
ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ସ୍ଥିତ ପିଏମ୍ଶ୍ରୀ ଅନସ୍ଲୋ ସରକାରୀ ଉଚ୍ଚ ବିଦ୍ୟାଳୟରେ ପବିତ୍ର ଗୁରୁ ଦିବସ ବର୍ଣ୍ଣାଢ୍ୟ ସମାରୋହରେ ପାଳିତ ହୋଇଯାଇଛି । ଏହି ଅବସରରେ ଛତ୍ରପୁର ଗୋଷ୍ଠୀ ଶିକ୍ଷାଧିକାରୀ ତଥା ଉକ୍ତ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ଭାବେ ଦାୟିତ୍ୱ ନିର୍ବାହ କରୁଥିବା ସୁଶ୍ରୀ ସୁଚିତ୍ରା ପାଣିଗ୍ରାହୀ ଏଥିରେ ଅଧ୍ୟକ୍ଷତା କରିଥିଲେ । ଏଠାରେ ସୂଚନା ଯୋଗ୍ୟ ଯେ, ସ୍କୁଲ୍ କର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶ କ୍ରମେ ଛାତ୍ରଛାତ୍ରୀମାନେ ସମୂହ ମିଳିତ ଭାବରେ ସେପ୍ଟେମ୍ୱର ୫ ତାରିଖକୁ ଅତି ସୁନ୍ଦର ଚିତ୍ତାକର୍ଷକ ଭାବରେ ଆୟୋଜନ କରିଥିବା ଦେଖାଦେଇଛି । ସାରା ଦେଶରେ ପୁରପଲ୍ଲୀ ଠାରୁ ସହର ପର୍ଯ୍ୟନ୍ତ ଶନିବାର ଗୁରୁ ଦିବସ ସମାରୋହ ପାଳନ କରାଯାଉଥିବା ବେଳେ ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜନ୍ମଦିନକୁ ଜାତୀୟ ଗୁରୁ ଦିବସ ଭାବେ ସର୍ବତ୍ର ପାଳନ କରାଯାଇ ବିଶ୍ୱର ଜଣେ କର୍ତ୍ତବ୍ୟନିଷ୍ଠ ଶିକ୍ଷାବିତ୍ଙ୍କ ଜୀବନୀ ଗାଥାକୁ ଏକ ବିରଳ ବ୍ୟକ୍ତିତ୍ୱ ଭାବେ ଗଣନା କରାଯାଇଛି । ଏହି କାର୍ଯ୍ୟକ୍ରମରେ ବରିଷ୍ଠ ପୂର୍ବତନ ଶିକ୍ଷକ ବିଦ୍ୟାଧର ଦାଶ ମୁଖ୍ୟଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀମାନେ ରାଷ୍ଟ୍ରଗୁରୁ ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାକୁ ଉପଦେଶମାନ ପ୍ରଦାନ କରିଥିଲେ । ଏହି ଅବସରରେ ସମସ୍ତ ଗୁରୁଜୀ ଗୁରୁମାଙ୍କୁ ଛାତ୍ରଛାତ୍ରୀମାନେ ନିଜସ୍ଵ ଶୈଳୀରେ କଣ୍ଠସଙ୍ଗୀତ ମାଧ୍ୟମରେ ଗୁରୁବନ୍ଦନା ଏବଂ ଗୁରୁମାନଙ୍କୁ ପୁଷ୍ପଗୁଚ୍ଛ ସହ ଉପହାର ଦେଇ ସମ୍ବର୍ଦ୍ଧିତ କରିଥିଲେ । ଏ ସଂସାରରେ ଗୁରୁ ବିନା ଜ୍ଞାନ ଅସମ୍ଭବ । ଗୁରୁ ହିଁ ଅନ୍ଧକାରରୁ ଆଲୋକକୁ ନେଇଯାଆନ୍ତି, ତାହା ସହିତ ଗୁରୁଙ୍କୁ ସମ୍ମାନ କରିବା ହିଁ ପରମ ଧର୍ମ ବୋଲି ପ୍ରଧାନଶିକ୍ଷୟିତ୍ରୀ ସୁଶ୍ରୀ ପାଣିଗ୍ରାହୀ କହି ସମସ୍ତ ଛାତ୍ରଛାତ୍ରୀଙ୍କୁ ଏହି ଦିନରେ ସୁନ୍ଦର ଅୟୋଜନ କରିଥିବା ନେଇ ସାଧୁବାଦ ଜଣାଇଥିଲେ ।