
ବଲାଙ୍ଗିର, (କେପିଏନ୍ଏସ୍) : ଚଳିତ ବର୍ଷ ୭୭ତମ ବନମହୋତ୍ସବ ଅବସରରେ ବଲାଙ୍ଗିର ଜିଲ୍ଲାର ବଙ୍ଗୋମୁଣ୍ଡା ଓ ମୁରିବାହାଲ ବ୍ଲକର ବିଭିନ୍ନ ଗ୍ରାମ ଓ ବିଦ୍ୟାଳୟରେ ଗ୍ରୀନ୍ ଇଗଲ୍ ଆର୍ମି ପକ୍ଷରୁ ବ୍ୟାପକ ବୃକ୍ଷରୋପଣ, ପରିବେଶ ସଚେତନତା ସଭା ଓ ଗ୍ରାମ ପରିକ୍ରମା କାର୍ଯ୍ୟକ୍ରମ ଜାରି ରହିଛି । ଗୋଲାବନ୍ଧ, ଅସୁରମୁଣ୍ଡା, ଫଟାମୁଣ୍ଡା ସମେତ ବିଭିନ୍ନ ଗ୍ରାମ ଓ ବିଦ୍ୟାଳୟରେ ବର୍ଷାଋତୁ ସାରା ପର୍ଯ୍ୟାୟକ୍ରମେ ଏହି ଅଭିଯାନ ଚାଲିଛି । ଏହି ଅଭିଯାନ ଗ୍ରୀନ୍ ଇଗଲ୍ ଆର୍ମିର ପ୍ରତିଷ୍ଠାତା ସଦସ୍ୟ ତଥା ଉତ୍ସର୍ଗୀକୃତ ଶିକ୍ଷକ ଜୟନ୍ତ ସାହୁଙ୍କ ତତ୍ତ୍ୱାବଧାନରେ ଚାଲିଛି । ଏଥିରେ ପୂର୍ବତନ ସରପଞ୍ଚ ଗୁପ୍ତେଶ୍ୱର ସାହୁ ଓ ସମାଜସେବୀ ଲୋଚନ ବେହେରା ସହଯୋଗ କରୁଛନ୍ତି । ବିଭିନ୍ନ ବିଦ୍ୟାଳୟର ଶିକ୍ଷକଙ୍କ ସମେତ ତୁର୍କୀ, ସୁରେନ୍ଦ୍ର, ତପେନ୍ଦ୍ର, ରମେଶ, ଟିକେଶ୍ୱର, ଯୁବରାଜ, ସମୀର, ଦୁର୍ଯ୍ୟୋଧନ, କିରତୀ, ହେମାସାଗର, ସୁଦାମ ଓ ଗୁଣନିଧି ପ୍ରମୁଖ ଏଥିରେ ସକ୍ରିୟ ଭାବେ ସାମିଲ ହୋଇଛନ୍ତି । କାର୍ଯ୍ୟକ୍ରମରେ କେବଳ ବୃକ୍ଷରୋପଣ ନୁହେଁ, ରୋପିତ ଚାରାର ଯତ୍ନ ଓ ସୁରକ୍ଷା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଉଛି। ସମସ୍ତ ସଦସ୍ୟ ବୃକ୍ଷରୋପଣ ସହ ବୃକ୍ଷର ଯତ୍ନ ନେବା ଓ ରୋପିତ ଚାରାକୁ ସୁରକ୍ଷିତ ରଖିବା ପାଇଁ ଶପଥ ପାଠ କରିଛନ୍ତି। ପ୍ରକାଶ ଥାଉକି, ଶିକ୍ଷକ ଜୟନ୍ତ ସାହୁ ଦୀର୍ଘବର୍ଷ ଧରି ସ୍ଥାନୀୟ ଅଞ୍ଚଳରେ ବୃକ୍ଷରୋପଣ ଓ ବୃକ୍ଷର ଯତ୍ନ ନେଇଆସୁଛନ୍ତି। ଗ୍ରୀଷ୍ମପ୍ରବଣ ଟିଟିଲାଗଡ଼ ଅଞ୍ଚଳରେ ପରିବେଶ ସୁରକ୍ଷା ଓ ସବୁଜିମା ବୃଦ୍ଧି ଦିଗରେ ତାଙ୍କର ଏହି ନିରନ୍ତର ପ୍ରୟାସ ବିଭିନ୍ନ ମହଲରେ ପ୍ରଶଂସିତ ହେଉଛି।