
ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ଆଥଲେଟିକ୍ ଆସୋସିଏସନ୍ ପକ୍ଷରୁ ଆୟୋଜିତ ବଲାଙ୍ଗିର ଜିଲ୍ଲା ସିନିୟର୍ ଡିଷ୍ଟ୍ରିକ୍ଟ ନକ୍ଆଉଟ୍ ଫୁଟବଲ୍ ପ୍ରତିଯୋଗିତାର ପଞ୍ଚମ ଦିନରେ ଖେଳାଯାଇଛି ଦ୍ୱିତୀୟ ସେମିଫାଇନାଲ୍ ମ୍ୟାଚ୍ । ଟିଟିଲାଗଡ଼ ଷ୍ଟାଡିୟମ୍ରେ ଆୟୋଜିତ ଏହି ମ୍ୟାଚ୍କୁ ନେଇ ଖେଳପ୍ରେମୀଙ୍କ ମଧ୍ୟରେ ବେଶ୍ ଉତ୍ସାହ ଦେଖିବାକୁ ମିଳିଥିଲା । ମ୍ୟାଚ୍ରେ ମୁଖ୍ୟ ଅତିଥି ଭାବେ ଟିଟିଲାଗଡ଼ ଏସ୍ଡିପିଓ ଯଶୋବନ୍ତ ନାରାୟଣ ପ୍ରଧାନୀ ଏବଂ ସମ୍ମାନିତ ଅତିଥି ଭାବେ ପୂର୍ବତନ ନଗରପାଳ ଶୁଭ୍ରାଂଶୁ ଦାସ ଯୋଗଦେଇଥିଲେ । ଉଭୟେ ଖେଳାଳିଙ୍କ ସହ କରମର୍ଦ୍ଦନ କରି ସେମାନଙ୍କୁ ଉତ୍ସାହିତ କରିଥିଲେ । ଦ୍ୱିତୀୟ ସେମିଫାଇନାଲ୍ରେ ଖଜୁରପଡ଼ା ଦଳ ଓ ଟିଟିଲାଗଡ଼ର ନେତାଜୀ ଯୁବକ ସଂଘ ମଧ୍ୟରେ ଜୋରଦାର ମୁକାବିଲା ହୋଇଥିଲା । ଉଭୟ ଦଳ ପରସ୍ପରକୁ କଡ଼ା ଟକ୍କର ଦେଇଥିଲେ ମଧ୍ୟ ନିର୍ଦ୍ଧାରିତ ସମୟ ମଧ୍ୟରେ କୌଣସି ଦଳ ଗୋଲ୍ ଦେଇପାରିନଥିଲେ । ଫଳରେ ମ୍ୟାଚ୍ର ଫଳାଫଳ ପାଇଁ ପେନାଲ୍ଟି ସୁଟ୍ଆଉଟ୍ର ସହାୟତା ନିଆଯାଇଥିଲା । ପେନାଲ୍ଟି ସୁଟ୍ଆଉଟ୍ରେ ନେତାଜୀ ଯୁବକ ସଂଘକୁ ପରାସ୍ତ କରି ଖଜୁରପଡ଼ା ଦଳ ଫାଇନାଲ୍ରେ ନିଜ ସ୍ଥାନ ପକ୍କା କରିଛି । ଏହି ବିଜୟ ପରେ ଖଜୁରପଡ଼ା ଦଳର ଖେଳାଳି ଓ ସମର୍ଥକଙ୍କ ମଧ୍ୟରେ ଉତ୍ସାହର ମାହୋଲ ଦେଖାଦେଇଥିଲା । ପ୍ରତିଯୋଗିତାର ଫାଇନାଲ୍ ମ୍ୟାଚ୍ ଆସନ୍ତା ୬ ତାରିଖ ଅପରାହ୍ନ ୩ଟାରେ ଆରମ୍ଭ ହେବ ବୋଲି ଆୟୋଜକ କମିଟି ପକ୍ଷରୁ ସୂଚନା ଦିଆଯାଇଛି । ଏହି ପ୍ରତିଯୋଗିତାକୁ ସଫଳ କରିବାରେ ଟିଟିଲାଗଡ଼ ଆଥଲେଟିକ୍ ଆସୋସିଏସନ୍ର ସମ୍ପାଦକ ଶୁଭ୍ରାଂଶୁ ଦାସ, ସହରର ବିଶିଷ୍ଟ ଖେଳାଳି ମଧୁ ମହାଲିଙ୍ଗ, ଆଦିବାସୀ ନେତା ହେମେନ୍ଦ୍ର ହାଁସଦା, ସମାଜସେବୀ ସାରଦା ରାଓ, କାର୍ଯ୍ୟକାରୀ ସମ୍ପାଦକ ଦୀପକ ସମାଦ୍ଦାର, ସହ ସମ୍ପାଦକ ପଦ୍ମନାଭ ବେହେରା, କୋଷାଧ୍ୟକ୍ଷ ରମାନାଥ ଖମାରୀ, ଧୁବଲେ ଦଳବେହେରା, ପ୍ରଦୀପ ସାହୁ, ସନ୍ତୋଷ ପ୍ରଧାନ ପ୍ରମୁଖ ସହଯୋଗ କରିଥିଲେ ।