିଜ ଉତ୍ତୋଳନ ସମୟରେ ଗ୍ରାମସଭାର ଅଧିକାର, ପେସା, ଜଙ୍ଗଲ ଅଧିକାର ଆଇନ ଓ ପରିବେଶ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି ପାଳନ କରିବାକୁ ଦାବି ହୋଇଛି । ପୂର୍ବତନ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି କହିଛନ୍ତି “ଆଦିବାସୀଙ୍କ ଜଳ-ଜଙ୍ଗଲ-ଜମି କେବଳ ଆର୍ଥିକ ସମ୍ପଦ ନୁହେଁ; ଏହା ସେମାନଙ୍କ ଜୀବନ, ଜୀବିକା, ପରିଚୟ, ଧର୍ମ, ସଂସ୍କୃତି ଓ ଭବିଷ୍ୟତ ପିଢ଼ିର ଅସ୍ତିତ୍ୱ ସହିତ ଜଡ଼ିତ । ବିକାଶ ନାମରେ ଆଦିବାସୀଙ୍କୁ ନିଜ ଭିଟାମାଟିରୁ ବିସ୍ଥାପିତ କରିବା ଓ ସେମାନଙ୍କ ବୈଧ ଅଧିକାରକୁ ଅଣଦେଖା କରିବା ଗ୍ରହଣୀୟ ନୁହେଁ” । ଖଣିଜ ସମ୍ପଦରୁ ରାଜ୍ୟର ରାଜସ୍ୱ, ରୟାଲ୍ଟି ଓ ଅନ୍ୟାନ୍ୟ ବୈଧ ଆର୍ଥିକ ସ୍ୱାର୍ଥ ମଧ୍ୟ ସୁରକ୍ଷିତ ରହିବା ଆବଶ୍ୟକ ବୋଲି ସେ କହିଛନ୍ତି । ଆଦିବାସୀଙ୍କ ଜମି ଅଣଆଦିବାସୀଙ୍କୁ ବେଆଇନ ଭାବେ ବିକ୍ରି, ବନ୍ଧକ, ଲିଜ୍‌ କିମ୍ବା ଚୁକ୍ତି ମାଧ୍ୟମରେ ହସ୍ତାନ୍ତର ଉଦ୍ୟମ ବନ୍ଦ କରିବାକୁ ସଂଘ ଦାବି କରିଛି । ବଲାଙ୍ଗିର ଜିଲ୍ଲାର ଟିଟିଲାଗଡ଼, ପାଟଣାଗଡ଼ ଓ ବଲାଙ୍ଗିର ଉପଖଣ୍ଡରେ ୨୦୨୪-୨୫ ଓ ୨୦୨୫-୨୬ ମଧ୍ୟରେ ଦିଆଯାଇଥିବା ଆଦିବାସୀ ଜମି ହସ୍ତାନ୍ତର ଅନୁମତିଗୁଡ଼ିକର ଉଚ୍ଚସ୍ତରୀୟ ତଦନ୍ତ କରି ଆଇନବିରୋଧୀ ଅନୁମତି ବାତିଲ କରିବାକୁ କୁହାଯାଇଛି । ଏଥିସହ ଜଙ୍ଗଲ ଜମିରେ ପାରମ୍ପରିକ ଭାବେ ଚାଷବାସ କରିଆସୁଥିବା ଯୋଗ୍ୟ ଆଦିବାସୀ ଓ ଅନ୍ୟାନ୍ୟ ପାରମ୍ପରିକ ବନବାସୀଙ୍କୁ ଜଙ୍ଗଲ ଅଧିକାର ଆଇନ, ୨୦୦୬ ଅନୁଯାୟୀ ଅଧିକାର ସ୍ୱୀକୃତି ଓ ପଟ୍ଟା ପ୍ରଦାନ କରିବାକୁ ଦାବି ହୋଇଛି । ବଲାଙ୍ଗିରରେ ଏସ୍‌ସି/ଏସ୍‌ଟି ଅତ୍ୟାଚାର ନିବାରଣ ଆଇନର ଧାରା ୧୪ ଅନୁଯାୟୀ ସ୍ୱତନ୍ତ୍ର ଅଦାଲତ ନିର୍ମାଣ ପାଇଁ ୨୦୧୫ ମସିହାରୁ ୨ କୋଟି ଟଙ୍କା ମଞ୍ଜୁର ହୋଇଥିବା ସତ୍ତ୍ୱେ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇନଥିବା ନେଇ ସଂଘ ଉଦ୍‌ବେଗ ପ୍ରକାଶ କରିଛି । ୨୦୧୫ ମସିହାରୁ ଚାଲିଆସୁଥିବା ଅନ୍ୱେଷା ଯୋଜନାରେ ଏସ୍‌ଟି ଓ ଏସ୍‌ସି ଛାତ୍ରଛାତ୍ରୀଙ୍କୁ ଘରୋଇ ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ ଶିକ୍ଷାଦାନ ବ୍ୟବସ୍ଥା ପୂର୍ବବତ୍‌ ଜାରି ରଖିବା ଏବଂ ବନ୍ଦ ହୋଇଥିବା ନୂତନ ନାମଲେଖା ତୁରନ୍ତ ଆରମ୍ଭ କରିବାକୁ ସଂଘ ଦାବି କରିଛି । ଓଡ଼ିଶାର ପଞ୍ଚମ ଅନୁସୂଚିତ ଅଞ୍ଚଳରେ ପେସା ଆଇନର ପ୍ରଭାବୀ କାର୍ଯ୍ୟକାରିତା, ଗ୍ରାମସଭାର ସ୍ୱାୟତ୍ତତା ଓ ନିଷ୍ପତ୍ତି ଗ୍ରହଣ ଅଧିକାର ସୁନିଶ୍ଚିତ କରିବାକୁ ଦାବି ହୋଇଛି । ଆଗାମୀ ୨୦୨୭ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ସମ୍ବିଧାନର ଅନୁଚ୍ଛେଦ ୨୪୩ଡି ଓ ପ୍ରଯୁଜ୍ୟ ଆଇନ ଅନୁଯାୟୀ ଆଦିବାସୀଙ୍କ ଜନସଂଖ୍ୟା ଅନୁପାତରେ ସରପଞ୍ଚ, ସମିତି ସଭ୍ୟ ଓ ପଞ୍ଚାୟତ ସମିତି ଅଧ୍ୟକ୍ଷ ପଦରେ ଉପଯୁକ୍ତ ସଂରକ୍ଷଣ ସୁନିଶ୍ଚିତ କରିବାକୁ କୁହାଯାଇଛି । ଆଇଟିଡିଏ, ମାଡ଼ା ଓ ଅନ୍ୟାନ୍ୟ ଆଦିବାସୀ ଉନ୍ନୟନ ଅଞ୍ଚଳରେ ସରକାରୀ ନିଯୁକ୍ତି ଓ ପଦୋନ୍ନତିରେ ଆଦିବାସୀ ପ୍ରାର୍ଥୀଙ୍କୁ ପ୍ରଯୁଜ୍ୟ ସଂରକ୍ଷଣ ଓ ଆଇନ ଅନୁଯାୟୀ ଅଗ୍ରାଧିକାର ଦେବାକୁ ଦାବି କରାଯାଇଛି । ଆଦିବାସୀ ଗରିବ ପରିବାରଙ୍କ ପାଇଁ ନିତ୍ୟ ବ୍ୟବହାର୍ଯ୍ୟ ଖାଦ୍ୟସାମଗ୍ରୀ ଓ ରନ୍ଧନ ଗ୍ୟାସର ଦର ହ୍ରାସ ଏବଂ ବଲାଙ୍ଗିର ଜିଲ୍ଲାରୁ ଦାଦନ ଶ୍ରମିକ ଚାଲାଣ ରୋକିବା ପାଇଁ ବର୍ଷକୁ ୩୦୦ ଦିନ କର୍ମ ନିଯୁକ୍ତି ଯୋଗାଇଦେବାକୁ ସଂଘ ଦାବି କରିଛି । ଏହା ସହିତ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସରକାରୀ ପାଠ୍ୟପୁସ୍ତକରେ ଥିବା ତ୍ରୁଟିପୂର୍ଣ୍ଣ ଓ ଭୁଲ ତଥ୍ୟର ବିଶେଷଜ୍ଞଙ୍କ ଦ୍ୱାରା ସମୀକ୍ଷା କରାଇ ନିର୍ଭୁଲ ପାଠ୍ୟପୁସ୍ତକ ଯୋଗାଇଦେବାକୁ ଦାବି ହୋଇଛି । ଦାବି ଗୁଡ଼ିକର ସମାଧାନ ନହେଲେ ସଂଘ ପକ୍ଷରୁ ଗଣତାନ୍ତ୍ରିକ ପଦ୍ଧତିରେ ଆନ୍ଦୋଳନକୁ ଆହୁରି ବ୍ୟାପକ କରାଯିବ ବୋଲି ମତ ପ୍ରକାଶ ପାଇଛି । ଏହି କାର୍ଯ୍ୟକ୍ରମରେ ପୂର୍ବତନ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି, ବଲାଙ୍ଗିର ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ମିଥିଲା ମାଝୀ, ଓଡ଼ିଶା ଆଦିବାସୀ କଲ୍ୟାଣ ମହାସଂଘର ଉପସଭାପତି ଭାନୁ ପ୍ରତାପ ସିଂ ମାଝୀ, ବ୍ଲକ ସଭାପତି ମନୋରଞ୍ଜନ ଭୋଇ, ରାଜୀବ କୁଅଁର, ସନ୍ତୋଷ ପୁଟା, ବିକ୍ରମ ଭୋଇ, ଚୌବନ ମାଝୀ, ସାଂଗଠନିକ ସମ୍ପାଦକ ଥବିର ପୂଝାରୀ, ନଗର ସଭାପତି ନିତ୍ୟାନନ୍ଦ ମାଝୀ, ଈଶ୍ୱର ନାଏକ, ଉପସଭାପତି ଘାସିରାମ ମାଝୀ, ସମ୍ପାଦକ ଗିରିଧାରୀ ଭୋଇ, ଜଗଜୀବନ ଭୋଇ ଓ ଧନୀରାମ ଭୋଇଙ୍କ ସମେତ ସଂଘର ବହୁ କର୍ମକର୍ତ୍ତା ଓ ଆଦିବାସୀ ପ୍ରତିନିଧି ଉପସ୍ଥିତ ଥିଲେ ।

Leave A Reply

Your email address will not be published.