
ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ସଭାଗୃହରେ ଏମ୍ଏସ୍ଏମ୍ଇ (ସୂକ୍ଷ୍ମ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ) ପ୍ରତିଷ୍ଠା ନେଇ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଅଞ୍ଚଳର ଯୁବକ-ଯୁବତୀ ଓ ମହିଳାମାନଙ୍କୁ ଆତ୍ମନିର୍ଭର କରିବା ସହ ଉଦ୍ୟୋଗ ପ୍ରତିଷ୍ଠା ଦିଗରେ ପ୍ରୋତ୍ସାହିତ କରିବା ଏହି ଶିବିରର ମୁଖ୍ୟ ଉଦ୍ଦେଶ୍ୟ ଥିଲା । ଶିବିରରେ ମୁଖ୍ୟ ଅତିଥି ଭାବେ ସାଂସଦ ପ୍ରଦୀପ ପୁରୋହିତ ଯୋଗଦେଇ ଯୁବକ-ଯୁବତୀ ଓ ମହିଳାମାନେ ଚାକିରି ଅନ୍ୱେଷଣ କରିବା ସହ ନିଜେ ଉଦ୍ୟୋଗ ପ୍ରତିଷ୍ଠା କରି ଅନ୍ୟମାନଙ୍କୁ ରୋଜଗାର ଯୋଗାଇବା ଦିଗରେ ଆଗେଇ ଆସିବାକୁ ଆହ୍ୱାନ କରିଥିଲେ । ସରକାରଙ୍କ ବିଭିନ୍ନ ଯୋଜନା ଓ ସହାୟତାର ସୁଯୋଗ ନେଇ ଉଦ୍ୟୋଗୀ ହେବାକୁ ସେ ପରାମର୍ଶ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ପାଇକମାଲ ବିଡିଓ ପ୍ରଫୁଲ୍ଲ କୁମାର ଓଡୁ, ବରଗଡ଼ ଜିଏମ୍-ଡିଆଇସି ସୁଷମା ଟରାଜୀ, ସରୋଜ ସାମଲ, ଗୋବର୍ଦ୍ଧନ ଅଗ୍ରୱାଲ, ପାଇକମାଲ ଏସ୍ବିଆଇ ବ୍ୟାଙ୍କ ମ୍ୟାନେଜର ଏବଂ ସମାଜସେବୀ ବଡ଼ ଶତପଥୀ ପ୍ରମୁଖ ମଞ୍ଚାସୀନ ଅତିଥି ଭାବେ ଯୋଗଦେଇ ଏମ୍ଏସ୍ଏମ୍ଇ ଉଦ୍ୟୋଗର ସୁଯୋଗ, ଋଣ ବ୍ୟବସ୍ଥା ଓ ସରକାରୀ ସହାୟତା ସମ୍ପର୍କରେ ଆଲୋକପାତ କରିଥିଲେ । ସଭାକୁ ପ୍ରଭାସ ରଞ୍ଜନ ପ୍ରଧାନ ପରିଚାଳନା କରିଥିବା ବେଳେ ଶିବିରରେ ପ୍ରାୟ ୮୫ ଜଣ ଯୁବକ-ଯୁବତୀ ଓ ମହିଳା ଯୋଗଦେଇଥିଲେ । ଶେଷରେ ପାଇକମାଲ ଏଆଇଓ ଧନ୍ୟବାଦ ଅର୍ପଣ କରିଥିଲେ ।