jayashree

ରାଷ୍ଟ୍ର ନିର୍ମାଣରେ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ – ବିଧାୟକ ଦୁର୍ଗା ତନ୍ତୀ

ରାଉରକେଲା, (ସସ୍ମିତା ପ୍ରଧାନ) : ଆଜି ପବିତ୍ର ଗୁରୁ ଦିବସ ଅବସରରେ ରଘୁନାଥପାଲ୍ଲୀ ବିଧାୟକ ଦୁର୍ଗା ଚରଣ ତନ୍ତୀଙ୍କ ଅଧକ୍ଷତାରେ ସ୍ଥାନୀୟ ଭଞ୍ଜ ଭବନ ପ୍ରେକ୍ଷାଳୟରେ ପୂଜ୍ୟ ପୂଜା ଉତ୍ସବ ମହାଆଡମ୍ବରରେ ପାଳନ ହୋଇଯାଇଛି । ଏହି ଅବସରରେ ଆୟୋଜିତ ଏକ ସଭାରେ ଯୋଗଦେଇ ବିଧାୟକ ଦୁର୍ଗା ତନ୍ତୀ ନିଜ ବକ୍ତବ୍ୟ ମାଧ୍ୟମରେ ଆଗାମୀ କାଲିର ଭବିଷ୍ୟତ ରୂପୀ ଆଜିର ଛାତ୍ର ସମାଜ ମଧ୍ୟରେ ରାଷ୍ଟ୍ରପତି ସମର୍ପିତ ଭାବନା ନେଇ ସେବା କରିବା ସହିତ ନିଜ ସମାଜ ପ୍ରତି କର୍ତ୍ତବ୍ୟ କଣ ହେବା ଦରକାର ସେ ସମ୍ବନ୍ଧରେ ସେମାନଙ୍କୁ ସଚେତନ କରାଇବା ପ୍ରତ୍ୟେକ ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କ ଦାୟିତ୍ୱ ବୋଲି କହିଥିଲେ । ଏତଦ ବ୍ୟତୀତ ବିକଶିତ ଓଡିଶା ଏବଂ ବିକଶିତ ଭାରତ ନିର୍ମାଣରେ ମଧ୍ୟ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ଭୂମିକା ବେଶ ଗୁରୁତ୍ତ୍ୱପୂର୍ଣ୍ଣ । ଡିଜିଟାଲ ଶିକ୍ଷା ସମ୍ଵନ୍ଧରେ ଚର୍ଚ୍ଚା କରିବାକୁ ଯାଇ ବିଧାୟକ ଶ୍ରୀ ଦୁର୍ଗା କହିଥିଲେ କି ସମୟର ଆବଶ୍ୟକତାକୁ ଦେଖି ଡବଲ ଇଞ୍ଜିନ ସରକାର ମଧ୍ୟ ପ୍ରତ୍ୟେକ ସ୍କୁଲ ଓ କଲେଜ ଗୁଡିକରେ ବିଭିନ୍ନ ଯୋଜନାମାନ ପ୍ରଣୟନ କରିଛନ୍ତି ସତ ତେବେ ପ୍ରତ୍ୟେକ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ସହଯୋଗ ବିନା ଏହି ଯୋଜନା ସଫଳ ହେବା ଅସମ୍ଭବ । ଏହି ଉତ୍ସବରେ ମୁଖ୍ୟବକ୍ତା ଭାବେ ଯୋଗ ଦେଇ ପ୍ରାକ୍ତନ ଅଧ୍ୟାପକ ଦୁର୍ଗା ପ୍ରସାଦ ସାହୁ ନିଜ ବକ୍ତବ୍ୟ ମାଧ୍ୟମରେ କହିଥିଲେ କି ଗୋଟିଏ ଦେଶ ସେତେବେଳେ ଯାଇ ମହାନ ହୋଇପାରିବ ଯେତେବେଳେ ସେହି ଦେଶର ସମସ୍ତ ନାଗରିକମାନେ ମହାନ ହୋଇପାଟିବେ ଏବଂ ଏକ ମହାନ ନାଗରିକଟିଏ ଗଢି ତୋଳିବା ହେଉଛି ପ୍ରତ୍ୟେକ ଶିକ୍ଷକଙ୍କର ଦାୟୀତ୍ୱ । ଜେଲରେ ଥାଇ ନିରାଶ ହୋଇ ପଡ଼ିଥିବା ଇଣ୍ଡୋନେସିଆ ରାଜା ସୁକାର୍ଣ୍ଣଙ୍କ ମନରେ ସାହସର ସଂଚାର ଭରି ଦେଇଥିବା ସ୍ୱାମୀ ବିବେକାନନ୍ଦଙ୍କ ବାଣୀ ସମ୍ବନ୍ଧରେ ଉଲ୍ଲେଖ କରି ସବୁବେଳେ ଭାରତ ମହାନ ଥିଲା ଆଜି ମଧ୍ୟ ଅଛି ଆଗକୁ ମଧ୍ୟ ରହିବ ତେବେ ଆମ ଦେଶର ଏହି ମହାନତାକୁ ବଜାୟ ରଖିବାର ଆବଶ୍ୟକତା ଉପରେ ଶ୍ରୀ ସାହୁ ଗୁରୁତ୍ୱାରୋପ କରିଥିଲେ । କେବଳ ଅକ୍ଷର ଜ୍ଞାନ ଦେଇ ଶିକ୍ଷିତ କରିଦେଲେ ଚଳିବ ନାହିଁ ପ୍ରତ୍ୟେକ ଯୁବଶକ୍ତି ମଧ୍ୟରେ ନିଜ ସମାଜ ଓ ଦେଶପ୍ରତି ନିଜ କର୍ତବ୍ୟ ସମ୍ପାଦନା କଲାବେଳେ ସେମାନେ ଯେପରି ଅତି ସମ୍ବେଦନଶୀଳ ମଧ୍ୟ ରହିବେ ସେଥିପାଇଁ ବିଶେଷ ଧ୍ୟାନ ଦେବାର ଆବଶ୍ୟକ ଅଛି ବୋଲି ଶ୍ରୀ ସାହୁ କହିଥିଲେ । ଯୁବ ସମାଜ ମଧ୍ୟରେ ସତ୍ୟ ଓ ନ୍ୟାୟ ପ୍ରତି ସର୍ବଦା ଆଗ୍ରହ ରହିବା ସହିତ ନିଜ ସମାଜ ଓ ଦେଶର ମାନ ସମ୍ମାନ ଓ ସ୍ୱାଭିମାନ ଯେପରି ଅକ୍ଷୁର୍ଣ୍ଣ ରହିବ ସେଥିପ୍ରତି ସର୍ବଦା ଧ୍ୟାନ ଦେବା ପାଇଁ ଯୁବ ସମାଜକୁ ପ୍ରେରଣା ଦେବା ପାଇଁ ଉପସ୍ଥିତ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ଦୁର୍ଗା ପ୍ରସାଦ ସାହୁ ପରାମର୍ଶ ଦେଇଥିଲେ । ଏହି ଉତ୍ସବରେ ଏନ୍‌ଆଇଟି ରାଉରକେଲାର ପ୍ରଫେସର ଡ଼ଃ ଦିଲୀପ କୁମାର ପ୍ରଧାନ, ଅବସରପ୍ରାପ୍ତ ଅଧ୍ୟକ୍ଷ ଡ଼ଃ. ସନାତନ ପ୍ରଧାନ ପ୍ରମୂଖ ସମ୍ମାନିତ ବକ୍ତାଭାବେ ଯୋଗଦେଇ ନିଜ ନିଜ ବକ୍ତବ୍ୟ ରଖିଥିଲେ । ସୁନ୍ଦରଗଡ ଶିକ୍ଷା ଜିଲ୍ଲାର ଜିଲ୍ଲା ଶିକ୍ଷା ଅଧିକାରୀ ଡ଼ଃ ମୁରଲୀଧର ବେହେରା ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ନିଜ ବକ୍ତବ୍ୟ ପ୍ରଦାନ କରିଥିଲେ । ବିଇଓ ଦେବେନ୍ଦ୍ର ସା ଏବଂ ବିଇଓ ସୁପ୍ରଭାତ ବେହେରା, ସମାଜସେବୀ ଶ୍ରୀମତୀ ଲତୀକା ପଟ୍ଟନାୟକ ପ୍ରମୂଖ ଅନ୍ୟତମ ଅତିଥି ଭାବ ଉପସ୍ଥିତ ଥିଲେ । ପ୍ରାରମ୍ଭରେ ସରସ୍ୱତୀ ଶିଶୁ ମନ୍ଦିର ଏବଂ ଚିନ୍ମୟ ବିଦ୍ୟାଳୟ ର ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ସ୍ୱାଗତ ସଙ୍ଗୀତ ଓ ନାଚ ପରିବେଷଣ କରାଯାଇଥିଲା । ଏହି ଉତ୍ସବରେ ଯୋଗ ଦେଇଥିବା ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ମାନଙ୍କୁ ବିଧାୟକ ଶ୍ରୀ ତନ୍ତୀଙ୍କ ଦ୍ୱାରା ସମ୍ମାନିତ କରାଯାଇଥିଲା ।

Leave A Reply

Your email address will not be published.