
ମ. ରାମପୁର, (ପି. କେ. ସାହୁ) : କଳାହାଣ୍ଡି ଜିଲ୍ଲା ମ. ରାମପୁର ବ୍ଲକ ପଞ୍ଚସଖା ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଲାତରାରେ ପବିତ୍ର ଗୁରୁ ଦିବସ ଉତ୍ସବ ଶ୍ରଦ୍ଧା ଓ ଆନନ୍ଦର ସହ ପାଳିତ ହୋଇଯାଇଛି । ଏହି ଅବସରରେ ଅନୁଷ୍ଠିତ ସଭାରେ ବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷ ଅଶୋକ ବିଶ୍ୱାଲ ସଭାପତିତ୍ୱ କରିଥିଲେ । ବିଦ୍ୟାଳୟର ପ୍ରତିଷ୍ଠାତା ତଥା ଅବସର ପ୍ରାପ୍ତ ଶିକ୍ଷକ ଘନ ଶ୍ୟାମ ବଗର୍ତ୍ତି ଓ ଖଗେଶ୍ୱର ରଣା, ଖେଳ ଶିକ୍ଷକ ବେଣୁଧର ରଣା, ଶିକ୍ଷକ ସନ୍ତୋଷ ସାହୁ ଅତିଥି ଭାବେ ଯୋଗ ଦେଇଥିଲେ । ସମସ୍ତ ଅତିଥିଙ୍କୁ ପୁଷ୍ପଗୁଚ୍ଛ, ଉପଢୌକନ, ମାନପତ୍ର ପ୍ରଦାନ କରି ସମ୍ମାନିତ କରାଯାଇଥିଲା । ସଭାରେ ଗୁରୁ ଦିବସର ମହତ୍ତ୍ୱ ଓ ଗୁରୁ-ଶିଷ୍ୟ ସମ୍ପର୍କ ଉପରେ ଆଲୋଚନା ହୋଇଥିଲା । ଛାତ୍ରୀମାନେ ଗୁରୁଜନଙ୍କ ପ୍ରତି ନିଜର ଭାବନା ବ୍ୟକ୍ତ କରିଥିବା ବେଳେ ଶିକ୍ଷକ-ଶିକ୍ଷୟିତ୍ରୀ ଓ ଅତିଥିମାନେ ଛାତ୍ରୀମାନଙ୍କୁ ଶୃଙ୍ଖଳା, ପରିଶ୍ରମ ଓ ମାନବିକ ମୂଲ୍ୟବୋଧର ପଥରେ ଆଗେଇବାକୁ ପ୍ରେରଣା ଦେଇଥିଲେ । କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ ଛାତ୍ରଛାତ୍ରୀମାନେ ସହାୟତା କରିଥିଲେ ।