
ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ମ୍ୟୁନିସିପାଲିଟି ଅଞ୍ଚଳରେ ମାତ୍ର ୧୨ରୁ ୧୩ ଜଣ ଏଭଳି ବ୍ୟକ୍ତି ଅଛନ୍ତି, ଯେଉଁମାନେ ସହରର ପ୍ରତ୍ୟେକ ବିକାଶମୂଳକ କାର୍ଯ୍ୟକୁ ବିରୋଧ କରିବାକୁ ନିଜର କାମ ବୋଲି ଭାବିନେଇଛନ୍ତି । ସେମାନଙ୍କର କାମ କେବଳ କହିବା, ସମାଲୋଚନା କରିବା ଓ ବିକାଶ କାର୍ଯ୍ୟରେ ବାଧା ସୃଷ୍ଟି କରିବା । କିନ୍ତୁ ଆମର ଲକ୍ଷ୍ୟ ସ୍ପଷ୍ଟ । ଆମେ ବଲାଙ୍ଗିର ସହରର ସାମଗ୍ରୀକ ବିକାଶକୁ ଆଖି ଆଗରେ ରଖି ନିରନ୍ତର ଓ ଅବିରାମ ଗତିରେ କାମ କରିଚାଲିଛୁ । କିଛି ଲୋକଙ୍କ ବିରୋଧ କେବେବି ଆମର ବିକାଶ ଯାତ୍ରାକୁ ଅଟକାଇପାରିବ ନାହିଁ । ବନ୍ଧର ପୁନରୁଦ୍ଧାର ଓ ବିକାଶ କାର୍ଯ୍ୟ ଆରମ୍ଭ ହେବା ଦିନଠାରୁ କିଛି ଲୋକ ବିରୋଧ କରିଆସୁଛନ୍ତି । କିନ୍ତୁ ସେମାନଙ୍କ ବିରୋଧର ବିପରୀତ ଫଳ ଆଜି ସମସ୍ତଙ୍କ ସାମ୍ନାରେ ରହିଛି । ସାଧାରଣ ଲୋକ ଆଜି ଏହି କାମକୁ ପ୍ରଶଂସା କରୁଛନ୍ତି ଏବଂ ବଲାଙ୍ଗିରର ବିକାଶକୁ ସ୍ୱାଗତ କରୁଛନ୍ତି । ଯେଉଁମାନେ ଆଜି ବିକାଶକୁ ନେଇ ପ୍ରଶ୍ନ କରୁଛନ୍ତି, ସେମାନେ ନିଜେ ସହରର ବିକାଶ ପାଇଁ କେତେ ଅବଦାନ ରଖିଛନ୍ତି, ତାହା ସହରବାସୀ ଭଲଭାବେ ଜାଣନ୍ତି । କଥା କହିବା ସହଜ, କିନ୍ତୁ ମାଟିରେ ରହି କାମ କରି ସହରକୁ ଆଗକୁ ନେବା ହେଉଛି ପ୍ରକୃତ ଚ୍ୟାଲେଞ୍ଜ । ଆଜି ସାଧାରଣ ଲୋକଙ୍କ ପ୍ରଶଂସା ଓ ସହଯୋଗ ହିଁ ଆମ ପାଇଁ ସବୁଠାରୁ ବଡ଼ ପ୍ରେରଣା । କିଛି ଲୋକଙ୍କ ନକାରାତ୍ମକ ମନୋଭାବ ଆମକୁ ଦୁର୍ବଳ କରିପାରିବ ନାହିଁ । ଆମର ଲକ୍ଷ୍ୟ ଗୋଟିଏ—ଏକ ସୁନ୍ଦର, ସ୍ୱଚ୍ଛ, ବିକଶିତ ଓ ସମୃଦ୍ଧ ବଲାଙ୍ଗିର ଗଢ଼ିବା । ବିରୋଧ ହେଉ କି ସମାଲୋଚନା, ବଲାଙ୍ଗିରର ବିକାଶ ଯାତ୍ରା ନିରନ୍ତର ଜାରି ରହିବ ।