jayashree

ପୁଣି ଜାତୀୟସ୍ତରରେ ଚମକିଲା ରାଉରକେଲା : ସ୍ଵଚ୍ଛ ବାୟୁ ସର୍ବେକ୍ଷଣରେ ହାସଲ କଲା ପ୍ରଥମ ସ୍ଥାନ

ରାଉରକେଲା, (ସସ୍ମିତା ପ୍ରଧାନ) : କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ତରଫରୁ ପ୍ରକାଶିତ ସ୍ଵଚ୍ଛ ବାୟୁ ସର୍ବେକ୍ଷଣରେ ରାଉରକେଲା ସହର ତିନୋଟି ପୁରସ୍କାର ହାସଲ କରିଛି । ବାୟୁ ଗୁଣବତ୍ତାରେ ଉନ୍ନତି ଆଣିବା ପୂର୍ବକ ‘ସମସ୍ତଙ୍କ ପାଇଁ ସ୍ଵଚ୍ଛ ବାୟୁ’ ସହ ନାଗରିକମାନଙ୍କ ମଧ୍ୟରେ ବାୟୁ ପ୍ରଦୂଷଣ ସମ୍ବନ୍ଧରେ ଜନସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ପ୍ରତିବର୍ଷ ‘ଜାତୀୟ ସ୍ୱଚ୍ଛ ବାୟୁ’ କାର୍ଯ୍ୟକ୍ରମ ଅଧୀନରେ ଏହି ସର୍ବେକ୍ଷଣ ଆୟୋଜନ କରାଯାଉଛି । ଦେଶର ୧୩୦ଟି ସହର ଏହି ସର୍ବେକ୍ଷଣରେ ଅଂଶ ଗ୍ରହଣ କରିଥିବା ବେଳେ ରାଉରକେଲା ସହର ଶ୍ରେଷ୍ଠ ପ୍ରଦର୍ଶନ ସହ ସର୍ବଭାରତୀୟ ସ୍ତରରେ ଗୌରବ ହାସଲ କରିଛି । ସ୍ଵଚ୍ଛ ବାୟୁ ସର୍ବେକ୍ଷଣ-୨୦୨୬ରେ ୩ ଲକ୍ଷରୁ ୧୦ ଲକ୍ଷ ଜନସଂଖ୍ୟା ବର୍ଗରେ ରାଉରକେଲା ସହର ଶ୍ରେଷ୍ଠ ପ୍ରଦର୍ଶନ ସହ ପ୍ରଥମ ସ୍ଥାନ ଅଧିକାର କରିଛି । ସେହିଭଳି ଭାବେ ୧୦ ହଜାରରୁ କମ୍ ଜନସଂଖ୍ୟା ବର୍ଗରେ ୧୩ ନମ୍ବର ୱାର୍ଡ ଜାତୀୟ ସ୍ତରରେ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଓ ପୁଣିଥରେ ୧୦ ହଜାରରୁ କମ୍ ଜନସଂଖ୍ୟା ବର୍ଗରେ ୧୪ ନମ୍ବର ୱାର୍ଡ ରାଜ୍ୟସ୍ତରରେ ତୃତୀୟ ସ୍ଥାନ ଅଧିକାର କରିଛି । ସେପ୍ଟେମ୍ବର ୭ ତାରିଖ ସ୍ଵଚ୍ଛ ବାୟୁ ଦିବସ ଅବସରରେ ନୂଆଦିଲ୍ଲୀ ସ୍ଥିତ ଇନ୍ଦିରା ପର୍ଯ୍ୟାବରଣ ଭବନର ଗଙ୍ଗା ଅଡିଟୋରିୟମ ଠାରେ ଅନୁଷ୍ଠିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ତରଫରୁ ସମ୍ବର୍ଦ୍ଧିତ କରାଯାଇଛି । ସୁନ୍ଦରଗଡ଼ ଜିଲ୍ଲାପାଳ ଡାକ୍ତର ଶୁଭଙ୍କର ମହାପାତ୍ରଙ୍କ ସହ ରାଉରକେଲା ମହାନଗର ନିଗମ ଆୟୁକ୍ତ ସୁଶ୍ରୀ ଦୀନା ଦସ୍ତଗୀର୍ ପୁରସ୍କାର ଗ୍ରହଣ କରିଛନ୍ତି । ରାଉରକେଲା ସହର ଦେଶରେ ପ୍ରଥମ ସ୍ଥାନ ହାସଲ କରି ସମଗ୍ର ରାଜ୍ୟ ପାଇଁ ଗୌରବ ଆଣିଥିବା ବେଳେ ସୁନ୍ଦରଗଡ଼ ଜିଲ୍ଲାପାଳ ଓ ରାଉରକେଲା ମହାନଗର ନିଗମ ଆୟୁକ୍ତ ସମସ୍ତ ରାଉରକେଲାବାସୀଙ୍କ ସହ ସହରକୁ ସ୍ଵଚ୍ଛ ରଖିବାରେ ପ୍ରମୁଖ ଭୂମିକା ଗ୍ରହଣ କରୁଥିବା ସମସ୍ତ ସ୍ଵଚ୍ଛ କର୍ମୀଙ୍କୁ ଶୁଭକାମନା ଓ ଧନ୍ୟବାଦ ଜଣାଇଛନ୍ତି । ସହରରେ ବାୟୁ ପ୍ରଦୂଷଣ ନିୟନ୍ତ୍ରଣ କରିବା ପାଇଁ ରାଉରକେଲା ମହାନଗର ନିଗମ ତରଫରୁ ପ୍ରଚେଷ୍ଟା ଜାରି ରହିଥିବା ବେଳେ ଏଥିପାଇଁ ବିଭିନ୍ନ ଅଭିନବ କାର୍ଯ୍ୟକ୍ରମ ମଧ୍ୟ ହାତକୁ ନିଆଯାଇଛି । କଠିନ ବର୍ଜ୍ୟବସ୍ତୁ ପୃଥକୀକରଣ ସହ ସେଗୁଡିକର ସୂଚାରୁ ରୂପେ ପରିଚାଳନା, ବହୁଦିନରୁ ପଡି ରହିଥିବା ପୁରୁଣା ବର୍ଜ୍ୟବସ୍ତୁର ବାୟୋ ମାଇନିଂ, ବାୟୋମାସ୍ ପେଲେଟ ପ୍ଲାଣ୍ଟ ସ୍ଥାପନ କରାଯାଇ ବର୍ଜ୍ୟବସ୍ତୁ ପୋଡ଼ିବାକୁ ରୋକା ଯାଉଛି । ସେପ୍ଟିକ ଟ୍ୟାଙ୍କ ପାଣି ଓ ଡ୍ରେନ୍ ପାଣିର ପ୍ରକ୍ରିୟାକରଣ କରାଯାଇ ପୁନଃ ବ୍ୟବହାର ଯୋଗ୍ୟ କରାଯିବା ପୂର୍ବକ ସେହି ପାଣିକୁ ନିୟମିତ ଭାବେ ସ୍ପ୍ରିଙ୍କଲର୍ ଯୋଗେ ଜଳ ସିଞ୍ଚନ କରାଯାଉଛି । ମେକାନିକାଲ ସ୍ୱିପିଂ ମେସିନ୍ ଜରିଆରେ ରାତ୍ରିକାଳୀନ ସଫେଇ କରାଯାଇ ରାସ୍ତାରୁ ଧୂଳି ହ୍ରାସ କରାଯାଉଛି । ନିର୍ମାଣ ଓ ଭଗ୍ନାବଶେଷ ବର୍ଜ୍ୟବସ୍ତୁର ସଠିକ୍ ଭାବେ ପରିଚାଳନା କରାଯାଉଛି । ସହରର ୪ଟି ଜନଗହଳିପୂର୍ଣ୍ଣ ସ୍ଥାନରେ ଏୟାର୍ ପ୍ୟୁରିଫାୟାର ସ୍ଥାପନ କରାଯାଇ ପିଏମ୍ ୨.୫ ଓ ପିଏମ୍ ୧୦ର ମାତ୍ରା ହ୍ରାସ କରାଯାଇ ନାଗରିକମାନଙ୍କ ପାଇଁ ସ୍ଵଚ୍ଛ ବାୟୁ ସୁନିଶ୍ଚିତ କରାଯାଉଛି । ଏହା ସହ ବିଭିନ୍ନ ସମୟରେ ବାୟୁ ପ୍ରଦୂଷଣ ରୋକିବା ଲାଗି ଜନସଚେତନତା ମଧ୍ୟ ସୃଷ୍ଟି କରାଯାଉଛି ।

Leave A Reply

Your email address will not be published.