
ବଲାଙ୍ଗିର, (ଦେବାଶିଷ ମିଶ୍ର) : ନୂଆଖାଇ ପଶ୍ଚିମ ଓଡିଶାର ସର୍ବବୃହତ ଗଣପର୍ବ ଅଟେ । ଏହି କୃଷିଭିତ୍ତିକ ପର୍ବ ଏହି ଅଂଚଳର ପ୍ରତ୍ୟେକ ପରିବାର ପାଳନ କରିଥାଆନ୍ତି । ଘର ଠାରୁ ଯିଏ ଯେତେ ଦୂରରେ ଥିଲେ ମଧ୍ୟ ପ୍ରତ୍ୟେକ ପରିବାରର ଲୋକେ ନିଜ ଭିଟାମାଟିକୁ ଏ ପର୍ବ ପାଳନ ପାଇଁ ଫେରି ଆସିଥାଆନ୍ତି । ଜିଲ୍ଲା ବାହାରେ ଥାଆନ୍ତୁ କି ରାଜ୍ୟ ବାହାରେ କି ଦେଶ ବାହାରେ ଥିଲେ ମଧ୍ୟ ନୂଆଖାଇ ପର୍ବ ସମସ୍ତଙ୍କୁ ଘରମୁହାଁ କରିଥାଏ । ତେଣୁ ଏହି କୃଷିଭିତ୍ତିକ ଗଣପର୍ବ ପାଇଁ ଆମ ଅଂଚଳ ଲୋକଙ୍କ ପାଇଁ ନୂଆଖାଇ ଦିନ ପୂର୍ବରୁ ଏବଂ ପର ଦିନ ମଧ୍ୟ ଛୁଟି ଦରକାର ହୋଇଥାଏ । ବହୁ ଆଗରୁ ବିଜୁ ପଟ୍ଟନାୟକଙ୍କ ସରକାର ସାରା ଓଡିଶାରେ ଗୋଟିଏ ଦିନ ନୂଆଖାଇ ପର୍ବ ପାଇଁ ଦିନ ଧାର୍ଯ୍ୟ କରିଥିଲେ । ପରବର୍ତ୍ତି ସରକାରମାନେ ସେ ସବୁକୁ ପାଳନ କରୁଥିଲେ ହେଁ ନୂଆଖାଇ ପରବର୍ତ୍ତି ଦିନ ସେହି ଅଂଚଳର ରାଜସ୍ୱ କମିଶନରମାନେ ଆଉ ଗୋଟିଏ ଦିନ ଛୁଟି ଘୋଷଣା କରିଥାଆନ୍ତି କିନ୍ତୁ ଯେହେତୁ ନୂଆଖାଇ ପର୍ବ ପାଇଁ ଲୋକେ ଦୂରଦୂରାନ୍ତରୁ ଘରକୁ ଫେରିଥାଆନ୍ତି ତେଣୁ ପୁଣି କର୍ମସ୍ଥାନକୁ ଫେରିବାରେ ଲୋକଙ୍କୁ ସମୟ ଦରକାର ହୋଇଥାଏ । ସେଥିପାଇଁ ରାଜ୍ୟ ସରକାରଙ୍କୁ ମୁଁ ଦାବି ଜଣାଉଛି ଯେ, ରାଜ୍ୟ ସରକାର ପଶ୍ଚିମ ଓଡିଶାବାସୀଙ୍କ ଭାବାବେଗ ସହିତ ଜଡିତ ଏହି କୃଷିଭିତ୍ତିକ ପର୍ବ ନୂଆଖାଇ ପାଇଁ ତିନିଦିନ ଛୁଟି ଘୋଷଣା କରନ୍ତୁ ବୋଲି ପୂର୍ବତନ ଆଇନମନ୍ତ୍ରୀ ନରସିଂହ ମିଶ୍ର ଏକ୍ସପ୍ରେସ ବିବୃତ୍ତି ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କ ଆଗରେ ଦାବି କରିଛନ୍ତି । ତା’ ସହ ଶ୍ରୀ ମିଶ୍ର ଏହା ମଧ୍ୟ ଦାବି କରୁଛନ୍ତି ଯେ, ମୁଖ୍ୟମନ୍ତ୍ରୀ ଏହି ପର୍ବର ଗୁରୁତ୍ୱକୁ ବୁଝି ରାଜ୍ୟରେ ଛାତ୍ରଛାତ୍ରୀମାନଙ୍କର ତଥା ନିଯୁକ୍ତି କ୍ଷେତ୍ରରେ ପୂର୍ବରୁ ସ୍ଥିରୀକୃତ ହୋଇଯାଇଥିବା ପରୀକ୍ଷା ତାରିଖ ଗୁଡିକ ସମୟ ଥାଇ ପରିବର୍ତ୍ତନ କରାନ୍ତୁ । ଏହି ଛୁଟି ଭିତରେ ଯେପରି କୌଣସି ପ୍ରକାର ପରୀକ୍ଷା ରାଜ୍ୟ ହେଉ କି କେନ୍ଦ୍ରୀୟ ସ୍ତରରେ ହେଉ ସେସବୁକୁ ବାତିଲ ତଥା ଅନ୍ୟ ତାରିଖରେ କରିବାକୁ ପଦକ୍ଷେପ ନିଅନ୍ତୁ ବୋଲି ପୂର୍ବତନ ଆଇନ ମନ୍ତ୍ରୀ ନରସିଂହ ମିଶ୍ର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କ ନିକଟରେ ଦାବି କରିଛନ୍ତି ।