
ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ଷ୍ଟାଡିୟମରେ ଜମୁଛି ବଲାଙ୍ଗିର ଜିଲ୍ଲା ସିନିୟର ଡିଷ୍ଟ୍ରିକ୍ଟ ନକ୍ଆଉଟ୍ ଫୁଟବଲ୍ ପ୍ରତିଯୋଗିତା । ଟିଟିଲାଗଡ଼ ଆଥଲେଟିକ୍ ଆସୋସିଏସନ୍ ପକ୍ଷରୁ ଆୟୋଜିତ ଏହି ପ୍ରତିଯୋଗିତାର ତୃତୀୟ ଦିନରେ ଦୁଇଟି ରୋମାଞ୍ଚକର ମ୍ୟାଚ୍ ଖେଳାଯାଇଥିଲା । ପ୍ରଥମ ମ୍ୟାଚ୍ରେ ବଡ଼ମାଲ ଓ ଖଜୁରପଡ଼ା ମଧ୍ୟରେ ଜୋରଦାର ଲଢ଼େଇ ଦେଖିବାକୁ ମିଳିଥିଲା । ଉଭୟ ଦଳ ଗୋଟିଏ ଲେଖାଏଁ ଗୋଲ୍ କରିବା ପରେ ମ୍ୟାଚ୍ ପେନାଲଟି ସୁଟ୍ଆଉଟ୍କୁ ଯାଇଥିଲା । ଶେଷରେ ପେନାଲଟିରେ ଖଜୁରପଡ଼ା ବିଜୟୀ ହୋଇଥିଲା । ଏହି ମ୍ୟାଚ୍ରେ ପୂର୍ବତନ ନଗରପାଳ ଭବାନୀ ପ୍ରସାଦ ହୋତା ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । ସେହିପରି ଦ୍ୱିତୀୟ ମ୍ୟାଚ୍ରେ ବଙ୍ଗୋମୁଣ୍ଡା ମନିଗାଁ ଓ ଜଗୁଆ ଦଳ ମୁହାଁମୁହିଁ ହୋଇଥିଲେ । ନିର୍ଦ୍ଧାରିତ ସମୟରେ କୌଣସି ଦଳ ଗୋଲ୍ କରିପାରିନଥିବାରୁ ପେନାଲଟି ସୁଟ୍ଆଉଟ୍ର ଆଶ୍ରୟ ନିଆଯାଇଥିଲା । ଏଥିରେ ଜଗୁଆ ଦଳ ବିଜୟୀ ହୋଇଥିଲା । ଦ୍ୱିତୀୟ ମ୍ୟାଚ୍ ପୂର୍ବରୁ ତହସିଲଦାର ଶଙ୍କର ବାଗ ଓ ପୌର ପରିଷଦର ନିର୍ବାହୀ ଅଧିକାରୀ ଚନ୍ଦନ ଶତପଥୀଙ୍କ ସମେତ ଅତିଥି ଓ ଆୟୋଜକମାନେ ପଡ଼ିଆକୁ ଯାଇ ଖେଳାଳିଙ୍କ ସହ ହାତ ମିଳାଇ ସେମାନଙ୍କୁ ଉତ୍ସାହିତ କରିଥିଲେ । ଟିଟିଲାଗଡ ଆଥଲେଟିକ ଆସୋସିଏସନର ସମ୍ପାଦକ ଶୁଭ୍ରାଂଶୁ ଦାସ, ସହରର ବିଶିଷ୍ଟ ଖେଳାଳି ମଧୁ ମହାଲିଙ୍ଗ, ଆଦିବାସୀ ନେତା ହେମେନ୍ଦ୍ର ହାଁସଦା , ବଲାଙ୍ଗିରର ବରିଷ୍ଠ ସାମ୍ବାଦିକ ଗୋପବନ୍ଧୁ ଶତପଥୀ, ଶରତ ମହାକୁଡ଼, ମହେନ୍ଦ୍ର ଦର୍ଜୀ, ଲୁଇସିଙ୍ଗା ସାମ୍ବାଦିକ ବିମଳ ହୋତା ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିବାରେ ଆସୋସିଏସନର କାର୍ଯ୍ୟକାରୀ ସମ୍ପାଦକ ଦୀପକ ସମାଦ୍ଦାର୍, ସାଂଗଠନିକ ସମ୍ପାଦକ ହରିଶ ରାୟଥାଟା, ସହ ସମ୍ପାଦକ ପଦ୍ମନାଭ ବେହେରା, କୋଷାଧକ୍ଷ ରମାନାଥ ଖମାରୀ, ଘିନୁ ଆଡ ଯୁଆଡ, ଧୁବଲେ ଦଳବେହେରା, ପ୍ରଦୀପ ସାହୁ ପ୍ରମୁଖ ସହଯୋଗ କରିଥିଲେ ।