
ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ବ୍ଲକ ଅନ୍ତର୍ଗତ ଗେଦଲପଲ୍ଲୀ ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ପବିତ୍ର ଗୁରୁ ଦିବସ ବର୍ଣ୍ଣାଢ଼୍ୟ ସମାରୋହରେ ପାଳିତ ହୋଇଯାଇଛି । ପ୍ରଧାନଶିକ୍ଷୟିତ୍ରୀ ଶ୍ରୀମତୀ ମଞ୍ଜୁଳା ରାଉଳଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏକ ସ୍ୱତନ୍ତ୍ର ସାରସ୍ୱତ ସମାରୋହର ପ୍ରାରମ୍ଭରେ ଗାନ୍ଧୀ ଓ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ଅତିଥୀମାନଙ୍କ ଦ୍ଵାରା ମାଲ୍ୟାର୍ପଣ କରିଥିବା ବେଳେ ରାଷ୍ଟ୍ରଗୁରୁ ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ପ୍ରତିକୃତିରେ ପୁଷ୍ପମାଲ୍ୟ ଅର୍ପଣ ସହ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା । ବରିଷ୍ଠ ଅବସରପ୍ରାପ୍ତ ଶିକ୍ଷକ ଡି. ପ୍ରକାଶ ରାଓ ମୁଖ୍ୟଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ଵଳନ କରି ଏହି କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ରାଷ୍ଟ୍ରଗୁରୁ ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ପ୍ରତିକୃତିରେ ସଭିଁଏ ପୁଷ୍ପମାଲ୍ୟ ଅର୍ପଣ କରି ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସାଂଗକୁ ତାହାଙ୍କ ଉଲ୍ଲେଖନୀୟ ଅବଦାନ ଅତୁଳନୀୟ ବୋଲି ବକ୍ତାମାନେ ମତପ୍ରକାଶ କରିଥିଲେ । ଏହି ପରିପ୍ରେକ୍ଷୀରେ ଏକ ଆନୁଷ୍ଠାନିକ ସଭାର ଆୟୋଜନ କରାଯାଇଥିଲା । ଉକ୍ତ ସଭାରେ ନିମନ୍ତ୍ରିତ ଅତିଥୀ ଭାବେ ବୟୋଜ୍ୟେଷ୍ଠ ଅବସରପ୍ରାପ୍ତ ଶିକ୍ଷକ ପ୍ରଫୁଲ୍ଲ କୁମାର ନାହାକ, ବିଜୟ କୁମାର ରାଉଳ, ପଞ୍ଚାନନ ରଥ, ସି.ଏଚ୍. କିରଣ କୁମାର ଏବଂ ସହକାରୀ ଶିକ୍ଷୟିତ୍ରୀ ଶ୍ରୀମତୀ ସନ୍ତୋଷୀ କୁମାରୀ ସେଠୀ, କେ.କେଦାରେଶ୍ୱର ରାଓ ପ୍ରମୁଖ ଯୋଗଦେଇ ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜୀବନ ଚରିତ୍ର, ଆଦର୍ଶତା, ତାଙ୍କରି ବ୍ୟକ୍ତିତ୍ୱ ଭାରତବର୍ଷରେ କଣ ସମଗ୍ର ବିଶ୍ୱରେ ବିରଳ ବୋଲି ବକ୍ତାମାନେ ମତବ୍ୟକ୍ତ କରିଥିଲେ । ଏହି ଅବସରରେ ନିମନ୍ତ୍ରିତ ଅବସରପ୍ରାପ୍ତ ଶିକ୍ଷକମାନଙ୍କୁ ମଞ୍ଚ ଉପରେ ପୁଷ୍ପଗୁଚ୍ଛ ସହ ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା ।