
କେନ୍ଦ୍ରମନ୍ତ୍ରୀ ଜି. କିଶନ ରେଡ୍ଡୀଙ୍କ ଦ୍ୱାରା ‘ରିଟେଲସ୍ପାର୍କ’ ବ୍ରୋଚର ଉନ୍ମୋଚିତ : ୭୧ ହଜାରରୁ ଅଧିକ ଜୀବିକା ସୁଯୋଗ ସୃଷ୍ଟି ଲକ୍ଷ୍ୟ
ନୂଆଦିଲ୍ଲୀ : ଗ୍ରାମୀଣ ମହିଳା, ସ୍ୱୟଂ ସହାୟକ ଗୋଷ୍ଠୀ, କୃଷକ, ଏମଏସଏମଇ, ସ୍ଥାନୀୟ ଉତ୍ପାଦକ ଓ ଉପଭୋକ୍ତାଙ୍କୁ ଡିଜିଟାଲ୍ କମର୍ସର ଏକ ସାଧାରଣ ପ୍ଲାଟଫର୍ମରେ ଯୋଡ଼ିବା ଲକ୍ଷ୍ୟରେ ଆରମ୍ଭ ହୋଇଛି ‘ରିଟେଲସ୍ପାର୍କ ଗ୍ରୁପ୍ କମର୍ସ ଆପ୍’ । ନୂଆଦିଲ୍ଲୀର ୬, ଅଶୋକା ରୋଡ୍ଠାରେ କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ଜି. କିଶନ ରେଡ୍ଡୀଙ୍କ ଉପସ୍ଥିତିରେ ଏହାର ବ୍ରୋଚର ଉନ୍ମୋଚିତ ହୋଇଛି । ସିଣ୍ଟିଲା ଏଗ୍ରିଭେଞ୍ଚର୍ସ ପ୍ରାଇଭେଟ୍ ଲିମିଟେଡ୍ ଦ୍ୱାରା ବିକଶିତ ଏହି ଡିଜିଟାଲ୍ କମର୍ସ ପଦକ୍ଷେପର ନେତୃତ୍ୱ ନେଉଛନ୍ତି ଯୁବ ଉଦ୍ୟୋଗୀ ସୃନ୍ଧନ ରେଡ୍ଡୀ । ଆଦିଲିଲା ଫାଉଣ୍ଡେସନ ଏହାର ସାମାଜିକ ଓ କଲ୍ୟାଣମୂଳକ ପ୍ରଭାବ ସହଯୋଗୀ ଭାବେ ଜଡ଼ିତ ରହିଛି । ‘ରିଟେଲସ୍ପାର୍କ’ର ପ୍ରାରମ୍ଭିକ ଲକ୍ଷ୍ୟ ହେଉଛି ଦେଶର ୭,୧୦୦ରୁ ଅଧିକ ବ୍ଲକ୍ କିମ୍ବା ମଣ୍ଡଳରେ ପ୍ରତ୍ୟେକ ସ୍ଥାନରେ ଗୋଟିଏ ଏସ୍ଏଚ୍ଜି ପରିଚାଳିତ ଡିଜିଟାଲ୍ ଷ୍ଟୋର୍ ସ୍ଥାପନ କରିବା । ପ୍ରତ୍ୟେକ ଡିଜିଟାଲ୍ ଷ୍ଟୋର୍ରେ ପ୍ରାୟ ୧୦ ଜଣ ଏସ୍ଏଚ୍ଜି ସଦସ୍ୟଙ୍କୁ ସଂପୃକ୍ତ କରି ୭୧ ହଜାରରୁ ଅଧିକ ମହିଳାଙ୍କ ପାଇଁ ଜୀବିକା ଓ ଉଦ୍ୟମିତା ସୁଯୋଗ ସୃଷ୍ଟି କରିବାର ଲକ୍ଷ୍ୟ ରଖାଯାଇଛି । ଏହି ମଡେଲ୍ର ବିଶେଷତା ହେଉଛି ‘ଜିରୋ ଇନ୍ଭେଷ୍ଟମେଣ୍ଟ’ । ଅର୍ଥାତ୍ ଏସ୍ଏଚ୍ଜି ସଦସ୍ୟଙ୍କୁ କୌଣସି ଫ୍ରାଞ୍ଚାଇଜ୍ ଫି, ସିକ୍ୟୁରିଟି ଡିପୋଜିଟ୍, ଆଗୁଆ ଦେୟ କିମ୍ବା ଲୁକ୍କାୟିତ ଚାର୍ଜ ଦେବାକୁ ପଡ଼ିବ ନାହିଁ । ଏହା ମାଧ୍ୟମରେ ମହିଳାମାନଙ୍କୁ କେବଳ ଯୋଜନାର ଲାଭାର୍ଥୀ ଭାବେ ନୁହେଁ, ବରଂ ଡିଜିଟାଲ୍ ଷ୍ଟୋର୍ ଅପରେଟର୍ ଓ ସମୁଦାୟ ଉଦ୍ୟୋଗୀ ଭାବେ ସଶକ୍ତ କରିବା ଉଦ୍ଦେଶ୍ୟ ରହିଛି । କୃଷକମାନଙ୍କୁ ସିଧାସଳଖ ବଜାର ଓ ଉପଭୋକ୍ତାଙ୍କ ସହ ଯୋଡ଼ିବା ମଧ୍ୟ ‘ରିଟେଲସ୍ପାର୍କ’ର ଅନ୍ୟତମ ମୁଖ୍ୟ ଲକ୍ଷ୍ୟ । କୃଷି ଇନପୁଟ୍, ତାଜା କୃଷି ଉତ୍ପାଦର ବଜାର ସଂଯୋଗ, କୃଷକ ଗୋଷ୍ଠୀ ଓ ଏସ୍ଏଚ୍ଜି ଡିଜିଟାଲ୍ ଷ୍ଟୋର୍ମଧ୍ୟରେ ସମନ୍ୱୟ ସହିତ ଉତ୍ପାଦନ, ସଂଗ୍ରହ, କ୍ରୟ ଓ ସ୍ଥାନୀୟ ବିକ୍ରୟକୁ ଏକ ସୁସଂଗଠିତ ଶୃଙ୍ଖଳାରେ ଆଣିବାକୁ ପ୍ରୟାସ କରାଯିବ । ‘କୃଷକ–ଏସ୍ଏଚ୍ଜି–ଡିଜିଟାଲ୍ ଷ୍ଟୋର୍–ଉପଭୋକ୍ତା’ ଆଧାରିତ ଏହି ସମୁଦାୟ କେନ୍ଦ୍ରିକ ଡିଜିଟାଲ୍ କମର୍ସ ନେଟୱର୍କରେ ଏମଏସଏମଇ, ସ୍ଥାନୀୟ ଉତ୍ପାଦକ, ଯୁବ ଉଦ୍ୟୋଗୀ ଓ ସ୍ଥାନୀୟ ବ୍ୟବସାୟୀଙ୍କୁ ମଧ୍ୟ ସାମିଲ କରାଯିବ । ଏହାଦ୍ୱାରା ଏସ୍ଏଚ୍ଜି ମହିଳାଙ୍କ ପାଇଁ ଡିଜିଟାଲ୍ ଉଦ୍ୟମିତା, କୃଷକଙ୍କ ପାଇଁ ଉନ୍ନତ ବଜାର ସଂଯୋଗ, ଏମଏସଏମଇ ଓ ସ୍ଥାନୀୟ ଉତ୍ପାଦକଙ୍କ ପାଇଁ ଡିଜିଟାଲ୍ ବଜାର, ଯୁବକଙ୍କ ପାଇଁ ଷ୍ଟୋର୍ ଅପରେସନ୍ ଓ ଫିଲ୍ଡ ଇମ୍ପ୍ଲିମେଣ୍ଟେସନ୍ରେ କାର୍ଯ୍ୟ ସୁଯୋଗ ଏବଂ ଉପଭୋକ୍ତାଙ୍କ ପାଇଁ ତାଜା ଉତ୍ପାଦ ଓ ଆବଶ୍ୟକୀୟ ସାମଗ୍ରୀ ସହଜରେ ଉପଲବ୍ଧ କରାଇବାକୁ ଲକ୍ଷ୍ୟ ରଖାଯାଇଛି । ବ୍ରୋଚର ଉନ୍ମୋଚନ ଅବସରରେ ଆଦିଲିଲା ଫାଉଣ୍ଡେସନର ପ୍ରତିଷ୍ଠାତା ତଥା ଜାତୀୟ ସଭାପତି ଡ଼ଃ ଏସ୍. ଆଦିନାରାୟଣ, ରିଟେଲସ୍ପାର୍କ ପରାମର୍ଶଦାତା ବୋର୍ଡର ଉପାଧ୍ୟକ୍ଷ ବାକି ବୈରୀ ରେଡ୍ଡୀ, ଆଦିଲିଲା ଫାଉଣ୍ଡେସନର ସଂଯୋଜକ ପେଣ୍ଟା ଅନିଲ କୁମାରଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ । ଯୁବ ଉଦ୍ୟୋଗୀ ସୃନ୍ଧନ ରେଡ୍ଡୀଙ୍କ ନେତୃତ୍ୱରେ ଟେକ୍ନୋଲୋଜିକୁ ଗ୍ରାମୀଣ ଉଦ୍ୟମିତା, ସମୁଦାୟ ଭିତ୍ତିକ ବାଣିଜ୍ୟ ଓ ଜୀବିକା ସୃଷ୍ଟି ସହ ଯୋଡ଼ିବା ଦିଗରେ ଏହି ପଦକ୍ଷେପକୁ ଆଗେଇ ନିଆଯାଉଛି । ଏହାର ମୂଳ ଦୃଷ୍ଟିକୋଣ ହେଉଛି—‘ଗୋଟିଏ ବ୍ଲକ୍, ଗୋଟିଏ ଏସ୍ଏଚ୍ଜି ଡିଜିଟାଲ୍ ଷ୍ଟୋର୍, ୧୦ଟି ଜୀବିକା ଓ ଏକ ଜାତୀୟ ସମୁଦାୟ ବାଣିଜ୍ୟ ନେଟୱର୍କ ।’ ଓଡ଼ିଶା ପ୍ରତିନିଧି ଭାବେ ବଙ୍ଗୋମୁଣ୍ଡା ବ୍ଲକ୍ର ଦେଢଗାଁର ବଳଦେବ ବାଗ କାର୍ଯ୍ୟ କରୁଥିବା ଜଣାପଡ଼ିଛି ।