
ରାଉରକେଲା, (ସସ୍ମିତା ପ୍ରଧାନ) : ଏନ୍ଆଇଟି ରାଉରକେଲାର ଫାଉଣ୍ଡେସନ ଫର୍ ଟେକ୍ନୋଲୋଜି ଆଣ୍ଡ ବିଜନେସ ଇନକ୍ୟୁବେସନ ପକ୍ଷରୁ ଦୁଇ ଦିନିଆ କର୍ମଶାଳା ଆୟୋଜନ କରାଯାଇଛି । “From Idea to Investment: Unlocking GENESIS & GENESIS Investment 2.0 Opportunities” ଶୀର୍ଷକରେ ଏହି କର୍ମଶାଳା ଅଗଷ୍ଟ ୩୧ ଓ ସେପ୍ଟେମ୍ବର ୧ ତାରିଖରେ FTBI ପରିସରରେ ଅନୁଷ୍ଠିତ ହୋଇଛି । ଏହାର ଉଦ୍ଦେଶ୍ୟ ଥିଲା ଛାତ୍ର ଓ ଆଶାୟୀ ଉଦ୍ୟୋଗୀଙ୍କୁ ଷ୍ଟାର୍ଟଅପ୍ ସଂସ୍କୃତି, ଉଦ୍ଭାବନ, ଉଦ୍ୟମିତା ଏବଂ ଫଣ୍ଡିଂ ସୁଯୋଗ ବିଷୟରେ ସଚେତନ କରିବା । ଏହି କର୍ମଶାଳାରେ ରାଉରକେଲା ଓ ଆଖପାଖ ଅଞ୍ଚଳର ବିଭିନ୍ନ ଶିକ୍ଷାନୁଷ୍ଠାନର ପ୍ରାୟ ୨୦୦ ଛାତ୍ର ଉତ୍ସାହର ସହ ଭାଗ ନେଇଥିଲେ । ଏଥିରେ ଏନ୍ଆଇଟି ରାଉରକେଲା, ରିମ୍ସ, କନକ ମଞ୍ଜରୀ ଇନଷ୍ଟିଚ୍ୟୁଟ ଅଫ ଫାର୍ମାସ୍ୟୁଟିକାଲ ସାଇନ୍ସ, ୟୁଜିଆଇ, ଡାମିଟ୍ସ, ଇସ୍ପାତ କଲେଜ, ଏସ୍ଏସ୍ଆର୍ଭିଏମ୍ ସମେତ ଅନେକ ଅନୁଷ୍ଠାନର ଛାତ୍ର ସାମିଲ ଥିଲେ । ଦୁଇ ଦିନର କାର୍ଯ୍ୟକ୍ରମରେ ଉଦ୍ୟମିତା ଓ ଷ୍ଟାର୍ଟଅପ୍ ସଂସ୍କୃତିର ମୂଳଦୁଆ, କିପରି ଏକ ଆଇଡିଆ ଚିହ୍ନଟ ଓ ଯାଞ୍ଚ କରିବେ, ବଜାର ସୁଯୋଗ ବୁଝିବେ, ଉଦ୍ଭାବନୀ ସମାଧାନ ବିକଶିତ କରିବେ ଏବଂ ବିଭିନ୍ନ ଫଣ୍ଡିଂ ଓ ନିବେଶ ସୁଯୋଗ ଅନ୍ୱେଷଣ କରିବେ ସେ ବିଷୟରେ ଶିକ୍ଷା ଦିଆଯାଇଥିଲା । କର୍ମଶାଳାର ମୁଖ୍ୟ ଆକର୍ଷଣ ଥିଲା GENESIS ଓ GENESIS Investment 2.0 କାର୍ଯ୍ୟକ୍ରମ । ଏଥିରେ ଯୋଗ୍ୟତା, ଆବେଦନ ପ୍ରକ୍ରିୟା, ଫଣ୍ଡିଂ, ନିବେଶ ସୁଯୋଗ, ମେଣ୍ଟରିଂ ସପୋର୍ଟ ଓ ପ୍ରାରମ୍ଭିକ ଉଦ୍ଭାବକଙ୍କୁ ଆଇଡିଆରୁ ସ୍କେଲେବଲ ଷ୍ଟାର୍ଟଅପ୍ ପର୍ଯ୍ୟନ୍ତ ନେବା ପାଇଁ ଥିବା ବ୍ୟବସ୍ଥା