jayashree

ଗାଁ ଭିତରକୁ ପଶିଲା ୬ କେଜିର ବଜ୍ରକାପ୍ତା : ଦୁଇ ଘଣ୍ଟାର ଉଦ୍ୟମ ପରେ ଉଦ୍ଧାର

ରାୟଗଡ଼ା, (ଅକ୍ଷୟ କୁମାର ପିଡିସିକା) : ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ୍‌ ଧାମୁଣିପଙ୍ଗା ପଞ୍ଚାୟତର ଡମନିମା ଗାଁରେ ଦେଖିବାକୁ ମିଳିଛି ଏକ ବିରଳ ଦୃଶ୍ୟ । ଗାଁ ଭିତରେ ପଶିଥିଲା ପ୍ରାୟ ୬ କେଜି ଓଜନର ଏକ ବଜ୍ରକାପ୍ତା । ଦୁର୍ଲଭ ଜଙ୍ଗଲୀ ଜୀବକୁ ଦେଖି ଚକିତ ହୋଇପଡ଼ିଥିଲେ ଗ୍ରାମବାସୀ । ସୂଚନା ଅନୁସାରେ, ଗାଁ ନିକଟରେ ବୁଲୁଥିବା ବେଳେ ବଜ୍ରକାପ୍ତାଟି ହଠାତ୍‌ ଗାଁ ଭିତରକୁ ପଶି ଆସିଥିଲା । ଏହି ସମୟରେ ବାଇକ୍‌ର ଲାଇଟ୍‌ ପଡ଼ିବାରୁ ଜଣେ ବ୍ୟକ୍ତିଙ୍କ ନଜର ଏହା ଉପରେ ପଡ଼ିଥିଲା । ଲୋକଙ୍କ ଗହଳି ଦେଖି ବଜ୍ରକାପ୍ତାଟି ନିକଟରେ ଥିବା ରଥ କୌଶଲ୍ୟାଙ୍କ କାଠ ଗଦା ଭିତରକୁ ପଶିଯାଇଥିଲା । ପରେ ଆରମ୍ଭ ହୋଇଥିଲା ଉଦ୍ଧାର ଅଭିଯାନ । ଦୀର୍ଘ ଦୁଇ ଘଣ୍ଟାରୁ ଅଧିକ ସମୟ ଧରି ଗ୍ରାମବାସୀ ଓ ବନ ବିଭାଗ କର୍ମଚାରୀଙ୍କ ଉଦ୍ୟମ ଚାଲିଥିଲା । ଶେଷରେ କାଠ ଗଦା ଭିତରୁ ବଜ୍ରକାପ୍ତାକୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା । ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲା ସ୍ଥାନୀୟ ବନ ବିଭାଗ । ଫରେଷ୍ଟର ବରଖା ପାତ୍ରଙ୍କ ସମେତ ବନ କର୍ମଚାରୀଙ୍କ ଉପସ୍ଥିତିରେ ଉଦ୍ଧାର ପ୍ରକ୍ରିୟା ସମ୍ପନ୍ନ ହୋଇଥିଲା । ଗ୍ରାମବାସୀଙ୍କ ସଚେତନତା ଓ ତତ୍ପରତା ଯୋଗୁଁ ଏକ ଦୁର୍ଲଭ ଜଙ୍ଗଲୀ ଜୀବ ନିରାପଦ ରହିପାରିଛି । ଉଦ୍ଧାର ପରେ ବଜ୍ରକାପ୍ତାକୁ ବନ ବିଭାଗ ନିଜ ହେପାଜତକୁ ନେଇଥିବା ଜଣାପଡ଼ିଛି ।

Leave A Reply

Your email address will not be published.