
ବ୍ରହ୍ମପୁର, (କେପିଏନ୍ଏସ୍) : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀରେ କଂଗ୍ରେସର ସାଙ୍ଗଠନିକ ମୂଳଦୁଆ ଆହୁରି ସୁଦୃଢ଼ । ମୋଟ ବୁଥ୍ର ୨୦୦ରୁ ଅଧିକ ବିଏଲଏ-୨ଙ୍କୁ ସଫଳତାର ସହ ନିଯୁକ୍ତି ଓ ପ୍ରଶିକ୍ଷଣ ଦିଆଯିବା ପରେ, ଏହି ସଫଳତାକୁ ଉତ୍ସବ ଭାବେ ପାଳନ କରିବା ଉଦ୍ଦେଶ୍ୟରେ ଦିଗପହଣ୍ଡି ବ୍ଲକର ସମସ୍ତ ନବନିଯୁକ୍ତ ବିଏଲଏ-୨ ମାନଙ୍କୁ ନେଇ କଇଠଖଣ୍ଡି ଗ୍ରାମ ପଞ୍ଚାୟତରେ ଏକ ଭବ୍ୟ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ମୋଟ ୬୦ ଜଣ ବିଏଲଏ-୨ ଉପସ୍ଥିତ ରହିଥିଲେ । କାର୍ଯ୍ୟକ୍ରମରେ ବିଶିଷ୍ଟ କଂଗ୍ରେସ ନେତା ତଥା ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀ ବିଧାନସଭାର କଂଗ୍ରେସ ପ୍ରାର୍ଥୀ ସାକା ସୁଜିତ କୁମାର ଅଧ୍ୟକ୍ଷତା କରିଥିଲେ । ଏଥିରେ ବରିଷ୍ଠ ସାମ୍ବାଦିକ ତଥା ସାମାଜିକ କର୍ମୀ ରବି ରଥ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉପସ୍ଥିତ କଂଗ୍ରେସ ନେତୃବୃନ୍ଦଙ୍କୁ ସ୍ୱାଗତ ଜଣାଇବା ସହିତ ଏଭଳି କଂଗ୍ରେସ କର୍ମୀମାନେ ଏକାଠି ରହି ଲଢେ଼ଇ ଜାରି ରଖିଲେ କଂଗ୍ରେସର ପୂର୍ବ ଗୌରବ ଫେରାଇ ଆଣିପାରିଲେ ଭାଜପା ସରକାରର ନିଶ୍ଚିତ ପତନ ହେବ ବୋଲି ପ୍ରକାଶ କରିଥିଲେ । ଶ୍ରୀ ରଥ କହିଲେ, ବିଭିନ୍ନ ସରକାରଙ୍କ ବେଳେ ଦିଗପହଣ୍ଡି ବ୍ଲକ ଅବହେଳିତ ହୋଇରହିଛି । ଏହାର ବିକାଶ ପାଇଁ ଅଞ୍ଚଳବାସୀଙ୍କ ଲଢେଇର ଆବଶ୍ୟକତା ରହିଛି । ଗଞ୍ଜାମ ଜିଲ୍ଲାସ୍ତରୀୟ ବରିଷ୍ଠ କଂଗ୍ରେସ ନେତୃବୃନ୍ଦ, ପୂର୍ବତନ ସରପଞ୍ଚ, ସମିତି ସଭ୍ୟ ତଥା ଗଣମାଧ୍ୟମ ପ୍ରତିନିଧିମାନେ ବହୁ ସଂଖ୍ୟାରେ ଯୋଗ ଦେଇଥିଲେ । ଭୋଟର ତାଲିକା ସୁରକ୍ଷାରେ ବିଏଲଏ-୨ଙ୍କ ଐତିହାସିକ ସଫଳତା ତଥ୍ୟଭିତ୍ତିକ ଉପସ୍ଥାପନା ଅନୁଯାୟୀ, ଅନ୍ୟ ନିର୍ବାଚନ ମଣ୍ଡଳୀ ତୁଳନାରେ ଦିଗପହଣ୍ଡିରେ ଭୋଟର ତାଲିକାରୁ ନାମ କଟିବା ସଂଖ୍ୟା ଅପେକ୍ଷାକୃତ ବହୁତ କମ୍ ରହିଛି । ସାକା ସୁଜିତ କୁମାରଙ୍କ ନେତୃତ୍ୱରେ ନିଯୁକ୍ତ ହୋଇଥିବା ବିଏଲଏ-୨ ମାନଙ୍କ ପାରଦର୍ଶିତା, ସତର୍କତା ଓ ଦକ୍ଷ କାର୍ଯ୍ୟଶୈଳୀ ଯୋଗୁଁ ଅନେକ ଯୋଗ୍ୟ ଭୋଟରଙ୍କ ନାମ କଟିବାରୁ ରକ୍ଷା ପାଇପାରିଛି, ଯାହା ଆଗାମୀ ଦିନରେ ଦଳର ଭୋଟ ପ୍ରତିଶତ ବୃଦ୍ଧି କରିବାରେ ବେଶ୍ ସହାୟକ ହେବ । ଏହି ଅବସରରେ ବିଏଲଏ-୨ ତଥା ଦିଗପହଣ୍ଡି କଂଗ୍ରେସ ବିଧାୟକ ପ୍ରାର୍ଥୀ ସାକା ସୁଜିତ କୁମାର ଆଗାମୀ ପଞ୍ଚାୟତ ନିର୍ବାଚନ ପାଇଁ ଦଳର ବିଜୟ ରଣନୀତି ଓ ସଫଳତାର ସୂତ୍ର ବୁଝାଇବା ସହ ସମସ୍ତ ବିଏଲଏ-୨ଙ୍କୁ ଉତ୍ତରୀୟ ଏବଂ ଉପହାର ପ୍ରଦାନ କରି ସମ୍ୱର୍ଦ୍ଧିତ କରିଥିଲେ ।
ଏହି ଅବସରରେ ବରିଷ୍ଠ କଂଗ୍ରେସ ନେତା ପ୍ରକାଶ ଚନ୍ଦ୍ର ଗୌଡ଼, ବସନ୍ତ ପଟ୍ଟନାୟକ, ମହେଶ୍ୱର ପାତ୍ର, କୁରେଶୁ ରେଡ଼ି, ପ୍ରଶାନ୍ତ ରେଡ଼ି, ସୁଦାମ ଗୌଡ଼, ଶିବ ମହାରଣା, ଅଭିମନ୍ୟୁ ଜାନୀ, ସମିତିସଭ୍ୟ ଇନ୍ଦ୍ରଜିତ୍ ସେଠୀ, ନରହରି ଗୌଡ଼, ଲଡ଼ୁ କିଶୋର ପାତ୍ରଙ୍କ ସମେତ ବହୁ କଂଗ୍ରେସ ନେତୃବୃନ୍ଦ ଭାଷଣ ଦେଇ କଂଗ୍ରେସ ଦଳକୁ ଶକ୍ତିଶାଳୀ କରି ରାହୁଲ ଗାନ୍ଧୀଙ୍କ ହାତ ମୁଠାକୁ ଟାଣ କରିବାକୁ ଆହ୍ୱାନ ଦେଇଥିଲେ । ତୃଣମୂଳ ସ୍ତରରେ ଦଳକୁ ବିଜୟୀ କରାଇବା ପାଇଁ ସଂକଳ୍ପ ନିଆଯାଇ ସଭା ସମାପ୍ତ ହୋଇଥିଲା । ଶେଷରେ ଶିବରାମ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।