
- ଆହତ ଶିଶୁକୁ ଉଦ୍ଧାର କରି ଘରେ ପହଞ୍ଚାଇଲେ ଯୁବ କାଉନସିଲର ଓ ସାଥୀମାନେ
ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ବରପାଲିରୁ ପୂର୍ବତନ କେନ୍ଦ୍ର ଶିକ୍ଷାମନ୍ତ୍ରୀ ସମ୍ବଲପୁର ଲୋକସଭା ସାଂସଦ ଧର୍ମେନ୍ଦ୍ର ପ୍ରଧାନଙ୍କ କାର୍ଯ୍ୟକ୍ରମରୁ ଫେରୁଥିବା ସମୟରେ ବିଜେପୁର ନିକଟରେ ଏକ ଅତ୍ୟନ୍ତ ହୃଦୟସ୍ପର୍ଶୀ ଘଟଣା ଦେଖିବାକୁ ମିଳିଥିଲା । ଯୁବନେତା ତଥା କାଉନସିଲର ଇଂଜିନିୟର କୁନାଲ ପଣିଗ୍ରାହୀ ଓ ତାଙ୍କ ସହଯୋଗୀ ଯୁବମୋର୍ଚ୍ଚା ଜିଲ୍ଲା ଉପ-ସଭାପତି ମଣ୍ଟୁ ପାଣ୍ଡେ, ଜିଲ୍ଲା ସଂଯୋଜକ ଲକ୍ଷ୍ମୀକାନ୍ତ ବରିହା, ଭିକାରୀ ଗଡ଼ତିଆ, ସୁରେଶ ମହେର ଓ ଅରବିନ୍ଦ ସାହା ରାସ୍ତାରେ ଏକ ଦୁର୍ଘଟଣା ଘଟିଥିବା ଦେଖି ତୁରନ୍ତ ଗାଡ଼ି ଅଟକାଇଥିଲେ । ଦୁର୍ଘଟଣାରେ ଏକ ଶିଶୁ ଗଭୀର ସଙ୍କଟରେ ପଡ଼ିଥିବା ଦେଖି ସେମାନେ ବିଳମ୍ବ ନକରି ଉଦ୍ଧାର କାର୍ଯ୍ୟରେ ଲାଗିପଡ଼ିଥିଲେ । ଚାଷଜମି ନିକଟରେ ପ୍ରାୟ ଦଶ ଫୁଟ୍ ତଳକୁ ପଡ଼ିଯାଇଥିବା ଶିଶୁକୁ ସାବଧାନତାର ସହ ଉଦ୍ଧାର କରି ଉପରକୁ ଆଣିଥିଲେ । ପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବୁଝିବା ସହ ଆବଶ୍ୟକ ସ୍ୱାସ୍ଥ୍ୟ ପରୀକ୍ଷା କରାଇଥିଲେ । ମାନବିକତାକୁ ସର୍ବୋପରି ରଖି ସେମାନେ ଶିଶୁ ଓ ପରିବାରକୁ ସୁରକ୍ଷିତ ଭାବେ ନିଜ ଘରକୁ ଫେରାଇବାରେ ସହଯୋଗ କରିଥିଲେ । ଏହି ଉଦ୍ଧାର ସମୟରେ କାଉନ୍ସିଲର ଇଂଜିନିୟର କୁନାଲ ପଣିଗ୍ରାହୀଙ୍କ ହାତରେ ମଧ୍ୟ ଆଘାତ ଲାଗିଥିବା ଜଣାପଡ଼ିଛି । ତଥାପି ନିଜ ଆଘାତକୁ ଗୁରୁତ୍ୱ ନଦେଇ ପ୍ରଥମେ ଅସହାୟ ଶିଶୁର ସୁରକ୍ଷାକୁ ପ୍ରାଥମିକତା ଦେଇଥିଲେ । ଏହି ଘଟଣା ତାଙ୍କର ସାହସ, ସମ୍ବେଦନଶୀଳତା ଓ ମାନବିକ ମନୋଭାବର ଏକ ଉତ୍କୃଷ୍ଟ ଉଦାହରଣ ପାଲଟିଛି । ସଙ୍କଟ ସମୟରେ ନିଜ ସୁରକ୍ଷା ଓ ସୁବିଧାକୁ ପଛକୁ ରଖି ଜଣେ ଅସହାୟଙ୍କ ପାଇଁ ଆଗକୁ ଆସିବା ହିଁ ପ୍ରକୃତ ମାନବିକତା । ବିଜେପୁର ନିକଟର ଏହି ଘଟଣାରେ ଇଂ କୁନାଲ ପଣିଗ୍ରାହୀ ଓ ତାଙ୍କ ସାଥୀମାନେ ଯେଉଁ ମାନବିକତାର ପରିଚୟ ଦେଇଛନ୍ତି, ତାହା ନିଶ୍ଚିତ ଭାବେ ସମାଜ ପାଇଁ ଏକ ପ୍ରେରଣା ଦାୟକ ବାର୍ତ୍ତା ।