
- ହେବ ୯୧କୋଟି ୧୧ ଟଙ୍କାର ବ୍ୟୟ ଅଟକଳ
ଦେଓଗାଁ, (ମନୀଷ କୁମାର ସାହୁ) : ଦୀର୍ଘ ଅଢ଼େଇ ଦଶନ୍ଧିର ଅପେକ୍ଷାର ଅନ୍ତ ଘଟିଛି । ଦେଓଗାଁ ଅଞ୍ଚଳବାସୀଙ୍କ ଦୀର୍ଘଦିନର ଦାବି ପୂରଣ ହୋଇଛି । ପୂର୍ବ ସରକାର ଅମଳରେ ଘୋଷଣା ହୋଇଥିବା ପ୍ରସ୍ତାବିତ ସୋନଗଡ ନଦୀର ସିକୁଆଁରେ ଆଇଏସ୍ଏସ୍ ବା ନଦୀଗର୍ଭ ଜଳ ସଞ୍ଚୟ ପ୍ରକଳ୍ପ ନିର୍ମାଣ ପାଇଁ ଜଳସେଚନ ବିଭାଗ ଟେଣ୍ଡର ବାହାର କରିଛି । ଜଳସେଚନ ବିଭାଗର ଭବାନୀପାଟଣା ସ୍ଥିତ ତେଲବେସିନର ମୁଖ୍ୟ ନିର୍ମାଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ବିଧିବଦ୍ଧ ଭାବରେ ଏହି ଆଇଏସ୍ଏସ୍ ନିର୍ମାଣ ପାଇଁ ୯୧ କୋଟି ୧୧ଲକ୍ଷ ୧୯ହଜାର ୮୩୦ଟଙ୍କାର ଟେଣ୍ଡର ପ୍ରକାଶ ପାଇଛି । ଇ-ପ୍ରକ୍ୟୁରମେଣ୍ଟ ନୋଟିସ ନମ୍ବର-ଇପିସି /୦୨/୨୦୨୬-୨୭ ତଥା ବିଡ ଆଇଡେଣ୍ଟି ଫିକେସନ ନମ୍ବର-ବିଡ-୦୩/୨୬-୨୭ରେ ଏହା ତେଲବେସିନ ଚିଫଇଞ୍ଜିନିୟରଙ୍କ କାର୍ୟ୍ୟାଳୟରୁ ଏହା ବାହାରିଛି । ଟେଣ୍ଡର ପରେ ଦୁଇବର୍ଷ ମଧ୍ୟରେ ଏହାର ନିର୍ମାଣ କାମ ସରିବ ବୋଲି ନିର୍ଦ୍ଧାରଣ କରାଯାଇଛି ।
ପ୍ରକାଶ ଯେ, ସୋନଗଡ ନଦୀରେ ବର୍ଷା ମାସ ପରେ ପାଣି ଶୁଖିଯାଉଛି । ଯାହା ଫଳରେ ଦେଓଗାଁ ଓ ସଦର ବ୍ଲକ ଅଞ୍ଚଳର ଅନେକ ଗ୍ରାମକୁ ପାନୀୟଜଳ ଯୋଗାଣ ହୋଇପାରୁନାହିଁ । ଏହି ଆଇଏସ୍ଏସ୍ ନିର୍ମାଣ ହେଲେ ଦେଓଗାଁ ବ୍ଲକର ୨୦ଟି ଗାଁ ଯଥା ବନ୍ଧପଡ଼ା, ଅନ୍ତର୍ଲା, ପିପିଲପଦର, ଅଫାମରା, ସାରସମାଲ, ସିଲେଟକାନୀ, ବଡ଼ବନ୍ଧ, କୁରୁଆଁଝର, ସିକୁଆଁ, ଗାଈବାହାଲ, ଅର୍ଡ଼ା, ମୁରସିଂ, ସାରସବାହାଲ, କୁତୁର୍ଲା, ଦେଓଗାଁ, କଛାରପାଲି, ହାତୀସରା, ଚନ୍ଦ୍ରପୁର, ଜରାସିଂହା, ସାଲେପାଲି ଏବଂ ବଲାଙ୍ଗିର ସଦର ବ୍ଲକର ୬ଟି ଗାଁ ଯଥା କୁଠୁର୍ଲା, ଭୁତିଆବହାଲ, ନୁନିଆଁଢ଼ିପା, ଶିରିଶ, କୁଡ଼ାସିଂହା, ନାରାୟଣପୁର ଓ ଗୁଡ଼ଭେଲା ବ୍ଲକର ୬ଟି ଗାଁ ଯଥା ଟେବଡ଼ାମୁଣ୍ଡା, ସିନ୍ଦିରାବାହାଲି, ସରଗଡ଼ା, ଲିଖରିଆ, ତୁଷୁରା, ଚାଣ୍ଟିପଦର ମୋଟ ୩୪ଟି ଗାଁର ଲୋକମାନେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ପାନୀୟ ଜଳ ପାଇବା ବେଳେ ପ୍ରାୟ ୫୦ଟି ଗ୍ରାମର ଲୋକ ଉପକୃତ ହୋଇପାରିବେ । ଭୂତଳ ଜଳସ୍ତର ବଢିବା ସାଙ୍ଗକୁ ଏଠାରୁ ଉଠାଜଳସେଚନ ମାଧ୍ୟମରେ ଚାଷୀଙ୍କ ଜମିକୁ ଜଳସେଚିତ କରାଯାଇପାରିବ । ମୁଖ୍ୟତଃ ଚାଷୀଙ୍କ ଜମିକୁ ଜଳସେଚନ ଓ ଗ୍ରାମ୍ୟ ପାନୀୟ ଜଳଯୋଗାଣ ପ୍ରକଲ୍ପଗୁଡିକ ଅଧିକ ପରିମାଣରେ ଉପକୃତ ହେବେ । କେବଳ ସେତକି ନୁହେଁ ଏଠାରୁ ମାତ୍ର ଦେଢ କିଲୋମିଟର ଦୂରରେ ଥିବା ବୁଢାଡଙ୍ଗର ପାହାଡ ସହିତ ଏହାକୁ ଇକୋଟୁରିଜମରେ ସାମିଲ କଲେ ଅଞ୍ଚଳର ସାମଗ୍ରୀକ ବିକାଶ ମଧ୍ୟ ହୋଇପାରିବ । ଏହି ପ୍ରକଲ୍ପ ପାଇଁ ଦେଓଗାଁ ବ୍ଲକର ପୂର୍ବତନ ଅଧ୍ୟକ୍ଷ ଲକ୍ଷ୍ମଣ ମେହେର ତଥା ସୋନଗଡ ବ୍ୟାରେଜ ଏକ୍ସନ କମିଟିର ସଭାପତି ସ୍ଥାନୀୟ ଜନସାଧାରଣଙ୍କୁ ନେଇ ଅନେକଥର ଆନ୍ଦୋଳନ କରୁଥିଲେ । ପୂର୍ବ ନବୀନ ସରକାର ଅମଳରେ ଘୋଷିତ ପ୍ରକଲ୍ପର ବିଳମ୍ବକୁ ନେଇ ସ୍ଥାନୀୟ ବିଧାୟକ କଳିକେଶ ନାରାୟଣ ସିଂହଦେଓ ବିଧାନସଭାରେ ପ୍ରଶ୍ନ କରିବା ସହିତ ଜଳସେଚନ ବିଭାଗ ଦାୟୀତ୍ୱରେ ଥିବା ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀଙ୍କୁ ଚିଠିଲେଖି ହସ୍ତକ୍ଷେପ କରିବାକୁ ଦାବି କରିଥିଲେ । ଏହି ପ୍ରକଲ୍ପ ପାଇଁ ବର୍ତ୍ତମାନର ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ, ତତ୍କାଳୀନ ଜଳସେଚନ ବିଭାଗର ଇଞ୍ଜିନିୟରିଂ ଇନ ଚିଫ ଚନ୍ଦ୍ରଶେଖର ପାଢୀ ଓ ବର୍ତ୍ତମାନର ଜଳସେଚନ ବିଭାଗର ପ୍ରମୁଖ ଶାସନସଚିବ ଶ୍ରୀମତୀ ଶୋଭା ଶର୍ମା ତତ୍ପରତା ଦେଖାଇଥିଲେ । ଡିପିଆର ପ୍ରସ୍ତୁତ ହୋଇ ଏବେ ଶେଷରେ ସୋନଗଡ ନଦୀର ସିକୁଆଁ ନଦୀଗର୍ଭ ଜଳ ସଞ୍ଚୟ ପ୍ରକଳ୍ପ ପାଇଁ ଟେଣ୍ଡର ବାହାରିବା ପରେ ବିଭିନ୍ନ ମହଲରେ ଖୁସିର ମାହୋଲ ଦେଖାଯାଇଛି । ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ ଓ ବିଧାୟକ କଳିକେଶ ନାରାୟଣ ସିଂହଦେଓଙ୍କୁ ଅଞ୍ଚଳବାସୀଙ୍କ ପକ୍ଷରୁ ସୋନଗଡ ଏକ୍ସନ କମିଟିର ସଭାପତି ଲକ୍ଷ୍ମଣକୁମାର କୃତଜ୍ଞତା ଜଣାଇଛନ୍ତି ।