ବିଷୟରେ ସୂଚନା ଦିଆଯାଇଥିଲା । ଛାତ୍ରମାନେ FTBI ଟିମ୍ ଓ ଷ୍ଟାର୍ଟଅପ୍ ଇକୋସିଷ୍ଟମ ସହ ସିଧାସଳଖ ଆଲୋଚନା କରିବାର ସୁଯୋଗ ପାଇଥିଲେ ଏବଂ ଇନକ୍ୟୁବେସନ ସେଣ୍ଟର କିପରି କାମ କରେ ଓ ଆଶାୟୀ ଉଦ୍ୟୋଗୀଙ୍କ ପାଇଁ କଣ ସହାୟତା ରହିଛି ତାହା ଜାଣିଥିଲେ । ପାରମ୍ପରିକ ଚାକିରି ବାହାରେ ଉଦ୍ୟମିତାକୁ ଏକ ବିକଳ୍ପ ଭାବେ ଗ୍ରହଣ କରିବାକୁ ଛାତ୍ରଙ୍କୁ ପ୍ରେରଣା ଦିଆଯାଇଥିଲା । FTBIର ଅଧ୍ୟକ୍ଷ ପ୍ରଫେସର ସୁବ୍ରତ କୁମାର ପଣ୍ଡା ଛାତ୍ରଙ୍କ ମଧ୍ୟରେ ଉଦ୍ଭାବନ ଓ ଉଦ୍ୟମିତା ସଂସ୍କୃତି ସୃଷ୍ଟି କରିବା ଉପରେ ଗୁରୁତ୍ୱ ଦେଇଥିଲେ । ଶିକ୍ଷାନୁଷ୍ଠାନ ଓ ଇନକ୍ୟୁବେସନ ସେଣ୍ଟର ସଠିକ୍ ଇକୋସିଷ୍ଟମ ଓ ମେଣ୍ଟରସିପ୍ ଦେଇ ଯୁବ ପ୍ରତିଭାକୁ ବଢାଇବାରେ ମୁଖ୍ୟ ଭୂମିକା ନେଉଛନ୍ତି ବୋଲି ସେ କହିଥିଲେ । FTBIର CEO ଚିରଞ୍ଜିବୀ ସାମଲ କହିଥିଲେ ଯେ, ଏହି କର୍ମଶାଳାର ଲକ୍ଷ୍ୟ ହେଉଛି ଛାତ୍ରମାନଙ୍କୁ ଷ୍ଟାର୍ଟଅପ୍ ଇକୋସିଷ୍ଟମର ସୁଯୋଗ ସହ ଯୋଡିବା ଓ ଆଇଡିଆ ସୃଷ୍ଟିରୁ ନେଇ ଇନକ୍ୟୁବେସନ, ଫଣ୍ଡିଂ ଓ ନିବେଶ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଯାତ୍ରା ବୁଝାଇବା । ସେ ଛାତ୍ରମାନଙ୍କୁ GENESIS ଭଳି କାର୍ଯ୍ୟକ୍ରମର ଲାଭ ନେବାକୁ ଆହ୍ୱାନ ଦେଇଥିଲେ । ବିଭିନ୍ନ ବିଭାଗର ଛାତ୍ରଙ୍କ ଅଂଶଗ୍ରହଣ ଯୁବପିଢି ମଧ୍ୟରେ ଉଦ୍ୟମିତା ପ୍ରତି ବଢୁଥିବା ଆଗ୍ରହକୁ ଦର୍ଶାଉଛି । ଦୁଇ ଦିନିଆ କାର୍ଯ୍ୟକ୍ରମ ଶେଷରେ ଅନେକ ଛାତ୍ର ନିଜ ଆଇଡିଆକୁ ଆଗକୁ ବଢାଇ FTBI ମାଧ୍ୟମରେ ଇନକ୍ୟୁବେସନ ଓ ଫଣ୍ଡିଂ ନେବାକୁ ଆଗ୍ରହ ପ୍ରକାଶ କରିଥିଲେ । ଏଭଳି କାର୍ଯ୍ୟକ୍ରମ ମାଧ୍ୟମରେ FTBI ଓଡିଶାରେ ଷ୍ଟାର୍ଟଅପ୍ ଇକୋସିଷ୍ଟମକୁ ମଜବୁତ କରିବାରେ ଲାଗିଛି ।