jayashree

କାରରେ ଚାଲିଥିଲା ଗୋରୁ ଚାଲାଣ : ୨ ଗୋରୁ ଉଦ୍ଧାର, ଗାଡ଼ି ଜବତ; ଚାଳକ ଫେରାର

ଭଦ୍ରକ : ଭଦ୍ରକ ଜିଲ୍ଲାରେ ଥମୁନି ଗୋରୁ ଚାଲାଣ । ପୁଲିସର ଘନଘନ ଚଢ଼ାଉ ସତ୍ତ୍ୱେ ଚାଲାଣକାରୀମାନେ ନୂଆ ନୂଆ ଉପାୟରେ ଗୋରୁ ଚାଲାଣ କରୁଥିବା ଅଭିଯୋଗ ହୋଇଛି । ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ଧାମନଗର ଥାନା ହବିବନଗର ଅଞ୍ଚଳରୁ । କଟଣାପାହି ପଡ଼ିଆ ନିକଟରେ ଏକ କାର ଯୋଗେ ଗୋରୁ ଚାଲାଣ ହେଉଥିବା ନେଇ ପୁଲିସକୁ ସୂଚନା ମିଳିଥିଲା । ଖବର ପାଇ ପୁଲିସ ସେଠାରେ ଚଢ଼ାଉ କରିଥିଲା। ପୁଲିସକୁ ଦେଖି କାର ଚାଳକ ଗାଡ଼ି ଛାଡ଼ି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା । ପରେ ପୁଲିସ କାରଟିକୁ ଯାଞ୍ଚ କରିବାରୁ ଭିତରୁ ୨ଟି ଗୋରୁ ଉଦ୍ଧାର କରାଯାଇଥିଲା । ଗୋରୁ ଚାଲାଣରେ ବ୍ୟବହୃତ କାରକୁ ମଧ୍ୟ ଜବତ କରି ଧାମନଗର ଥାନାକୁ ନିଆଯାଇଛି । ଏହି ଘଟଣାରେ ଏସ୍‌ଆଇ ନାରାୟଣ ନାୟକଙ୍କ ଅଭିଯୋଗକ୍ରମେ ଧାମନଗର ଥାନାରେ ୩୮୭/୨୬ ନମ୍ବରରେ ମାମଲା ରୁଜୁ ହୋଇଛି । ଫେରାର ଚାଳକଙ୍କୁ ଧରିବା ସହ ଘଟଣାର ଅଧିକ ତଦନ୍ତ ଜାରି ରଖିଛି ପୁଲିସ । ଅନ୍ୟପଟେ, କାରର ପଛ ସିଟ୍‌ ଖୋଲି ଅତି ଅମାନବୀୟ ଭାବେ ଗୋରୁ ଚାଲାଣ କରାଯାଉଥିବା ନେଇ ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ଏଭଳି ଚାଲାଣ ଉପରେ କଡ଼ା ନଜର ରଖିବା ସହ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟଶନୁଷ୍ଠାନ ପାଇଁ ଦାବି ହୋଇଛି ।

Leave A Reply

Your email address will not be published.