
ଗୁଣପୁର : ପୁଣି ଜିଲ୍ଲାରେ ବଡ଼ ଧରଣର ଚୋରି । ଏଥର ଲୁଟେରାଙ୍କ ଟାର୍ଗେଟ ହୋଇଛି ଏକ ପୁରାତନ ଶୈବପୀଠ । ଗୁଣପୁର ପୁରୁଣା ବସ୍ଷ୍ଟାଣ୍ଡ ନିକଟରେ ଥିବା ଉମା ରାମଲିଙ୍ଗେଶ୍ୱର ମନ୍ଦିରରୁ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଓ ରୁପା ସାମଗ୍ରୀ ଚୋରି ହୋଇଥିବା ଅଭିଯୋଗ ହୋଇଛି । ଗତକାଲି ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ମନ୍ଦିରର ତାଲା ଭାଙ୍ଗି ଭିତରକୁ ପଶିଥିଲେ । ମନ୍ଦିରରୁ ସୁନା ଅଳଙ୍କାର ଓ ରୁପା ସାମଗ୍ରୀ ଲୁଟିବା ସହ ଦାନ ହୁଣ୍ଡି ଏବଂ ଏକ ଆଲମାରୀ ମଧ୍ୟ ତାଡ଼ି ଦେଇଥିବା ଜଣାପଡ଼ିଛି । ଆଜି ସକାଳେ ପୂଜକ ମନ୍ଦିରକୁ ପୂଜା କରିବାକୁ ଆସିବା ପରେ ଚୋରି ଘଟଣା ସାମ୍ନାକୁ ଆସିଥିଲା । ଏନେଇ ସେ ୧୧୨ ନମ୍ବରରେ ଯୋଗାଯୋଗ କରି ପୁଲିସକୁ ଖବର ଦେଇଥିଲେ । ଖବର ପାଇ ଗୁଣପୁର ପୁଲିସ ଘଟଣାସ୍ଥଳରେ ପହଞ୍ଚି ପ୍ରାଥମିକ ତଦନ୍ତ ଆରମ୍ଭ କରିଛି । ଚୋରିରେ ସମ୍ପୃକ୍ତ ଦୁର୍ବୃତ୍ତଙ୍କୁ ଧରିବା ସହ ଲୁଟ୍ ସାମଗ୍ରୀ ଉଦ୍ଧାର ପାଇଁ ପୁଲିସ ତଦନ୍ତ ଚଳାଇଛି । ତେବେ ଗୁଣପୁର ଉପଖଣ୍ଡ ଅଞ୍ଚଳରେ ଗତ କିଛି ମାସ ହେଲା ଚୋରି ଘଟଣା ବୃଦ୍ଧି ପାଇଥିବାରୁ ସାଧାରଣରେ ଚିନ୍ତା ବଢ଼ିଛି । ନିକଟରେ ବିଭିନ୍ନ ଚୋରି ଘଟଣାରେ ପୁଲିସ ୧୨ ଜଣଙ୍କୁ ଗିରଫ କରିଥିଲେ ମଧ୍ୟ ଚୋରି ଉପରେ ସମ୍ପୂର୍ଣ୍ଣ ରୋକ୍ ଲଗାଇବାରେ ସଫଳ ହୋଇନଥିବା ଅଭିଯୋଗ ହେଉଛି ।