
ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ ଦ୍ୱାରା ଆଂଶିକ ପ୍ରଭାବିତ ଗର୍ଜନ ଗାଁ ରେ ଏବେ ବି ଭୁଏ ପରିବାର ଓ ପ୍ରଧାନ ପରିବାର ଗାଁରେ ରହିଛନ୍ତି । ସେମାନେ ଅଭିଯୋଗ କରିଛନ୍ତି, ପ୍ରଶାସନ ସେମାନଙ୍କ ପ୍ରତି ଅବହେଳା କରିଛି । ଉଚିତ କ୍ଷତିପୂରଣ ନଦେଇ ଗାଁ ଛାଡ଼ି ଯିବାକୁ କହୁଛି ପ୍ରଶାସନ । କିନ୍ତୁ ଗାଁରେ ରହି ଲୋୟର୍ ସୁକ୍ତେଲ୍ ଡେମ୍ ପାଣିରେ ବୁଡ଼ି ମରିବୁ ପଛେ ଆମେ ସଂପୂର୍ଣ୍ଣ କ୍ଷତିପୂରଣ ନ ପାଇବା ପର୍ଯ୍ୟନ୍ତ ଗାଁ ଛାଡ଼ି ଯିବୁନାହିଁ ବୋଲି ସେମାନେ ମତ ରଖିଛନ୍ତି । ଚାରିପଟେ ଲୋୟର୍ ସୁକ୍ତେଲ୍ ଡେମ୍ ପାଣି ମାଡ଼ି ଆସୁଛି । ପାଣି କେତେବେଳେ କେମିତି ଘର ପାଖକୁ ବି ଚାଲି ଆସୁଥିବା ସେମାନେ କହିଛନ୍ତି । ସେମାନେ ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ କାର୍ଯ୍ୟାଳୟକୁ ଧାଇଁ ଧାଇଁ ହଇରାଣ ହେଉଥିବା ବେଳେ ସେମାନଙ୍କ କଥା କେହି ଶୁଣୁନଥିବା କହିଛନ୍ତି । ସେମାନେ ଆହୁରି କହିଛନ୍ତି, ଆମ ଘର, ଜମି ସବୁ ୨୦୨୪ ମସିହାରୁ ସର୍ଭେ ହୋଇଛି । ହେଲେ ଆଜି ପର୍ଯ୍ୟନ୍ତ ଟଙ୍କା ମିଲୁନି । କେବଳ ମୁଣ୍ଡପିଛା ଟଙ୍କା ନେଇ ଗାଁ ଛାଡ଼ି ପଳାଅ ବୋଲି ଅଧିକାରୀମାନେ କହୁଥିବା ସେମାନେ ଅଭିଯୋଗ ଆଣିଛନ୍ତି ।